ଭୁବନେଶ୍ୱର – ସଂସଦର ବର୍ଷାକାଳୀନ ଅଧିବେଶନରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗ ଉଠାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ଆସନ୍ତା ୧୮ ତାରିଖରେ ଆରମ୍ଭ ହେବାକୁ ଥିବା ସଂସଦର ଅଧିବେଶନ ପୂର୍ବରୁ ଆଜି ଭର୍ଚୁଆଲ ମୋଡ୍ ରେ ବିଜେଡି ସଂସଦୀୟ ଦଳ ବୈଠକକୁ ସମ୍ବୋଧନ କରିଛନ୍ତି ନବୀନ ପଟ୍ଟନାୟକ। ୫ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଉଷୁନା ଚାଉଳ ଉଠାଣ, ୫୮ ପ୍ରତିଶତରୁ କମ ଗ୍ରେଡ ଲୁହାପଥର ଉପରୁ ବହିଃଶୁଳ୍କ ପ୍ରତ୍ୟାହାର, ବାତ୍ୟା ଫନୀ ପ୍ରଭାବିତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ଓ ପଡିରହିଥିବା ରେଳ ପ୍ରକଳ୍ପ ପ୍ରସଙ୍ଗ ଜୋରଦାର ଭାବେ ଉଠାଇବାକୁ ଦଳୀୟ ସାଂସଦଙ୍କୁ କହିଛନ୍ତି ବିଜେଡି ସୁପ୍ରିମୋ।ଏହାଛଡା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ, ବିଧାନସଭା ଓ ସଂସଦର ଉଭୟ ଗୃହରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ବର୍ଷାକାଳୀନ ଅଧିବେଶନରେ ଉଠାଇବାକୁ ବିଜେଡି ସାଂସଦଙ୍କୁ ଆହ୍ବାନ ଦେଇଛନ୍ତି ନବୀନ ପଟ୍ଟନାୟକ।