ଶ୍ରୀ ଜୀଉଙ୍କ ବାହୁଡ଼ା ଯାତ୍ରା, ସୁନ୍ଦରାଞ୍ଚଳରୁ ଯିବେ ନୀଳାଚଳ | News Room Odisha

ଶ୍ରୀ ଜୀଉଙ୍କ ବାହୁଡ଼ା ଯାତ୍ରା, ସୁନ୍ଦରାଞ୍ଚଳରୁ ଯିବେ ନୀଳାଚଳ

ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀବିଗ୍ରହ ମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି –

“ ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ ।
ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା ॥ ”
—ସ୍କନ୍ଧ ପୁରାଣ, ଉତ୍କଳ ଖଣ୍ଡ

ଅର୍ଥାତ ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ।ଉକ୍ତଦିନ ପ୍ରାତଃକାଳ ଅତ୍ୟନ୍ତ ସମୃଦ୍ଧିବାନ୍।ସେଦିନ ବିଷ୍ଣୁଙ୍କର ପାଲିତ ଦକ୍ଷିଣାଭି- ମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ।ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖା ଯାଇଥାଏ।ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବାପରେ ସେଠାରେ ପାରମ୍ପରିକ ରୀତିମତେ ଲକ୍ଷ୍ମୀ-ନାରାୟଣ ଭେଟ କରାଯାଇଥାଏ ।

ସମ୍ପୂର୍ଣ୍ଣ ରଥଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରା ଯାଇଛି। ଏଥିମଧ୍ୟରୁ ରଥଯାତ୍ରା ହେଉଛି ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ହେଉଛି ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା଼ ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ।ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନକଲେ ଯେଉଁ ଫଳମିଳେ, ବାହୁଡା଼ ଯାତ୍ରାରେ ଦକ୍ଷିଣାଭି ମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ।ଏପରିକି ଭକ୍ତ- ମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ ।

ସାଧାରଣତଃ ଏହି ବାହୁଡ଼ା ଯାତ୍ରାକୁ ଦକ୍ଷିଣାୟନ ଯାତ୍ରା କୁହାଯାଇ ଥାଏ। ଶ୍ରୀଜୀଉ ମାନେ ନବଦିନ ମାଧୁର୍ଯ୍ୟ ଲୀଳା ସାଙ୍ଗ କରି ଏହିଦିନ ଐଶ୍ୱର୍ଯ୍ୟ ଲୀଳା କରିବା ଉଦ୍ଧେଶ୍ୟରେ ସୁନ୍ଦରାଞ୍ଚଳ ଛାଡି ନୀଳାଚଳ କୁ ଗମନ କରିଥାନ୍ତି। ବୈଷ୍ଣବୀୟ ଧାରାରେ ଏହା ବିରହ ଯାତ୍ରା। ବ୍ରଜରେ ରସରାଜ ଶ୍ରୀ ଶ୍ୟାମ ସୁନ୍ଦର ଯେପରି ବ୍ରଜକୁ ପରିତ୍ୟାଗ କରି ଦ୍ୱାରକା ଯାତ୍ରା କରିଥିଲେ। ଏହି ଯାତ୍ରା ବ୍ରଜଙ୍ଗନା ମାନଙ୍କୁ କେବଳ ବିରହ ବେଦନା ଦେଇଥିଲା। ଠିକ ସେହିପରି ଗୋପୀ ଭାବରେ ବିଭାବିତ ଭକ୍ତଙ୍କ ମନରେ ମହାପ୍ରଭୁଙ୍କ ଏହି ଯାତ୍ରା ବିରହ ଦେଉଥିବାରୁ ଏହା ସେମାନଙ୍କ ପାଇଁ ବିରହ ଯାତ୍ରା ହୋଇଥାଏ। ବାସ୍ତବରେ ପୂର୍ବେ ଏହି ବାହୁଡା ଯାତ୍ରାରେ କେବଳ ପଞ୍ଚକୋଶି ବାସୀ ହିଁ ବିଶେଷ ଭାବରେ ଭାଗ ନେଉଥିଲେ। ବଙ୍ଗବାସୀ ବୈଷ୍ଣବ ବୃନ୍ଦ ରଥଯାତ୍ରା ପରେ ଗୌଡ଼ ଦେଶକୁ ଫେରି ଯାଉଥିଲେ।। ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଲୀଳା ଥିଲା ରସଶିକ୍ତ ଲୀଳା। ଯାହା କେବଳ ଭାବୁକ ଭକ୍ତ ହିଁ ବୁଝିଥାଏ।

ଐଶ୍ୱର୍ଯ୍ୟ ଲୀଳାକୁ ଅଙ୍ଗୀକାର କରିବାକୁ ଶୁକ୍ଳ ଦଶମୀ ଦିନ ମହାପ୍ରଭୁଙ୍କ ରଥ ଉପରେ ଭକ୍ତଂକୁ ସୁନାବେଶ ରେ ଦର୍ଶନ ଦେବେ। ଏହାପରେ ଛଅ ମାସ ପ୍ରଭୁ ଶୟନ ଲୀଳା କରିବେ। ଏହି ସମୟ ରେ ଜାଗତିକ ଦୁନିଆରେ ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ବାରଣ ରହିବ। ହରି ଉତ୍ଥାପନ ଏକାଦଶୀ ପରେ ପୁନର୍ବାର ସମସ୍ତ ଶୁଭକାର୍ଯ୍ୟ ପ୍ରାରମ୍ଭ କରାଯିବ।