ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଶରଣ ଶ୍ରୀକ୍ଷେତ୍ର: ପୋଲସରାର ମାରଦା ମନ୍ଦିର | News Room Odisha

ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଶରଣ ଶ୍ରୀକ୍ଷେତ୍ର: ପୋଲସରାର ମାରଦା ମନ୍ଦିର

ଛତ୍ରପୁର: ଶ୍ରୀଜଗନ୍ନାଥ ସଂସ୍କୃତି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ମାରଦାସ୍ଥିତ ଶରଣ ଶ୍ରୀକ୍ଷେତ୍ର ବା ମଥୁରା କ୍ଷେତ୍ର। ମୁସଲମାନଙ୍କ ଆକ୍ରମଣରୁ ପ୍ରଭୁଙ୍କୁ ରକ୍ଷା କରିବା ପାଇଁ ୧୭୩୩ ମସିହାରେ ଠାକୁରଙ୍କୁ ଶ୍ରୀକ୍ଷେତ୍ରରୁ ଆଣି ଏଠାରେ ଗୁପ୍ତ ରୂପେ ଶରଣରେ ରଖାଯାଇଥିଲା। ତେଣୁ ଏହି ସ୍ଥାନ ଶରଣ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଯଦିଓ ଏଠି ଏବେ ଠାକୁର ମୂର୍ତ୍ତି ନାହାନ୍ତି, ରହିଛି କେବଳ ତାଙ୍କ ପିଣ୍ଡି। ଏଠାରେ ରଥଯାତ୍ରା ମଧ୍ୟ ହୁଏନି। କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତିରୁ ଅଭିନ୍ନ ନୁହେଁ ମାରଦା ମନ୍ଦିର।

ମାରଦା ମନ୍ଦିରର ଇତିହାସ ପ୍ରାୟ ୩ ଶତାବ୍ଦୀ ପ୍ରାଚୀନ। ମହମ୍ମଦ ତକି ଖାଁ ଯେତେବେଳେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା, ସେତେବେଳେ ଠାକୁରମାନଙ୍କୁ ପୁରୀର ଗଜପତି ମହାରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବ ଆଠଗଡ଼ ରାଜାଙ୍କ ସହଯୋଗରେ ଚିଲିକା କୂଳ ଅଞ୍ଚଳ ହୋଇ ବାଲୁଗାଁ, ଖଲ୍ଲିକୋଟ, କୋଦଳା ବାଟେ ପୋଲସରାର ଏହି ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ଅଞ୍ଚଳକୁ ନେଇ ଆସିଥିଲେ। ହାତୀବାଡ଼ି ପର୍ବତ ଘେରା ଏହି ଅଞ୍ଚଳରେ ଠାକୁର ପ୍ରାୟ ଅଢ଼େଇ ବର୍ଷ କାଳ ବିଜେ କରିଥିଲେ। ବଡ଼ ଠାକୁରଙ୍କୁ ମନ ପ୍ରାଣ ଦେଇ ଭକ୍ତି କରୁଥିବା ମଥୁରାର ପ୍ରସ୍ତର କାରିଗରମାନେ ମାତ୍ର ଦେଢ଼ ମାସ ମଧ୍ୟରେ ଠାକୁରଙ୍କ ପାଇଁ ଏକ ସୁନ୍ଦର ମନ୍ଦିର ନିର୍ମାଣ କରିଥିଲେ ଯାହା ଆଜି ବି ବିଦ୍ୟମାନ। ବଉଳା ପଥରରେ ନିର୍ମିତ ଏହି ମନ୍ଦିର ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତାବାହକ। ତତ୍କାଳୀନ ଆଠଗଡ଼ ସାମନ୍ତ ରାଜା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜା ଓ ସେବା ନୀତି ପାଇଁ ୯୬୦ ଭରଣ ଜମି ଦାନ କରିବା ସହ ସହ ପୂଜକ ବ୍ୟବସ୍ଥା କରିଥିଲେ। ତିନି ଠକୁର ଏଠାରେ ଶରଣ ନେଇଥିବା ବେଳେ କାଳେ କୌଣସି ଆକ୍ରମଣକାରୀର ନଜର ନପଡ଼ିବ ସେଥିପାଇଁ ଗୁପ୍ତ ରୂପରେ ଠାକୁରଙ୍କ ସେବା ପୂଜା କରାଯାଉଥିଲା। ଅପରପକ୍ଷରେ ୧୭୩୩ରୁ ୧୭୩୫ ପର୍ଯ୍ୟନ୍ତ ପୁରୀରେ ରଥ ଗଡ଼ି ନଥିଲା କି ଘୋଷଯାତ୍ରା ହୋଇପାରି ନଥିଲା। ମୋଗଲ ଆକ୍ରମଣକାରୀ ଓଡ଼ିଶା ମାଟି ଛାଡ଼ି ଚାଲିଯିବା ପରେ ଶ୍ରୀଜୀଉଙ୍କୁ ପୁଣି ବଡ଼ ଦେଉଳକୁ ଫେରାଇ ନିଆଯାଇ ଥିଲା।

ସେବେଠାରୁ ମାରଦା ମନ୍ଦିର ଆସନ ରିକ୍ତ ହୋଇ ରହିଛି। ଏଠିକାର ଶୂନ୍ୟ ପିଣ୍ଡିକା ଉପରେ କେବଳ ତିନି ପ୍ରତିକୃତି ଠାକୁରଙ୍କ ବିଜେର କାହାଣୀର ମୂକସାକ୍ଷୀ ସାଜିଛି। ଏଠି ଆଉ ମୂର୍ତ୍ତି ସ୍ଥାପନ କରାଯାଇନି କିମ୍ବା ରଥଯାତ୍ରା ହୁଏନି। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଥିବା ମନ୍ଦିର ବେଶ୍ ସୁନ୍ଦର ଓ ଏକ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତାପ୍ରାପ୍ତ। ଏହି ମନ୍ଦିରର ୩ଟି ମୁଖ୍ୟ ଦ୍ଵାର ସମେତ ଆଖପାଖରେ ହନୁମାନ ମନ୍ଦିର, ଲୋକନାଥ ମନ୍ଦିର, ସୂର୍ଯ୍ୟ ମନ୍ଦିର, ମା’ ଭରାଣ୍ଡି ଦେବୀ ମନ୍ଦିର, ବୈଷ୍ଣବ ଦେବୀ ମନ୍ଦିର, ମୟୂରୀକଣା ମନ୍ଦିର ଆଦି ଅବସ୍ଥିତ। ମୋଟାମୋଟି ଭାବେ ଆଜି ଯେତେବେଳେ ଚାରିଆଡ଼େ ବାହୁଡ଼ା ଯାତ୍ରା ପାଳିତ ହେଉଛି ସେତେବେଳେ ଯାତ୍ରା ବିନା ମଧ୍ୟ ଶରଣ ଶ୍ରୀକ୍ଷେତ୍ର ତଥା ମାରଦା ମନ୍ଦିର ଶ୍ରୀଜଗନ୍ନାଥ ସଂସ୍କୃତିର ଝଲକ ସର୍ବସମ୍ମୁଖରେ ପ୍ରଦର୍ଶିତ କରୁଛି।