ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା ସହ ଦେଶ ତଥା ବିଶ୍ୱର ବହୁ ସ୍ଥାନରେ ଧାର୍ମିକ ଉଲ୍ଲାସ ଉଦ୍ଦୀପନା ମଧ୍ୟରେ ଏହା ପାଳିତ ହୋଇ ଆସୁଛି l ଭାରତରେ ପୁରୀ ପରେ ପଶ୍ଚିମ ବଙ୍ଗର ହୁଗୁଳି ଜିଲ୍ଲାନ୍ତର୍ଗତ ଶ୍ରୀରାମପୁର ମହେଶ ଜଗନ୍ନାଥ ମନ୍ଦିରରେ ପାଳିତହେଉଥିବା ରଥଯାତ୍ରା ପୁରୁଣା ରଥଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ l ପୁରୀ ବାହାରେ, ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରା ଯାଉଥିବାର ଏହା ହେଉଛି ଏକ ପ୍ରମୁଖ ପୀଠ l ଏଠାରେ ୧୩୯୬ ମସିହା ଠାରୁ ନିୟମିତ ଭାବେ ରଥଯାତ୍ରା ଦୀର୍ଘ ଛଅ ଶହ ବର୍ଷରୁ ଅଧିକ ସମୟ ଧରି ଅନୁଷ୍ଠିତ ହୋଇ ଆସୁଛି l
ଏହି ରଥଯାତ୍ରାରୁ ପ୍ରତୀୟମାନ ହୁଏ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଐତିହାସିକ ଶ୍ରୀକ୍ଷେତ୍ର ଆଗମନର ବହୁ ପୂର୍ବରୁ ବଙ୍ଗଳାରେ ମହାପ୍ରଭୁ ଜଗନ୍ନାଥଙ୍କର ପୂଜାର୍ଚ୍ଚନା ହେଉଛି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମହେଶମନ୍ଦିର ପ୍ରତିଷ୍ଠିତ ହେବାର ବହୁବର୍ଷ ପରେ ଚୈତନ୍ୟ ମହାପ୍ରଭୁ ଏଠାକୁ ପରିଭ୍ରମଣରେ ଆସି ନିଜର ଶିଷ୍ୟ କମଲାକାର ପିପ୍ଲାଇଙ୍କୁ ମନ୍ଦିରର ମୁଖ୍ୟ ପୂଜକ ଭାବେ ନିଯୁକ୍ତ କରିଥିଲେ l ମହେଶ ଜଗନ୍ନାଥ ମନ୍ଦିରକୁ ଶ୍ରୀଚୈତନ୍ୟ ନବ ନୀଳାଚଳ ନାମରେ ଅଭିହିତ କରିଥିଲେ l ମହେଶ ଠାରେ ମହାପ୍ରଭୁ ଜଗନ୍ନାଥଙ୍କର ଆବିର୍ଭାବ କିଭଳିହେଲା ସେ ନେଇ ଏକ ଅପୂର୍ଵ କିମ୍ବଦନ୍ତୀ ରହିଛି l ଏହି କିମ୍ବଦନ୍ତୀ ଅନୁଯାୟୀ, ଏକଦା ବଙ୍ଗଳାର ଜଣେ ସାଧୁ ଶ୍ରୀ ଦ୍ରୁବାନନ୍ଦ ବ୍ରହ୍ମଚାରୀ,ଶ୍ରୀକ୍ଷେତ୍ରକୁ ତୀର୍ଥ ଭ୍ରମଣରେ ଆସିଥିଲେ l ପଣ୍ଡାମାନେ ଦ୍ରୁବାନନ୍ଦଙ୍କ ପରିଚୟ ବିଷୟରେ ସନ୍ଦେହ ପ୍ରକଟ କରି ତାଙ୍କୁ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିବା ପାଇଁ ବାରଣ କଲେ l ଶ୍ରୀଦ୍ରୁବାନନ୍ଦ ଅତ୍ୟନ୍ତ ଭଗ୍ନ ହୃଦୟ ହୋଇ ଆମରଣ ଅନଶନ କରିବାକୁ ସ୍ଥିର କଲେ l ଦୁଇ ଦିନ ଉପବାସରେ ବିତିଗଲା l ତୃତୀୟ ଦିନ ସେ ସ୍ବପ୍ନରେ ଶୁଣିଲେ ମହାପ୍ରଭୁ କହୁଛନ୍ତି ” ଦୃବାନନ୍ଦ ତୁମେ ବଙ୍ଗଳାକୁ ଫେରିଯାଅ,ତୁମେ ପୁଣ୍ୟତୋୟା ଭାଗୀରଥୀ କୂଳରେ ମହେଶ ନାମରେ ଏକ ସ୍ଥାନ ପାଇବ l ସେଠାରେ ମୁଁ ତୁମକୁ ବିରାଟ ବ୍ରହ୍ମଦାରୁ ପଠାଇବି l ସେହି ଦାରୁରେ ତୁମେ ତିନି ଠାକୁର ବଳଭଦ୍ର,ସୁଭଦ୍ରା ଓ ଜଗନ୍ନାଥଙ୍କ ପ୍ରତିମା ନିର୍ମାଣ କରିବ l” ଏହା ଶୁଣିଲା ପରେ ମହେଶକୁ ଫେରି ଆସି ଦ୍ରୁବାନନ୍ଦ ନିଜର ସାଧନା ଆରମ୍ଭ କଲେ l କିଛି ମାସ ପରେ ଏକ ଭୟଙ୍କର ଝଡ଼ ତୋଫାନ ରାତିରେ ଦାରୁବ୍ରହ୍ମ ନଦୀରେ ଭାସୁ ଥିବାର ସେ ଦେଖିଲେ l ଦ୍ରୁବାନନ୍ଦ ପାଣିରୁ ସେହି ଦାରୁମାନଙ୍କୁ ସଂଗ୍ରହ କଲେ ଏବଂ ସେଥିରେ ତିନି ଠାକୁରଙ୍କର ବିଗ୍ରହ ନିର୍ମାଣକରାଇ ଗୋଟିଏ ଛୋଟ ମନ୍ଦିରରେ ସ୍ଥାପନ କଲେ l ଆଜି ପର୍ଯ୍ୟନ୍ତ ସେହି ବିଗ୍ରହ ସବୁ ମହେଶ ମନ୍ଦିରରେ ବିରାଜିତ ଅଛନ୍ତି l
ମହେଶର ବର୍ତ୍ତମାନର ଜଗନ୍ନାଥ ମନ୍ଦିର ପୁରୁଣା ମନ୍ଦିରର ଧ୍ବଂସାବଶେଷ ଉପରେ ନିର୍ମିତ l୧୭୫୫ ମସିହାରେ ଏହି ମନ୍ଦିର ପଥୁରିଆ ଘାଟର ଜଣେ ଭକ୍ତ,ନୟନଚାନ୍ଦ ମଲ୍ଲିକଙ୍କ ଦ୍ବାରା ନିର୍ମିତ lସେତେ ବେଳେ ଏହି ମନ୍ଦିର ନିର୍ମାଣରେ କୋଡିଏ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା l ମୂଳ ୬୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ପ୍ରତିମା ଗୁଡ଼ିକ ସହିତ, ମନ୍ଦିରରେ ପୂଜା ପାଉଛନ୍ତି ନୂତନ ବିଗ୍ରହ l ମୁଳ ବିଗ୍ରହ ମାନଙ୍କୁ ରଥଯାତ୍ରା ସମୟରେ ବାହାରକୁ ନିଆଯାଏ ନାହିଁ, ନୂତନ ପ୍ରତିମା ବ୍ୟବହୃତ ହୁଏ l ଏଠାରେ ଥିବା ଠାକୁର ମାନଙ୍କର ନବ କଳେବର ହୁଏ ନାହିଁ l କେବଳ ପ୍ରତି ବାରବର୍ଷରେ ଥରେ ବିଗ୍ରହ ମାନଙ୍କ ଅଙ୍ଗରାଗକରି ପୁନଃ ଅଭିଷେକ କରାଯାଇଥାଏ l ସ୍ନାନ ଯାତ୍ରାର ଦୁଇ ଦିନ ପରେ ବା ରଥ ଯାତ୍ରାର ଦୁଇ ସପ୍ତାହ ପୂର୍ବରୁ ଏହି ଅଙ୍ଗରାଗ ସମାରୋହ ଅନୁଷ୍ଠିତ ହୋଇଥାଏ l
ମନ୍ଦିରର ପୁରୋହିତମାନେ ବଂଶାନୁକ୍ରମିକ ଭାବେ ପୂଜା କରି ଆସୁଛନ୍ତି l ଏଠାରେ ସେବାୟତମାନେ ‘ଅଧିକାରୀ’ ସଂଜ୍ଞା ଧାରୀ l ମହେଶର ରଥ ଯାତ୍ରା ପାଇଁ ପ୍ରତିବର୍ଷ ନୂଆ ରଥ ପ୍ରସ୍ତୁତ ହୋଇ ନଥାଏ l ଗୋଟିଏ ସ୍ଥାୟୀ ରଥକୁ ପ୍ରତିବର୍ଷ ଆବଶ୍ୟକ ସାଜ ସଜ୍ଜା ଓ ମରାମତି ପରେ ବ୍ୟବହାର କରା ଯାଏ l ୧୭୯୭ମସିହାରେ ଭକ୍ତ କୃଷ୍ଣରାମ ବସୁ ପ୍ରତିବର୍ଷ ରଥଯାତ୍ରା ପାଇଁ ଏକ ବଡ଼ରଥ ମହାପ୍ରଭୁଙ୍କୁ ଦାନ କରିଥିଲେ l ଏହି ରଥ କିଛିବର୍ଷ ବ୍ୟବହାର ପରେ ଜଳିଗଲା ଏବଂ ପରବର୍ତ୍ତୀ ପଚାଶ ବର୍ଷରେ ଆଉ ଦୁଇଗୋଟି ରଥ ମଧ୍ୟ ସେହି ଭାଗ୍ୟର ସମ୍ମୁଖୀନ ହେଲେ l ୧୮୮୫ ମସିହାରେ ବର୍ତ୍ତମାନର ରଥକୁ ମାର୍ଟିନ ବର୍ଣ୍ଣ କମ୍ପାନି ଦ୍ବାରା ଦେୱାନ କୃଷ୍ଣଚନ୍ଦ୍ରଙ୍କ ସହାୟତାରେ ନିର୍ମାଣ କରା ଯାଇଥିଲା l ନିର୍ମାଣ ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା l ଏବେକାର ଏହି ରଥଟି ଚାରିମହଲା ବିଶିଷ୍ଟ,୫୦ ଫୁଟ ଉଚ୍ଚ ଏବଂ ଲୁହା ଓ କାଠରେ ନିର୍ମିତ l ଏହି ରଥରେ ୧୨ ଟି ଚକ ରହିଛି l ଓଜନ ପ୍ରାୟ ୧୨୫ ଟନ୍ l ଏଠାରେ ରଥଯାତ୍ରାର ଗୋଟିଏଦିନ ପୂର୍ବରୁ ଶ୍ରୀଜଗନ୍ନାଥଙ୍କୁ ରାଜା ଭାବେ ଶପଥ ଗ୍ରହଣ କରା ଯାଇଥାଏ l ପୂର୍ବଦିନ ଠାକୁରଙ୍କର ବିଗ୍ରହ ମାନଙ୍କୁ ରଥର ସର୍ବୋଚ୍ଚ ମହଲା ଉପରେ ରଖା ଯାଏ l
ଏଠାରେ ରଥଯାତ୍ରା ଏକ ସପ୍ତାହ ବ୍ୟାପି ପାଳିତ ହୋଇଥାଏ l ଯାତ୍ରାରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥାଏ l ବଙ୍ଗଳାର ଅନ୍ୟ ଦୁଇଟି ପ୍ରମୁଖ ରଥଯାତ୍ରା ହେଉଛି ଗୁପ୍ତିପଡ଼ା ରଥଯାତ୍ରା ଓ ଧାମରାଇର ରଥଯାତ୍ରା l
ଏଠାରେ ଏକ ନିଆରା ପରମ୍ପରା ହେଉଛି, ରଥ ଠାକୁର ମାନଙ୍କୁ ଧରି ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଥିଲାବେଳେ ଗୋଟିଏ ଭଦଭଦଳିଆ ପକ୍ଷୀକୁ ରଥ ଉପରେ ରଖିଦିଆ ଯାଏ l ପକ୍ଷୀଟି ଉଡ଼ିଗଲା ପରେ ରଥ ଟଣା ଆରମ୍ଭ ହୁଏ l
ମହେଶ ରଥଯାତ୍ରା ଶ୍ରୀ ରାମକୃଷ୍ଣ ପରମହଂସ ଓ ମା’ଶାରଦା ଦେବୀ ତଥା ବଙ୍ଗଳାର ବହୁ ପ୍ରଖ୍ୟାତ ବ୍ୟକ୍ତି ଦର୍ଶନ କରିଛନ୍ତି l ପ୍ରଖ୍ୟାତ ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ତାଙ୍କର ଅତି ପ୍ରସିଦ୍ଧ ଉପନ୍ୟାସ ‘ରାଧାରାଣୀ’ରେ ମହେଶ ରଥଯାତ୍ରାର ମନୋଜ୍ଞ ବର୍ଣ୍ଣନା କରିଛନ୍ତି l ତାଙ୍କ ଉପନ୍ୟାସର ନାୟିକା ରାଧାରାଣୀ ମହେଶ ରଥଯାତ୍ରାରେ ହଜି ଯାଇ ତା’ର ପ୍ରେମିକଠାରୁ ଅଲଗା ହୋଇଯାଇଛି, ଏବଂ ବହୁ ନିର୍ଯ୍ୟାତନାର ଶିକାରହୋଇଛି l ପରେ ନାଟକୀୟ ଭାବରେ ପୁନଃ ତାହାର ପ୍ରେମିକ ସହ ମିଳନ ହୋଇଛି l ଏହି ଉପନ୍ୟାସ ଆବେଗଭରା ଏକ ପ୍ରାଣସ୍ପର୍ଶୀ ଉପନ୍ୟାସ l ଏପରିକି ଲୋକେ ବିଶ୍ୱାସ କରନ୍ତି,ମହେଶ ରଥଯାତ୍ରାରେ ସେହି ଝିଅ ରାଧାରାଣୀର କରୁଣ ଓ ବୁକୁଫଟା କ୍ରନ୍ଦନ ଏବେ ମଧ୍ୟ ଶୁଣା ଯାଇଥାଏ l
( ସଂଗୃହିତ )