ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ଆହୁରି ୨୪ ଘଣ୍ଟା ବର୍ଷିବ, ୧୯ରୁ ଶୁଖିଲା ପାଗ | News Room Odisha

ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ଆହୁରି ୨୪ ଘଣ୍ଟା ବର୍ଷିବ, ୧୯ରୁ ଶୁଖିଲା ପାଗ

ଭୁବନେଶ୍ୱର – ସକ୍ରିୟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ହାତୀ, ତେଲ, ରେତ ଓ ବଂଶଧାରା ନଦୀର ଜଳସ୍ତର ବଢ଼ିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ରାଜ୍ୟର ଅଧିକାଂଶ ସ୍ଥାନରେ ଆହୁରି ୨୪ ଘଣ୍ଟା ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉପକୂଳ ଓଡ଼ିଶାରେ ଲଘୁଚାପ ବଳୟ ସକ୍ରିୟ ରହିଛି ଓ ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏ ଲମ୍ବିଛି। ଏହାର ପ୍ରଭାବରେ ଶନିବାର ଭୋର୍‌ ୪ଟାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଭୁବନେଶ୍ବର ଓ କଟକ ସହରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି। ଉପକୂଳ ଓଡ଼ିଶା ଉପରେ ରହିଥିବା ଲଘୁଚାପ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି। ଆଜି ଓ ଆସନ୍ତାକାଲି ରାଜ୍ୟର ଅଳ୍ପ କିଛି ଜିଲ୍ଲାରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ୧୯ ତାରିଖଠାରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।