ରାଷ୍ଟ୍ରପତି ନିର୍ବାଚନ: ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ ଗ୍ରହଣ , ୧୪୬ ବିଧାୟକ ଦେବେ ଭୋଟ | News Room Odisha

ରାଷ୍ଟ୍ରପତି ନିର୍ବାଚନ: ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ ଗ୍ରହଣ , ୧୪୬ ବିଧାୟକ ଦେବେ ଭୋଟ

ଭୁବନେଶ୍ବର – ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ । ବିଧାନସଭା, ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଏହି ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବେ । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା ହୋଇଛି ।

ଆଜି ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ବିଧାନସଭାରେ କେବଳ ଓଡ଼ିଶାର ବିଧାୟକମାନେ ଭୋଟ୍‌ ଦେବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁ ଦିଲ୍ଲୀରେ ଥିବାରୁ ସେ ହସପିଟାଲରୁ ଭୋଟ୍‌ ଦେବେ। ଓଡ଼ିଶାର ସମସ୍ତ ସାଂସଦ ଦିଲ୍ଲୀରେ ଭୋଟ୍ ଦେବେ। ଓଡ଼ିଶାରେ ଭୋଟ୍ ଦେବାକୁ କୌଣସି ସାଂସଦ ଅନୁମତି ଆଣିନାହାନ୍ତି। ଓଡ଼ିଶାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ କେନ୍ଦ୍ର ସରକାର ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ସେ ନିର୍ବାଚନ ସମୟରେ ବିଧାନସଭାରେ ଉପସ୍ଥିତ ରହିବେ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ବାଲଟ ପେପରରେ ଦୁଇ ପ୍ରାର୍ଥୀଙ୍କ ନାମ ଅଛି। ବିଧାୟକମାନେ ତାଙ୍କ ପସନ୍ଦର ପ୍ରାର୍ଥୀଙ୍କ ନାମ ପାର୍ଶ୍ବରେ ୧ କିମ୍ବା ୨ ଲେଖି ମତଦାନ କରିବେ। ଏହି ନମ୍ବର ଲେଖିବା ପାଇଁ ଭାରତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଭାଓଲେଟ୍‌ କାଳିର ସ୍ବତନ୍ତ୍ର ପେନ୍ ଯୋଗାଇ ଦିଆଯାଇଛି। ସେହିପରି ସାଂସଦମାନଙ୍କ ପାଇଁ ସବୁଜ ରଙ୍ଗର ବାଲଟ୍‌ ପେପର ଥିବାବେଳେ ବିଧାୟକମାନଙ୍କ ପାଇଁ ଗୋଲାପୀ ରଙ୍ଗର ବାଲଟ୍ ପେପର ରଖାଯାଇଛି ।