ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‌ | News Room Odisha

ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‌

ଲଣ୍ଡନ:ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି କେନିଙ୍ଗଷ୍ଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ଟି୨୦ ସିରିଜ ବିଜୟ ପରେ ଭାରତ ଦିନିକିଆରେ ମଧ୍ୟ ପ୍ରାଧାନ୍ୟ ବଜାୟ ରଖିବାକୁ ଚାହିଁବ ।

ଟି୨୦ ସିରିଜରେ ଭାରତ ନିର୍ଭୀକ ପ୍ରଦର୍ଶନ କରି ସଫଳ ହୋଇଥିଲା । ଟିମ୍ ଇଣ୍ଡିଆ ଏହି ରଣନୀତି ଦିନିକିଆରେ ମଧ୍ୟ ଆପଣେଇବ ବୋଲି ଆଶା କରାଯାଉଛି । ଏଥିରେ ପରିବର୍ତ୍ତନ ଆଣିବାର କୌଣସି କାରଣ ଦେଖିବାକୁ ପାଉ ନ ଥ‌ିବା ଅଧୂନାୟକ ରୋହିତ ଶର୍ମା ପ୍ରକାଶ କରିଛନ୍ତି। ୨୦୧୯ ବିଶ୍ୱକପ ଜିତିବା ସହିତ ଇଂଲଣ୍ଡ ଦିନିକିଆରେ
ଆଧୂପତ୍ୟ ବିସ୍ତାର କରି ଆସିଛି। ଏହାର କିଛିଟା ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ଆସନ୍ତା ଟି୨୦ ବିଶ୍ବକପ ପୂର୍ବରୁ ଭାରତ ଏହି ୫୦ ଓଭର ବିଶିଷ୍ଟ ଦିନିକିଆ ସିରିଜ ଖେଳିବାକୁ ଯାଉଛି। ତେବେ ଏହାକୁ ସମାନ ଗୁରୁତ୍ଵ ଦିଆ ଯାଉଥ‌ିବା ସମ୍ପର୍କରେ ରୋହିତ ସୂଚନା ଦେଇଛନ୍ତି। କେବଳ ଗୋଟିଏ ଫର୍ମାଟ୍‌ ଖେଳୁଥିବା ଶିଖର ଧାଓ୍ବନଙ୍କ ପରି ଖେଳାଳିଙ୍କ ପାଇଁଇଂଲଣ୍ଡ ଆକ୍ରମଣକୁ ସମ୍ମୁଖୀନ ହେବା ଏକ ଚ୍ୟାଲେଞ୍ଜ ସଦୃଶ। ତେବେ ଦିନିକିଆ ହେଉ କିମ୍ବା ଇଣ୍ଡିଆନ ପ୍ରିମିୟର ଲିଗ୍ ଏହି ଖେଳାଳି ସବୁବେଳେ ଏକାଗ୍ରତା ରଖିବାକୁ ଚେଷ୍ଟା କରିଆସିଛନ୍ତି। ବିରାଟ କୋହଲି ଟି୨୦ରେ ଫର୍ମକୁ ଫେରନ୍ତୁ ବୋଲି ଶହେ କୋଟିରୁ ଊର୍ଦ୍ଧ୍ଵ ଲୋକ ଅପେକ୍ଷା କରିଥିଲେ। ମାତ୍ର ତାହା ସମ୍ଭବ ହୋଇ ନ ଥିଲା । ଦିନିକିଆ ଭିନ୍ନ ଫର୍ମାଟର ଗେମ୍ ହୋଇଥିବାରୁ ସିରିଜରେ ସେ ଅଧ‌ିକରନ୍ ସଂଗ୍ରହ କରନ୍ତୁ ବୋଲି ତାଙ୍କ ପ୍ରଶଂସକମାନେ ଚାହୁଁଛନ୍ତି। ଇଅନ ମୋର୍ଗାନ୍‌ଙ୍କଠାରୁ ଦାୟିତ୍ଵ ନେବାପରେ ଦିନିକିଆରେ ଏହା ହେବ ଅଧିନାୟକ ଜୋସ ବଟଲରଙ୍କର ପ୍ରଥମ ପରୀକ୍ଷା l

ଟି୨୦ର ନୈରାଶ୍ୟ ପରେ ଘରୋଇ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖୁଛି । ବଡ଼ ସ୍କୋର ପାଇଁ ବିଶେଷ ପରିଚିତ ବଟଲର ଟି୨୦ରେ ତାହା କରିପାରି ନଥିଲେ। ତେଣୁ ଦିନିକିଆରେ ସେ ସ୍ଵାଭାବିକ ପ୍ରଦର୍ଶନ ପାଇଁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି। ବର୍ମିଂହାମ ଟେଷ୍ଟ ବିଜୟର ହିରୋ ବେନ୍ ଷ୍ଟୋକ୍ସ, ଜୋ ରୁଟ୍ ଓ ଜନି ବେୟାରଷ୍ଟାଙ୍କ ପ୍ରତ୍ୟାବର୍ତ୍ତନ ପରେ ଇଂଲଣ୍ଡ ଦଳର ଶକ୍ତି ବୃଦ୍ଧି ହୋଇଛି।