ରଣପୁରରେ ଶ୍ରୀଜଗନ୍ନାଥ ମନ୍ଦିର, ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର | News Room Odisha

ରଣପୁରରେ ଶ୍ରୀଜଗନ୍ନାଥ ମନ୍ଦିର, ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ଦେବତା l ସମଗ୍ର ବିଶ୍ୱର କୋଣାନୁକୋଣରେ ମହାପ୍ରଭୁଙ୍କର ମନ୍ଦିର ଅଧୁନା ନିର୍ମାଣ ହୋଇଛି ଓ ମହାପ୍ରଭୁଙ୍କର ପୂଜାର୍ଚ୍ଚନା ଚାଲିଛି l ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଆବିର୍ଭାବ ଓ ସ୍ଥାପନାବିଷୟରେ ଅଲୌକିକ କଥା କାହାଣୀମାନ ଶୁଣାଯାଏ l ତନ୍ମଧ୍ୟରୁ ଶ୍ରୀଜଗନ୍ନାଥ ମନ୍ଦିର,ରଣପୁରର କାହାଣୀ ଅନ୍ୟତମ lଏଠାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସଙ୍ଗ ଆଲୋଚନା କଲେ ମନେ ପଡ଼ନ୍ତି ଭକ୍ତ,ରାଜା ଉଦ୍ଧବ ନରେନ୍ଦ୍ର l ଶ୍ରୀଜଗନ୍ନାଥ ଓ ମାଆ ଶ୍ରୀମହାଲକ୍ଷ୍ମୀଙ୍କ ନିକଟରେ ଅଧିଆ ପଡ଼ିବା ଏବଂ ତାଙ୍କର ସ୍ୱପ୍ନାଦେଶ ବଳରେ ରଣପୁରରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ହେବା କଥା ରଣପୁର ଇତିହାସରୁ ଜଣାପଡ଼ି ଥାଏ l

ଐତିହାସିକ କିମ୍ବଦନ୍ତୀରୁ ଜଣାଯାଏ ରାଜା ଉଦ୍ଧବ ନରେନ୍ଦ୍ର ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ନିକଟରେ ସାତଦିନ ବ୍ୟାପି ଅଧିଆ ପଡ଼ିବାରୁ ଭକ୍ତ ଉପରେ ସନ୍ତୁଷ୍ଟ ହୋଇ ଠାକୁର ଏଠାକୁ ଆସିଥିଲେ ଏବଂ ୧୫୦୧-୦୨ଖ୍ରୀଷ୍ଟାବ୍ଦରେ ରଣପୁରରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା l ଏହା ଶ୍ରୀକ୍ଷେତ୍ରକୁ ବାଦ ଦେଲେ ଓଡ଼ିଶାର ସର୍ବ ପୁରାତନ ଜଗନ୍ନାଥ ମନ୍ଦିର l ତେଣୁ ଏହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ଅଭିହିତ କରାଯାଏ l ରଣପୁର ସହର ନିକଟସ୍ଥ ମଣିନାଗ ପର୍ବତର ଦକ୍ଷିଣପଶ୍ଚିମ କୋଣରେ ଥିବା ଦୁଇଟି ପର୍ବତର ନାମ ଧାନୀ ଏବଂ ଗୋଉଣିଆ l ଲୋକ ବିଶ୍ୱାସ ରହିଛି ଧାନୀ ପର୍ବତ ହେଉଛି ମା’ ଲକ୍ଷ୍ମୀଙ୍କର ଧାନ ଘର ଏବଂ ତା’ ନିକଟରେ ଥିବା ଗୋଉଣିଆ ପର୍ବତ ହେଉଛି ଧାନ ମପା ଗୋଉଣିl

ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳ ଥିଲା ଖ୍ରୀ ୧୪୯୭ ରୁ ୧୫୪୦ l ତାଙ୍କ ରାଜତ୍ୱ କାଳରେ ରଣପୁରର ରାଜା ଥିଲେ ଉଦ୍ଧବ ନରେନ୍ଦ୍ର l ତାଙ୍କ ରାଜତ୍ୱ କାଳ ଥିଲା ଖ୍ରୀ ୧୪୯୪ରୁ ୧୫୧୭l ସେ ଥିଲେ ଶ୍ରୀଜଗନ୍ନାଥଙ୍କ ଜଣେ ପରମ ଭକ୍ତ l ସେ ପ୍ରତି ଦିନ ଶ୍ରୀକ୍ଷେତ୍ର ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ l ଏହି ରାଜବଂଶ ସହିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ସମ୍ପର୍କ ନିବିଡ଼ l ବଂଶର ପୂର୍ବଜ ବିଶ୍ୱାବସୁ କଣ୍ଟିଲୋ ଠାରେ ନୀଳମାଧବଙ୍କୁ ପୂଜା କରୁଥିଲେ l ପ୍ରଭୁ ସେଠାରୁ ଅନ୍ତର୍ଦ୍ଧାନ ହୋଇଯିବା ପରେ ଭକ୍ତ ବିଶ୍ୱାବସୁଙ୍କୁ ସ୍ୱପ୍ନାଦେଶ ହୋଇଥିଲା ସେ ଓ ତାହାର ଦୟାଦ ମାନେ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କୁ ପୂଜା କରିବେ ଏବଂ ତା’ର ଭାଇ ଶ୍ରୀ ବିଶ୍ୱବାସବ,ନୀଳମାଧବ ପୂଜାହେଉଥିବା ଆସ୍ଥାନ ଚକାଶିଳାକୁ ନେଇ ପୂଜାକରିବ ଓ ରଣାସୁରପୁର, ରଣପୁରରେ ରାଜୁତି କରିବ l ସେହି ଚକାଶିଳାଟି ଉପରେ ରଣପୁର ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗ ବିଜେ କରିଛନ୍ତି l ସେତେବେଳେ ପୁରୀ ରଣପୁର ମଧ୍ୟରେ ଦୂରତା ପ୍ରାୟ ୮୦ କି.ମି ଥିଲା l ଯାତାୟାତ ନିମନ୍ତେ ସଡ଼କ କିମ୍ବା ଯାନ ବାହନର ସୁବିଧା ନ ଥିଲା l ରାଜରାଜୁଡାମାନେ ଯାତ୍ରା ପାଇଁ ଅଶ୍ୱ କିମ୍ବା ହସ୍ତୀ ବ୍ୟବହାର କରୁଥିଲେ l ପାଲିଙ୍କି ମଧ୍ୟ ବେଳେ ବେଳେ କମ ଦୂରବର୍ତ୍ତୀ ସ୍ଥାନମାନଙ୍କୁ ଯିବା ପାଇଁ ବ୍ୟବହାର ହେଉଥିଲା l ରାଜା ଉଦ୍ଧବ ପ୍ରତିଦିନ ସ୍ନାନ ସାରି ଅଶ୍ୱାରୋହଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଥିଲେ l ରଣପୁରରୁ ଯେଉଁ ଅଶ୍ୱଟି ଯାଇଥାଏ ତାକୁ ଜଙ୍କିଆ ଗଡ଼ସାହିଠାରେ ବିଶ୍ରାମ ଦିଆ ଯାଏ l ଜଙ୍କିଆ ଗଡ଼ସାହି ରଣପୁର ରାଜ୍ୟର ପୂର୍ବଦିଗ ସୀମାଥିଲା l ସେଠାରେ ଥିବା ଅଶ୍ୱଶାଳରୁ ଅନ୍ୟ ଏକ ଅଶ୍ୱ ନେଇ ମହାପ୍ରଭୁଙ୍କ ଦର୍ଶନ ସମାପ୍ତ କରି ପୁରୀସ୍ଥ ରଣପୁର କୋଠିରୁ ଅନ୍ୟ ଏକ ଅଶ୍ୱରେ ଜଙ୍କିଆ ଗଡ଼ସାହି ପର୍ଯ୍ୟନ୍ତ ରାଜା ଫେରୁଥିଲେ l
ଦିନେ ନଈବଢି ହେବାରୁ ରାଜା ଆଉ ପୁରୀ ଯାଇ ପାରିଲେ ନାହିଁ l ଭକ୍ତ ଉଦ୍ଧବ ଖୁବ ଦୁଃଖ କଲେ l ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନ କଲେ ସେ ଜଳ ସୁଦ୍ଧା ସ୍ପର୍ଶ କରୁ ନଥିଲେ l ଏଣୁ ସେଦିନ ରାଜା ସମ୍ପୂର୍ଣ ଉପବାସରେ ରହିଲେ l ନଈ ବଢି ଛାଡ଼ି ଯିବାରୁ ରାଜା ପରଦିନ ଯାତ୍ରାକରି ପୁରୀରେ ପହଞ୍ଚିଲେ l ଅନ୍ନ ଜଳ ସ୍ପର୍ଶ ନ କରି କଳ୍ପବଟ ମୂଳେ ସାତଦିନ ପର୍ଯ୍ୟନ୍ତ ଅଧିଆ ପଡ଼ିଲେ l ପ୍ରଭୁ ଜଗନ୍ନାଥ ଭକ୍ତର କାତର ପ୍ରାର୍ଥନା ଶୁଣିଲେ lଉଦ୍ଧବଙ୍କୁ ପ୍ରଭୁଙ୍କ ଦୈବ ବାଣୀ ହେଲା ଶ୍ରୀଜଗନ୍ନାଥଙ୍କର ଷୋହଳକଳାରୁ ଏକ କଳା ରଣପୁର ଯିବ ଏବଂ ରାଜା ସେଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କରି ପୂଜାରଧନା କରିବେ l ଗଜପତି ମହାରାଜା ପ୍ରତାପରୁଦ୍ରଦେବ ଙ୍କୁ ମଧ୍ୟ ସେହି ଏକା ସ୍ୱପ୍ନାଦେଶ ହେଲା lଗଜପତି ବାରବାଟୀ କଟକରୁ ହସ୍ତୀ ଆରୋହି ଆସି ଭକ୍ତ ଉଦ୍ଧବଙ୍କୁ ଶ୍ରୀମନ୍ଦିରରେ ଆଲିଙ୍ଗନ କରି ନଅରକୁ ପାଛୋଟି ନେଲେ ଏବଂ ଶିରରେ ଶିରିପା ବନ୍ଧନ ପୂର୍ବକ ନରେନ୍ଦ୍ର ଉପାଧି ପ୍ରଦାନକଲେ l ସେହିଦିନ ଠାରୁ ରଣପୁର ରାଜା ପରିଚିତ ହେଲେ ଉଦ୍ଧବ ନରେନ୍ଦ୍ର ନାମରେ l ତତ୍ପରେ ଗଜପତି ପ୍ରତାପରୁଦ୍ର ଦେବ ଶ୍ରୀଜଗନ୍ନାଥଙ୍କ ଜନ୍ମବେଦୀ ଗୁଣ୍ଡିଚା ଘରେ ଥିବା ମାଧବ ମୂର୍ତ୍ତିଙ୍କୁ ରାଜା ଉଦ୍ଧବ ନରେନ୍ଦ୍ରଙ୍କୁ ପ୍ରଦାନ କଲେ l ମାଧବ ମୂର୍ତ୍ତିକୁ ଧରି ଉଦ୍ଧବ ନିଜ ରାଜ୍ୟ ରଣପୁର ଫେରି ଆସିଲେ ଏବଂ ଏଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସ୍ଥାପନ କଲେ l ଶ୍ରୀକ୍ଷେତ୍ର ଗୁଣ୍ଡିଚା ମନ୍ଦିରରୁ ଆନୀତ ସେହି ମାଧବ ମୂର୍ତ୍ତି ପରବର୍ତ୍ତୀ କାଳରେ ରଣପୁର ରାଜା ଶାରଙ୍ଗଧର ବଜ୍ରଧର ନରେନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସ୍ଥାନାନ୍ତରିତ ହୋଇ ଚମ୍ପାଗଡ଼ରେ ପୂଜା ପାଉଛନ୍ତି ବୋଲି ଜଣା ଯାଏ l ଆହୁରି ମଧ୍ୟ କଥିତ ହୁଏ କି ଏହି ମାଧବ ମୂର୍ତ୍ତିଙ୍କୁ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚା ବାଡ଼ିରେ ସ୍ଥାପନ କରିଥିଲେ l

ରାଜା ଉଦ୍ଧବ ନରେନ୍ଦ୍ର ରଣପୁରଗଡ଼ରେ ଜଗନ୍ନାଥ ମନ୍ଦିର ୧୫୦୧ରୁ ୧୫୦୨ଖ୍ରୀ.ଅ.ମଧ୍ୟରେ ନିର୍ମାଣ କରିଥିଲେ l ଶ୍ରୀଜଗନ୍ନାଥଙ୍କ ଷୋହଳକଳା ମଧ୍ୟରୁ ଏକ କଳା ରଣପୁର ଆସିଥିବାରୁ ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ପୂଜା ବିଧିମାନ ଏଠାରେ ପାଳନ ହୁଏ l ମହାପ୍ରଭୁଙ୍କର ବିଭିନ୍ନ ବେଶ ପୁରୀ ଶ୍ରୀମନ୍ଦିର ପ୍ରଥାନୁସାରେ ଏଠାରେ ମଧ୍ୟ ଅନୁଷ୍ଠିତ ହୋଇ ଥାଏ l ଶ୍ରୀମନ୍ଦିରର ସମସ୍ତ ପର୍ବ ପର୍ବାଣି ମଧ୍ୟ ଏଠାରେ ପାଳନ କରାଯାଏ l

ରଣପୁରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠାପରେ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଆବଶ୍ୟକ ହେଲା l ଏଣୁ ଭକ୍ତ ରାଜା ଉଦ୍ଧବ ନରେନ୍ଦ୍ର ଶ୍ରୀକ୍ଷେତ୍ର ଯାଇ ମହାଲକ୍ଷ୍ମୀଙ୍କ ପାଖରେ ଅଧିଆ ପଡ଼ିଲେ l ଜଗତ ଜନନୀ ମା’ଲକ୍ଷ୍ମୀ ରାଜାଙ୍କ ଭକ୍ତିରେ ପ୍ରସନ୍ନହୋଇ ରଣପୁରଗଡ଼ ଆଗମନ କରିବେ ବୋଲି ପ୍ରତିଶୃତି ଦେଲେ l ତାପରେ ରଣପୁର ଜଗନ୍ନାଥ ମନ୍ଦିରରେ ମହାଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରା ଯାଇଥିଲା l ମା’ମହାଲକ୍ଷ୍ମୀ ରାଜା ଉଦ୍ଧବଙ୍କୁ ବର ଦେଇଥିଲେ, ପ୍ରତିବର୍ଷ ମାଘ ପୂର୍ଣ୍ଣମୀ ରାତ୍ରରେ ଏକ ଶକଟରେ ସାତଗୋଟି ସ୍ୱର୍ଣ୍ଣ ନିର୍ମିତ କାକରା ରାଜ ନଅରକୁ ଆସିବ l ଏହି ବର ଯୋଗୁଁ ରାଜ ପରିବାର ପ୍ରତି ବର୍ଷ ମାଘ ପୂର୍ଣ୍ଣମୀ ଦିନ ନିଷ୍ଠାର ସହ ଧନଦାତ୍ରୀ ମା’ ମହାଲକ୍ଷ୍ମୀଙ୍କ ଆରାଧନା କରି ସୁବର୍ଣ୍ଣ କାକରା ପାଉଥିଲେ l ଫଳରେ ରାଜଭଣ୍ଡାର ଧନଧାନ୍ୟରେ ପରିପୂର୍ଣ୍ଣ ଥିଲା l ଏ ବିଧି ରାଜା ଉଦ୍ଧବ ନରେନ୍ଦ୍ରଙ୍କ ପରେ ଚନ୍ଦ୍ରଶେଖର ନରେନ୍ଦ୍ର,ମୁକୁନ୍ଦ ନରେନ୍ଦ୍ର ଓ ରାମଚନ୍ଦ୍ର ନରେନ୍ଦ୍ରଙ୍କ ପର୍ଯ୍ୟନ୍ତ ନିଷ୍ଠା ସହକାରେ ପାଳିତ ହେଉଥିଲା ଓ ପ୍ରତିବର୍ଷ ସାତଗୋଟି ସ୍ୱର୍ଣ୍ଣ କାକରା ମାଘ ପୂର୍ଣ୍ଣମୀ ଦିନ ରାଜ ନଅରକୁ ପ୍ରାପ୍ତ ହୋଇ ଆସୁଥିଲା l ପରବର୍ତ୍ତୀ ରାଜାଙ୍କ ସମୟରେ ପୂଜା ବିଧିରେ ନିଷ୍ଠାର ଅଭାବ ହେବାରୁ ଏହି ସୁନା କାକରା ଆସିବା ବନ୍ଦ ହୋଇ ଗଲା l ରଣପୁରର ଇତିହାସ,ରଣପୁର ରାଜ ବଂଶାବଳୀ ଇତିହାସରୁ ଏକଥା ଜଣା ପଡ଼ିଥାଏ l

ରଣପୁରଗଡରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପରେ ଅନ୍ୟ ଯାଗାରେ ରାଜା ମହାରାଜା ମାନେ ସେମାନଙ୍କ ରାଜ୍ୟରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି lଶ୍ରୀକ୍ଷେତ୍ର ବାହାରେ ରଣପୁର ଜଗନ୍ନାଥ ମନ୍ଦିର ପ୍ରଥମ ହୋଇଥିବାରୁ, ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଏହା ପରିଚିତ ହୁଏ l ବାରିପଦାରେ ରାଜା ବୈଦ୍ୟନାଥ ଭଂଜ ୧୫୭୫ ଖ୍ରୀଷ୍ଟାବ୍ଦରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି l ପରେ କେନ୍ଦୁଝର ଗଡ଼, ପାରଳାଖେମୁଣ୍ଡି, ଖଣ୍ଡପଡ଼ା, ଢେଙ୍କାନାଳ, ନୟାଗଡ଼ବଡ଼ମ୍ବା, ତିଗିରିଆ, ନରସିଂହପୁର, ଆଠଗଡ଼, ଦଶପଲ୍ଲା, ଅନଗୁଳ, କୋରାପୁଟ ଆଦି ବହୁ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି l

ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ରୂପ ଶ୍ରୀ ନୀଳମାଧବଙ୍କ ପରମ ଭକ୍ତ ବିଶ୍ୱାବସୁଙ୍କ ଦାୟାଦ ଗଣ ଜଗନ୍ନାଥ ଧାମ ପୁରୀରେ ଦଇତା ପତି ଭାବେ ମହାପ୍ରଭୁଙ୍କ ସେବାର ସୁଯୋଗ ପାଇଥିବା ବେଳେ ବିଶ୍ୱାବସୁର ସାନ ଭାଇ ବିଶ୍ୱବାସବର ଦାୟାଦଗଣ ରଣପୁର ଠାରେ ମହାପ୍ରଭୁଙ୍କ ସେବା ପୂଜା କରୁଛନ୍ତି l କପିଳ ସଂହିତାର ମଣିନାଗ ସମ୍ପାତ୍ତରେ ରଣପୁର ଏକ ପ୍ରସିଦ୍ଧ ବିଷ୍ଣୁକ୍ଷେତ୍ର ବୋଲି ବର୍ଣ୍ଣନା ରହିଛି :-

ଗୁପ୍ତଂ ବିଷ୍ଣୁସ୍ଥଳଂ ତତ୍ତୁ ମଣିନାଗାଦି ଚିହ୍ନିତମ୍
ନୀଳ ଶୈଳସ୍ୟ ସଂ ସର୍ଗାତ୍ ଗୁପ୍ତ ତଂ ପୁରୁଷୋତ୍ତମ ll
ରଣପୁର ରାଜବଂଶର ଧର୍ମପ୍ରାଣ ରାଜା, ପଦ୍ମନାଭ ନରେନ୍ଦ୍ର ଶ୍ରୀକ୍ଷେତ୍ରରେ ନରେନ୍ଦ୍ର ପୁଷ୍କରିଣୀ ନିର୍ମାଣ କରି ଯୁଗଯୁଗ ପାଇଁ କିର୍ତ୍ତୀ ସ୍ଥାପନ କରିଯାଇଛନ୍ତିl ପଦ୍ମନାଭ ଶ୍ରୀମନ୍ଦିରରେ କଳ୍ପବଟ ମୂଳ ପର୍ଯ୍ୟନ୍ତ ପାଲିଙ୍କିରେ ଯିବାର ରାଜାଧିକାର ପାଇ ଥିଲେ l ନିଃସନ୍ଦେହରେ ଏହା କୁହାଯାଇ ପାରେ,ଶ୍ରୀକ୍ଷେତ୍ର ସହ ବହୁ କାଳ ଧରି ରଣପୁର ଗଡ଼ର ଆଧ୍ୟାତ୍ମିକ ସମ୍ପର୍କ ରହି ଆସିଛି l ଶ୍ରୀଚୈତନ୍ୟ ମହାପ୍ରଭୁ ଓ ମହାପୁରୁଷ ଅଚ୍ୟୁତାନନ୍ଦ ରଣପୁରକୁ ଆସିଥିଲେ ଏବଂ ଏଠାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ବୋଲି ଐତିହାସିକ ବର୍ଣ୍ଣନା ରହିଛି l ମହାପୁରୁଷ ଅଚ୍ୟୁତାନନ୍ଦ ରଣପୁରର ଅଦୂରରେ ସ୍ଥିତ ଗ୍ରାମ ମଝିଆଖଣ୍ଡରେ ଦୀର୍ଘ ସାତବର୍ଷ ସାଧନାରେ ରହି ହରିବଂଶ ପୁରାଣ ଲେଖିଥିଲେ l ରଣପୁରଗଡ଼ରେ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଦେବୀ ମଣିନାଗଙ୍କ ଅବସ୍ଥିତି ଏହାକୁ ଏକ ପ୍ରମୁଖ ଆଧ୍ୟାତ୍ମିକ କ୍ଷେତ୍ରର ପରିଚିତି ଦେଇଛି l ମାଆ ମଣିନାଗ ରଣପୁରର ଅଧିଷ୍ଠାତ୍ରୀ ଦେବୀ l ମା’ମଣିନାଗ ସର୍ପଫଣାକୃତି ଦୃଶ୍ୟମାନ ରଣପୁରର ମୈନାକ ପର୍ବତରେ ବିଜେ କରିଛନ୍ତି l l