ଶୀତଳଷଷ୍ଠୀରେ ଆସିଥିଲେ ବାହୁଡାରେ ଫେରିଲେ ସାକ୍ଷୀ ଗୋପିନାଥ | News Room Odisha

ଶୀତଳଷଷ୍ଠୀରେ ଆସିଥିଲେ ବାହୁଡାରେ ଫେରିଲେ ସାକ୍ଷୀ ଗୋପିନାଥ

ସମ୍ବଲପୁର: ସମ୍ବଲପୁରର ସର୍ବପୂରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟିର ବଂ ବଂ ବରାଡ ବାଲୁଙ୍କେଶ୍ବର ଓ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିବାହ ପାଇଁ ସାକ୍ଷୀପଡା ସ୍ଥିତ ଭଗବାନ ବିଷ୍ଣୁଙ୍କ ଅନ୍ୟତମ ଅବତାର ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ସାକ୍ଷୀ ରହିବାର ପରମ୍ପରା ଆରମ୍ଭରୁ ହିଁ ରହି ଆସିଛି। ଏଣୁ ବିବାହ ପୂର୍ବରୁ ଶ୍ରୀ ଶ୍ରୀ ସାକ୍ଷୀ ଗୋପିନାଥ ନନ୍ଦପଡାର ବାଲୁଙ୍କେଶ୍ବର ମନ୍ଦିରରେ ଅବସ୍ଥାନ କରୁଥିବା ବେଳେ ବାହୁଡା ରଥଯାତ୍ରାରେ ପୁଣି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଶୁକ୍ରବାର ପବିତ୍ର ବାହୁଡା ରଥ ଯାତ୍ରାର ପୂର୍ବ ସନ୍ଧ୍ୟାରେ ଶ୍ରୀ ସତ୍ୟନାରାୟଣ ପୂଜାର ସମାପନ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀ ଗୁଣ୍ଡିଚା ଯାତ୍ରା (ରଥଯାତ୍ରା)ରୁ ବାହୁଡା ଯାତ୍ରା ମଧ୍ୟରେ ହିଁ ଶ୍ରୀ ସାକ୍ଷୀ ଗୋପିନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନର ରୀତି ରହିଛି। ଫଳରେ ଶନିବାର ଅପରାହ୍ନରେ ବାହୁଡା ଯାତ୍ରା ଅବସରରେ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ତାଙ୍କର ସାକ୍ଷୀପଡା ସ୍ଥିତ ନିଜସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହ ରୀତି ନୀତିର ସମାପନ ସହିତ ଚଳିତବର୍ଷର ଶୀତଳଷଷ୍ଠୀ ଯାତ୍ରା ଆନୁଷ୍ଠାନିକ ରୂପେ ଶେଷ ହୋଇଛି।

ସୂଚନାଯୋଗ୍ୟ ଯେ, ଦେବ ବିବାହ କାର୍ଯ୍ୟର ଆରମ୍ଭ ଠାରୁ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରୀତିନୀତି ଓ ପୂଜା କାର୍ଯ୍ୟରେ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସାକ୍ଷୀ ରହିଥାନ୍ତି। ପ୍ରତିବର୍ଷ ମହା ଆଡମ୍ବରରେ ତାଙ୍କ ମନ୍ଦିରରୁ ବିବାହରେ ସାକ୍ଷୀ ଦାୟିତ୍ବ ନିର୍ବ।ହ ପାଇଁ ଆସୁଥିବା ବେଳେ ବିଗତ 2 ବର୍ଷ କରୋନା ଯୋଗୁଁ ଏହି ରୀତିନୀତି କେବଳ ବିଧିରକ୍ଷାରେ ସୀମିତ ରହିଥିଲା। ଆଉ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ନନ୍ଦପଡା ସ୍ଥିତ ମନ୍ଦିରକୁ ବିବାହ ପୂର୍ବରୁ ଯାଇ ପୁଣି ବିବାହ ପଶ୍ଚାତ ସାକ୍ଷୀପଡା ସ୍ଥିତ ନିଜସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଚଳିତ ବର୍ଷ ସରକାରୀ କଟକଣା ହଟି ସାରିଥିବାରୁ ଭବ୍ୟ ରୂପେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥଙ୍କୁ ନନ୍ଦପଡାରୁ ତାଙ୍କର ମନ୍ଦିରକୁ କମିଟି ସଦସ୍ୟ ଓ ପଡାବାସୀ ପାଛୋଟି ନିଆଯାଇ ପହଞ୍ଚାଇଛନ୍ତି। ଏହି ପରମ୍ପରା ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଆରମ୍ଭ ଦିନରୁ ଚାଲି ଆସିଛି ଏବଂ ଏହି ନୀତି କେବଳ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରାରେ ହିଁ ରହିଆସିଛି ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।