କୋଲାବିରା ଅଞ୍ଚଳରୁ ଆହତ ହରିଣ ଉଦ୍ଧାର | News Room Odisha

କୋଲାବିରା ଅଞ୍ଚଳରୁ ଆହତ ହରିଣ ଉଦ୍ଧାର

ଝାରସୁଗୁଡ଼ା : କୋଲାବିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରଘୁନାଥପାଲି ଗାଁରୁ ଗତକାଲି ଅପରାହ୍ନରେ ଏକ ଆହତ ହରିଣକୁ ଉଦ୍ଧାର କରାଯାଇଛି। ଗ୍ରାମବାସୀ ହରିଣ ଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। କୋଲାବିରା ବନାଞ୍ଚଳରେ ପୂର୍ବରୁ କୌଣସି ହରିଣ ରହୁଥିବା ସୂଚନା ନଥିଲା। ହେଲେ ଗତକାଲି ଏକ ହରିଣ ରଘୁନାଥପାଲି ଗ୍ରାମକୁ ଆହତ ଅବସ୍ଥାରେ ପଶି ଆସିଥିଲା। ହରିଣଟି ମହୁଲମୁଣ୍ଡା ସଂରକ୍ଷିତ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି। ଗୋଡ଼ରେ ଆଘାତ ଲାଗିଥିବା ଅବସ୍ଥାରେ ହରିଣ ଗ୍ରାମର କୁଲିତାପଡ଼ାର ଜ୍ୟୋତିଷ ପ୍ରଧାନଙ୍କ ଘରବାଡ଼ିର ଏକ ବୁଦା ତଳେ ରହିଥିଲା। ଗ୍ରାମବାସୀ କୋଲାବିରା ବନ ବିଭାଗକୁ ଖବର ଦେବା ସହ ହରିଣକୁ ବହୁ ପରିଶ୍ରମ କରି ଧରିବାକୁ ସକ୍ଷମ ହୋଇଥିଲେ। ହରିଣକୁ ଶିକାରୀମାନେ ଶିକାର କରିବାକୁ ଚେଷ୍ଟା କରିଥିବା କିମ୍ବା ଅନ୍ୟ ହରିଣ ସହ ଲଢ଼େଇରୁ ଆହତ ହୋଇଥିବା ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ଆହତ ହରିଣକୁ କୋଲାବିରା ଫରେଷ୍ଟ ରେଞ୍ଜ୍ ଅଫିସରେ ରଖାଯାଇଛି। କୋଲାବିରା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଆହତ ହରିଣର ଚିକିତ୍ସା କରାଯାଇଛି। ହରିଣ ସୁସ୍ଥ ହେଲା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ରେଞ୍ଜର୍ ହରିହର ପାତ୍ର ସୂଚନା ଦେଇଛନ୍ତି। ହରିଣ ରହୁଥିବା ଜଙ୍ଗଲରେ ହିଁ ହରିଣକୁ ଛଡ଼ାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।