ମନେ ପଡ଼ିଗଲା ତିତଲି ବିଭୀଷିକା, ତତ୍ପରତା ଦେଖାଇଲା ଗଜପତି ଜିଲ୍ଲା ପ୍ରଶାସନ | News Room Odisha

ମନେ ପଡ଼ିଗଲା ତିତଲି ବିଭୀଷିକା, ତତ୍ପରତା ଦେଖାଇଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ସପ୍ତାହକ ମଧ୍ୟରେ ଦ୍ଵିତୀୟ ଭୂସ୍ଖଳନ ଘଟଣା ଗଜପତି ଜିଲ୍ଲାବାସୀଙ୍କୁ ପୁଣି ୨୦୧୮ ତିତ୍‌ଲି ବାତ୍ୟାର ବିଭୀଷିକାକୁ ମନେ ପକାଇ ଦେଇଛି। ଯଦିଓ ପ୍ରାକୃତିକ ବିପର୍ଯ୍ୟୟ ଆଗରେ ମାନବର ପ୍ରତିରୋଧ କ୍ଷମତା ଯେ ସୀମିତ ତାହା ସମସ୍ତଙ୍କୁ ଜଣା, ତଥାପି ୨୦୧୮ରେ ୪୯ ଜଣଙ୍କ ଜୀବନ ଯାଇଥିଲା। ଏଥର କିନ୍ତୁ ଜଣଙ୍କ ମଧ୍ୟ ପ୍ରାଣହାନୀ ହୋଇନାହିଁ। ଅପରପକ୍ଷରେ ଗଜପତି ଜିଲ୍ଲା ପ୍ରଶାସନ ଲୋକଙ୍କ ଥଇଥାନ ପାଇଁ ତତ୍ପରତା ଦେଖାଇ ସେମାନଙ୍କ ନିକଟରେ ଠିକ୍ ସମୟରେ ସହାୟତା ପହଞ୍ଚାଇଛି। ପୀଡ଼ିତଙ୍କ ନିକଟରେ ପହଞ୍ଚିଛନ୍ତି ପ୍ରଶାସନିକ ଅଧିକାରୀ।

ପ୍ରବଳ ଓ ଲଗାଣ ବର୍ଷା ବିତ୍ପାତ ପୁଣି ଥରେ ଅନୁଭବ କରିଛନ୍ତି ଗଜପତି ଜିଲ୍ଲାବାସୀ। ଗତ ୧୨ ତାରିଖ ଭୋର୍‌ରେ ନୂଆଗଡ଼ ବ୍ଲକ୍ ପରିମଳ ପଞ୍ଚାୟତ ନୂଆପଲ୍ଲୀ ଗାଁରେ ନିକଟସ୍ଥ ପାହାଡ଼ରୁ ମାଟି ଅତଡ଼ା ଖସି ବେଶ୍ କ୍ଷୟକ୍ଷତି ଘଟାଇଥିଲା। ପାହାଡ଼ରୁ ପ୍ରବଳ ସୁଅରେ ଗାଁ ଭିତରକୁ ପଶି ଆସିଥିଲା ବର୍ଷା ପାଣି, ମାଟି କାଦୁଅ, ପଥର ଓ ଗଛ ଆଦି। ବଡ଼ କଥା ଥିଲା ଏତେ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ ସମସ୍ତ ଗ୍ରାମବାସୀ। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ, ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଗାଁର ପ୍ରାୟ ୩୫ ପରିବାରର ଅଢ଼େଇ ଶହ ଲୋକଙ୍କୁ ପରିମଳ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରି ରହଣୀ, ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଇଥିଲେ। ପ୍ରଶାସନ ଦୁଇଟି ଜେସିବି ଏବଂ ଟ୍ରାକ୍ଟର ସାହାଯ୍ୟରେ ରାସ୍ତା ସଫା କରିବା ସହ ସାହି ଭିତରେ ଥିବା ମାଟିକୁ ବାହାର କରିବାରେ ଲୋକଙ୍କୁ ସହାୟତା କରିଥିଲା।

ରବିବାର ଭୋର୍‌ରେ ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ଘଟିଥିଲା। ଗୁମ୍ମା ବ୍ଲକର ଜାଙ୍ଗିଡ଼ିତୁଲ ଓ ଜଙ୍ଗଜଙ୍ଗଲ ଗାଁକୁ ପାଖ ପାହାଡ଼ରୁ ମାଡ଼ି ଆସିଥିଲା ପ୍ରକୃତିର କୋପ ସଦୃଶ ମାଟି ଅତଡ଼ା। ଗାଁ ସାରା ମାଟି, କାଦୁଅ, ପଥର ଓ ଗଛରେ ଭର୍ତ୍ତି ହୋଇଯାଇଥିଲା। ଗାଁରେ ପାଣିର ସୁଅ ଛୁଟିବା ସହ ଅନେକ ଘର ଭାଙ୍ଗି ଯାଇଥିଲା ବା ମାଟିରେ ବେଶ୍ ପୋତି ହୋଇଯାଇଥିଲା। ଏହି ବିପର୍ଯ୍ୟୟର ଶିକାର ହୋଇଥିଲେ ଉଭୟ ଗାଁର ପ୍ରାୟ ୧୫୦ଟି ପରିବାରର ୮୦୦ରୁ ଅଧିକ ଲୋକ। ପାହାଡ଼ ତଳେ ରହିଥିବା ଏହି ଦୁଇ ଆଦିବାସୀବହୁଳ ଗାଁର ବାସିନ୍ଦା ଘରେ ରଖିଥିବା ଖାଦ୍ୟଶସ୍ୟ, ଗହଣା ଆଦି ସବୁ ମାଟି କାଦୁଅରେ ପୋତି ହୋଇଯାଇ ଥିଲା। ପ୍ରାଣ ବିକଳରେ ଦୌଡ଼ି ଲୋକେ ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ ହେଁ ପ୍ରାୟ ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା କୁହାଯାଉଛି। ତେବେ ଘଟଣା ଖବର ପାଇବା ମାତ୍ରେ ଉଭୟ ଗାଁରେ ପହଞ୍ଚିଥିଲେ ପ୍ରଶାସନିକ ଅଧିକାରୀ, ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ। ଦୁଇ ଗାଁକୁ ସଂଯୋଗ କରୁଥିବା ରାସ୍ତାରୁ ମାଟି, ପଥର ବାହାର କରାଯାଇ ଥିଲା। ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇ ଖାଇବା ବ୍ୟବସ୍ଥା କରାଯାଇ ଥିଲା।

ସେହିପରି ନୂଆଗଡ଼ ବ୍ଲକ୍‌ରେ ସଡ଼କ ଯୋଗାଯୋଗକୁ ବେଶ୍ କ୍ଷତିଗ୍ରସ୍ତ କରିଥିଲା ଲଗାଣ ବର୍ଷା। ଭୂସ୍ଖଳନ ସହ ରାସ୍ତା ପୋଲ ଭାସି ଯାଇ ଯାତାୟାତ ଠପ୍ କରି ଦେଇଥିଲା। ରୁବୁଡ଼ିସିଂ- ଆଲିସିଂ ରାସ୍ତା ଧୋଇଯିବା ସହ ଏକ ପୋଲ ଧୋଇ ହୋଇଯାଇ ଥିଲା। ଛୋଟ ବଡ଼ ପଥର ଖଣ୍ଡ ପାହାଡ଼ରୁ ଖସି ରାସ୍ତାକୁ ବନ୍ଦ କରି ଦେଇଥିଲା। କାଦୁଅ ଜମି ରହିବା ସହ ପାଣିର ସୁଅ ଛୁଟୁଥିଲା। କେରେଡ଼ାଙ୍ଗ ପଞ୍ଚାୟତ ମାଣ୍ଡିଡ଼ି ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବ୍ଲକ୍ ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲା। ରାସ୍ତାର ମାଟି ଉଠାଇବା ସହ ବିଶାଳକାୟ ପଥରଗୁଡ଼ିକୁ ଭାଙ୍ଗି ହଟାଇଥିଲା। ପ୍ରଥମେ ରାସ୍ତାର କାମଚଳ ମରାମତି କରି ଯାନବାହନ ଚଳାଚଳ ଆରମ୍ଭ କରାଯାଇ ଥିଲା। ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସ୍ଥାୟୀ ମରାମତି ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି। ପ୍ରଶାସନର ତତ୍ପରତା ହେତୁ ବିପତ୍ତିର ଶିକାଙ୍କ ଲୋକଙ୍କ କଷ୍ଟ ବେଶ ମାତ୍ରାରେ ଲାଘବ ହୋଇପାରିଥିଲା।