ଆଜିଠୁ ସଂସଦର ମୌସୁମୀ ଅଧୂବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ | News Room Odisha

ଆଜିଠୁ ସଂସଦର ମୌସୁମୀ ଅଧୂବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହେବ।ଏଥ‌ିପାଇଁ ଉଭୟ ଶାସକ ଓ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ତଥା ରଣନୀତିସ୍ଥିର କରାଯାଇଛି। ଶାସକ ଏନଡିଏ ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ସହଯୋଗ ଲୋଡ଼ିଥିବାବେଳେ ବିପକ୍ଷ କେନ୍ଦ୍ରକୁ ଘେରିବା ପାଇଁ ଉଦ୍ୟମ ଚଳାଇଛି। ଅଗଷ୍ଟ ୧୨ରେ ଶେଷ ହେବାକୁ ଥ‌ିବା ଏହି ଅଧିବେଶନରେ ୧୮ କାର୍ଯ୍ୟଦିବସ ରହିବ। ଏହା ମଧ୍ୟରେ ସରକାରଙ୍କ ତରଫରୁ କ୍ୟାଣ୍ଟନ୍‌ମେଣ୍ଟ ବିଲ୍, ବହୁରାଜ୍ୟ ସମବାୟ ସମିତି(ସଂଶୋଧନ) ବିଲ୍, ଇସଲ୍‌ଭେନ୍ସା ଆଣ୍ଡ ବ୍ୟାଙ୍କରପ୍ସି କୋଡ୍ (ଆମେଣ୍ଡମେଣ୍ଟ) ବିଲ୍ ଭଳି ମୋଟ ୩୨ଟି ବିଧେୟକ ଆଗତ କରାଯିବ ବୋଲି ରବିବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ସୂଚନା ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ୪୫ ଦଳକୁ ସରକାର ନିମନ୍ତ୍ରଣ କରିଥିଲେ। ତହିଁରୁ ୩୬ ଦଳର ନେତା ଉକ୍ତ ବୈଠକରେ ସାମିଲ ହୋଇଥିଲେ। କୋଭିଡ୍ ପ୍ରୋଟୋକଲ ଅନୁଯାୟୀ ପାର୍ଲାମେଣ୍ଟର ଉଭୟ ଗୃହରେ ସବୁ ବନ୍ଦୋବସ୍ତ କରାଯାଇଛି।