ରାଜଧାନୀର ସପିଂ ମଲରେ ମାସ୍କ, ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ | News Room Odisha

ରାଜଧାନୀର ସପିଂ ମଲରେ ମାସ୍କ, ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ

ଭୁବନେଶ୍ବର – ରାଜଧାନୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ବିଏମ୍‍ସି ବିଭିନ୍ନ ପଦକ୍ଷେପ ନେଇଛି । ହେଲେ କୋଭିଡ ନିୟମ କୌଣସି ସ୍ଥାନରେ ପାଳନ ହେଉ ନ ଥିବା ଦେଖାଯାଉଛି । ରବିବାର ବିଏମସି ଅଞ୍ଚଳରୁ ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି। ଅନ୍ୟପଟେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିଏମ୍‍ସି ପକ୍ଷରୁ ମଲ୍‍ଗୁଡ଼ିକ ପାଇଁ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି କରାଯାଇଛି। ସପିଂ ମଲ୍‍/ସପିଂ କମ୍ପ୍ଲେକ୍ସ ଓ ବଡ଼ ବାଣିଜ୍ୟିକ ସଂସ୍ଥା ଆଦିରେ ସାନିଟାଇଜିଂ ଓ ଥର୍ମାଲ୍‍ ସ୍କ୍ରିନିଂକୁ ପୂର୍ବରୁ ବାଧ୍ୟତାମୂଳକ କରାଯାଇଛି । ଏ ସମ୍ପର୍କରେ ପୁଣି ଥରେ ବିଏମସି ମନେ ପକେଇ ଦେଇଛି ।

ମଲକୁ ଆସୁଥିବା ଗ୍ରାହକ ଓ କର୍ମଚାରୀ ଯେଭଳି ମାସ୍କ ପିନ୍ଧନ୍ତି ତାହା ସୁନିଶ୍ଟିତ କରାଇବାକୁ ବିଏମ୍‍ସି କହିଛି। ସେହିପରି ମଲ୍‍ ପରିସରରେ ସମସ୍ତଙ୍କ ମଧ୍ୟରେ ୬ ଫୁଟର ଦୂରତା ନିୟମ ମାନିବାକୁ କୁହାଯାଇଛି। ଯେମିତି କୌଣସି ସ୍ଥାନରେ ଅଧିକ ଗହଳି ନ ହୁଏ ଓ କରୋନା କଟକଣା ସମୀକ୍ଷା କରିବା ପାଇଁ ଜଣେ କର୍ମଚାରୀ ନିଯୁକ୍ତ କରିବାକୁ କୁହାଯାଇଛି। ପୂର୍ବରୁ ରାଜଧାନୀରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଭିଡ୍‍ ନିୟମ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହିତ ଜନସାଧାରଣମାନେ ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ଦୂରତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଇଛି। ସେହିପରି ଲୋକମାନେ ସାନିଟାଇଜ୍ କରିବା ସହିତ ଲୋକମାନଙ୍କୁ ବାହାରେ ଛେପ ନ ପକାଇବା ପାଇଁ ପରାମର୍ଶ ଦିଆଯାଇଛି ।