ଗଜପତି ଜିଲ୍ଲା ପରିମଳରେ ଭୂସ୍ଖଳନ, ବର୍ତ୍ତିଲେ ୩୫ ପରିବାର | News Room Odisha

ଗଜପତି ଜିଲ୍ଲା ପରିମଳରେ ଭୂସ୍ଖଳନ, ବର୍ତ୍ତିଲେ ୩୫ ପରିବାର

ପାରଳାଖେମୁଣ୍ଡି: ଲଗାଣ ବର୍ଷା ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ରେ ବିପର୍ଯ୍ୟୟ ଘଟାଇଛି। ଏହି ବ୍ଲକ୍ ଅନ୍ତର୍ଗତ ପରିମଳ ପଞ୍ଚାୟତ ନୂଆପଲ୍ଲୀ ଗାଁରେ ଭୂସ୍ଖଳନ ଘଟି ଭୌଗୋଳିକ ସ୍ଥିତି ବଦଳି ଯାଇଥିଲେ ହେଁ ଅଳ୍ପକେ ଗ୍ରାମବାସୀ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଗାଁ ନିକଟ ପାହାଡ଼ରୁ ପ୍ରବଳ ବେଗରେ ବର୍ଷା ପାଣି ସହ ମାଟି ଅତଡ଼ା ଖସି ଗାଁରେ ଅଭାବନୀୟ ଦୃଶ୍ୟ ସୃଷ୍ଟି କରିଛି। ଗାଁ ସାରା ପାଣି, କାଦୁଅରେ ଭରି ଯାଇଛି। ଲୋକଙ୍କ ସାମଗ୍ରୀ, ବାଇକ୍ ଆଦି କାଦୁଅରେ ଭାସି ଯାଇଛି। ଅନେକ କଚ୍ଚା ଘର ଭାଙ୍ଗି ପଡ଼ିଛି। ଲୋକଙ୍କ ଘରକରଣା ସାମଗ୍ରୀ ଭାସି ଯାଇଛି ନଚେତ୍ ମାଟି କାଦୁଅ ତଳେ ପୋତି ହୋଇଯାଇଛି। ଯାତାୟାତ ଠପ୍ ହୋଇ ଯାଇଛି।

ଦୁଇ ଦିନ ହେଲା ଜିଲ୍ଲାତମାମ ବର୍ଷା ଲାଗି ରହିଥିଲେ ହେଁ ଆଜି ସକାଳୁ ପରିମଳ ପଞ୍ଚାୟତରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ନୂଆପଲ୍ଲୀ ଗାଁ ନିକଟସ୍ଥ ପାହାଡ଼ ବର୍ଷା ପାଣିର ପ୍ରବଳ ସୁଅକୁ ସମ୍ଭାଳି ନପାରି ଧସି ଯାଇଥିଲା ଓ ଗାଁ ସାରା ପାଣି, ମାଟି, ପଥର ଖଣ୍ଡ ବିଛାଡ଼ି ହୋଇଯାଇ ଥିଲା। ତେବେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି ଗାଁ ଲୋକ। ନୂଆଗଡ଼ ତହସିଲଦାର, ବିଡିଓ, ଆର୍‌.ଉଦୟଗିରି ଥାନା ପୋଲିସ ଗାଁରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ପରିମଳ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଛନ୍ତି। ସ୍ଥିତି ସୁଧାରିବା ପର୍ଯ୍ୟନ୍ତ ଗାଁର ୩୫ଟି ପରିବାରର ସମସ୍ତ ଲୋକଙ୍କୁ ସେଠାରେ ରଖାଯାଇ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି। ଏଥିସହ ଗାଁରେ କ୍ଷୟକ୍ଷତି ଆକଳନ କରାଯାଇ ଲୋକଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି।