ତୃତୀୟ ଟି-୨୦: ସୂର୍ଯ୍ୟଙ୍କ ଶତକ ସତ୍ତ୍ୱେ ହାରିଲା ଭାରତ | News Room Odisha

ତୃତୀୟ ଟି-୨୦: ସୂର୍ଯ୍ୟଙ୍କ ଶତକ ସତ୍ତ୍ୱେ ହାରିଲା ଭାରତ

ନଟିଂହାମ : ସୂର୍ଯ୍ୟକୁମାର ଯାଦବଙ୍କ ଲଢୁଆ ଶତକ ସତ୍ତ୍ୱେ ରବିବାର ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ରେ ଭାରତକୁ ୧୭ ରନରେ ହରାଇଛି ଇଂଲଣ୍ଡ । ଏହି ସାନ୍ତ୍ୱନାମୂଳକ ବିଜୟ ସହ ଇଂଲଣ୍ଡ କ୍ଲିନ୍ ସୁଇପ୍ ଲଜ୍ଜାରୁ ବର୍ତ୍ତିଯାଇଛି । ଅନ୍ୟପକ୍ଷରେ ଭାରତ ତିନି ମ୍ୟାଚ୍ ସିରିଜକୁ ୨-୧ରେ ଜିତିଛି ।

ଏହି ହାଇ ସ୍କୋରିଂ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୭ ୱିକେଟ୍ ହରାଇ ୨୧୫ ରନର ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୯୮ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ସୂର୍ଯ୍ୟ୫୫ ବଲରେ ୧୪ଟି ଚୌକା ଓ ୬ଟି ଛକା ସହାୟତାରେ ଚମତ୍କାର ୧୧୭ ରନ କରିଥିଲେ । ଅନ୍ତର୍ଜାତୀୟ ଟି୨୦ରେ ସୂର୍ଯ୍ୟଙ୍କ ଏହା ପ୍ରଥମ ଶତକ ଥିଲା । ତେବେ ସୂର୍ଯ୍ୟଙ୍କୁ ଅନ୍ୟପଟୁ ଉପଯୁକ୍ତ ସମର୍ଥନ ମିଳିନଥିବାରୁ ଭାରତ ହାତରୁ ମ୍ୟାଚ୍ ଖସିଯାଇଥିଲା । ସୂର୍ଯ୍ୟଙ୍କ ସମେତ ଭାରତର ଅନ୍ୟ ସବୁ ବ୍ୟାଟର ଫେଲ୍ ମାରିଥିଲେ । ଶ୍ରେୟସ ଆୟର ଦ୍ୱିତୀୟ ଟପ୍ ସ୍କୋରର ଭାବେ ୨୮ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ରିସ୍ ଟପଲେ ୩ଟି ୱିକେଟ୍ ନେଇଥିବା ବେଳେ ଡେଭିଡ୍ ୱିଲି ଓ କ୍ରିସ୍ ଜୋର୍ଡାନ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ ।

୨୧୬ ରନର ବିଶାଳ ବିଜୟଲକ୍ଷ୍ୟର ପିଛା କରିବାକୁ ଯାଇ ଭାରତ ଶୀଘ୍ର ରିଷଭ ପନ୍ତ(୧)ଙ୍କ ୱିକେଟ୍ ହରାଇଥିଲା । ଏହାପରେ କ୍ୟାପଟେନ୍ ରୋହିତ (୧୧) ଓ ବିରାଟ କୋହଲି (୧୧) ମଧ୍ୟ ସଅଳ ପ୍ୟାଭିଲିୟନ୍ ଫେରିଥିଲେ । ଭାରତ ୩୧ ରନରେ ୩ ୱିକେଟ୍ ହରାଇ ଦେଇଥିଲା । ହେଲେ ସୂର୍ଯ୍ୟ ଓ ଆୟର ଚତୁର୍ଥ ୱିକେଟରେ ୧୧୯ ରନ ଯୋଗଦାନ କରି ଭାରତର ଆଶା ଉଜ୍ଜୀବିତ କରିଥିଲେ । ବିଶେଷକରି ସୂର୍ଯ୍ୟକୁମାର ଷ୍ଟାଡିୟମ ଚାରିପଟେ ଛକାଚୌକା ବର୍ଷା କରିଥିଲେ । ତେବେ ଆୟର, ଦିନେଶ କାର୍ତ୍ତିକ (୬) ଓ ରବୀନ୍ଦ୍ର ଜାଡେଜା (୭) ତିନି ଓଭର ମଧ୍ୟରେ ଆଉଟ୍ ହେବା ପରେ ଲକ୍ଷ୍ୟ କଷ୍ଟକର ହୋଇପଡିଥିଲା । ତଥାପି ସୂର୍ଯ୍ୟକୁମାରଙ୍କ ଉପରେ ଆଶା ରହିଥିଲା । କିନ୍ତୁ ୧୯ତମ ଓଭରରେ ତାଙ୍କ ୱିକେଟ୍ ହରାଇବା ପରେ ଭାରତର ଆଶା ମଉଳି ଯାଇଥିଲା ।

ଏହା ପୂର୍ବରୁ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଆଜି ୪ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି।

ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଏବଂ ଅଧିନାୟକ ଜୋସ୍ ବଟଲର ୩୧ ରନ ଯୋଡିଥିଲେ। ବଟଲର ୧୮ ରନ କରି ଅଭେଶ ଖାନଙ୍କ ବଲରେ ଆଉଟ୍ ହୋଇଥିଲେ। ଜାସନ ରୟ ୨୭ ରନ କରିଥିଲେ। ଦଳୀୟ ସ୍କୋର ୮୪ ରନରେ ଫିଲିପ୍ ସ୍ଲଟ(୮) ପାଭିଲିୟନ ଫେରିଥିଲେ। ଏହା ପରେ ଡେଭିଡ୍ ମଲାନ ଏବଂ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ମଲାନ ଅର୍ଦ୍ଧଶତକ ହାସଲ କରିବା ସହିତ ୩୯ ବଲରୁ ୬ ଚୌକା ଏବଂ ୫ ଛକା ଜରିଆରେ ୭୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ମଲାନ ଏବଂ ଲିଭିଙ୍ଗଷ୍ଟୋନ ଚତୁର୍ଥ ଓ୍ଵିକେଟରେ ୮୪ ରନ ଯୋଡିଥିଲେ। ମୋଇନ ଅଲ୍ଲୀ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହେରୀ ବ୍ରୁକ ୧୯ ରନ କରିଥିଲେ। ଶେଷ ଆଡକୁ ଲିଆମ ଲିଭିଙ୍ଗଷ୍ଟୋନ ଦ୍ରୁତ ବ୍ୟାଟିଂ କରି ୪୨ ରନର ଇନିଂସ ଖେଳିବାରୁ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୧୫ ରନ କରି ପାରିଛି। କ୍ରିସ୍ ଜୋର୍ଡାନ ୩ ବଲରୁ ୧୧ ରନ କରିଛନ୍ତି।

ଭାରତ ପକ୍ଷରୁ ରବି ବିଷ୍ଣୋଇ ୩୦ ରନ ଦେଇ ୨ଟି ଓ୍ଵିକେଟ୍ ଏବଂ ହର୍ଷଲ ପଟେଲ୍ ୩୫ ରନ ଦେଇ ୨ଟି ସଫଳତା ପାଇଛନ୍ତି। ଅଭେଶ ଖାନ ଏବଂ ଉମରାନ ମଲିକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।