ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବ କପା ଚାଷ | News Room Odisha

ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବ କପା ଚାଷ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ କୃଷି ଆଧାରିତ ଭିତ୍ତିଭୂମିକୁ ତୃଣମୂଳସ୍ତରରୁ ବିକାଶିତ କରାଯାଉଛି। ଏକାଧିକ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। କେବଳ ଯେ ଧାନ ଚାଷରେ ସୀମିତ ନରହି ଚାଷୀଙ୍କୁ ଭିନ୍ନ ଭିନ୍ନ ଫସଲ ସାଙ୍ଗକୁ ଅର୍ଥକାରୀ କୃଷି ପାଇଁ ଉତ୍ସାହିତ କରାଯାଉଛି। ମହିଳା ଏସ୍ଏଚ୍‌ଜିଙ୍କୁ ସମ୍ପୃକ୍ତ କରାଇ ଗ୍ରାମାଞ୍ଚଳରେ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରି ଜୈବିକ ଖତ ବ୍ୟାପକମାତ୍ରାରେ ସୃଷ୍ଟି କରାଯାଉଛି ଯାହା ଚାଷୀଙ୍କୁ ବେଶ୍ ସହାୟକ ହୋଇପାରୁଛି। ସେହିପରି ଫସଲ ଅମଳ ପରେ ତାହାର ବ୍ୟବସ୍ଥିତ ବିକ୍ରିବଟା ପାଇଁ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍ ମୁତାବକ ପାକ୍ସ, ମଣ୍ଡି, ଧାନ ମିଲ୍ ଆଦି ଯାବତୀୟ ବ୍ୟବସ୍ଥା କରାଯାଉଛି। ଏବେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା କୃଷି ବିଭାଗ ଅର୍ଥକାରୀ ଲାଭଜନକ କୃଷିକୁ ମଧ୍ୟ ଗୁରୁତ୍ବ ଦେବା ଆରମ୍ଭ କରିଛି। ଜିଲ୍ଲାରେ ମାଣ୍ଡିଆ ଚାଷ (ମିଲେଟ୍ ମିଶନ୍)ର ସଫଳତା ଏହି ଉତ୍କର୍ଷତାର କାହାଣୀ ବର୍ଣ୍ଣନା କରୁଛି। ବିଗତ ଆର୍ଥିକ ବର୍ଷରେ ଜିଲ୍ଲାରୁ ୩ ହଜାର କୁଇଣ୍ଟାଲ୍ ମାଣ୍ଡିଆ ଉତ୍ପାଦନ ହୋଇଥିଲା ଯାହା ଗତବର୍ଷ ୧୧ ହଜାର କୁଇଣ୍ଟାଲରେ ପହଞ୍ଚିଥିଲା।

ଏବେ ଗଞ୍ଜାମ ଜିଲ୍ଲା କୃଷି ବିଭାଗ କପା ଫସଲ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଉଛି। ଚଳିତ ବର୍ଷ ଅଧିକ କପା ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ହିଁ ଦିଗପହଣ୍ଡି ବ୍ଲକ୍‌ରେ ଜିନିଂ ମିଲ୍ କାର୍ଯ୍ୟକ୍ଷମ କରାଯାଇ ଥିଲା। ଫଳରେ କପାର ପ୍ରକ୍ରିୟାକରଣ ସାଙ୍ଗକୁ ବିକ୍ରିବଟାରେ ଚାଷୀଙ୍କୁ ବେଶ୍ ସହାୟକ ହୋଇପାରିବା ଆଶା କରାଯାଉଛି। ଏବେ ଜିଲ୍ଲାରେ କପା ଉତ୍ପାଦନ ବୃଦ୍ଧି କରିବା, ଚାଷୀଙ୍କୁ ଏହାର ସିଧାସଳଖ ଆର୍ଥିକ ଲାଭ ପହଞ୍ଚାଇବା, ଜିନିଂ ମିଲକୁ ଅଧିକ ଉତ୍ପାଦନକ୍ଷମ କରିବା ଓ ଗଞ୍ଜାମ ଜିଲ୍ଲାରୁ କପାକୁ ଅନ୍ୟ ଜିଲ୍ଲା ତଥା ରାଜ୍ୟକୁ ଚାଲାଣ ଉପରେ ଫୋକସ୍ କରିଛି କୃଷି ବିଭାଗ। ଗତ ଖରିଫ୍ ଋତୁରେ ୪ ହଜାର ହେକ୍ଟର ଜମିରେ ହୋଇଥିଲା କପା ଚାଷ ଯାହାକୁ ଆଗାମୀ ଖରିଫ ଋତୁରେ ୮ ହଜାର ହେକ୍ଟରକୁ ବୃଦ୍ଧି କରାଯିବା ତଥା ଏଥିରୁ ଦ୍ବିଗୁଣା ଅର୍ଥାତ୍ ୧.୬୦ ଲକ୍ଷ କୁଇଣ୍ଟାଲ କପା ଉତ୍ପାଦନକୁ ଟାର୍ଗେଟ୍ ଧାର୍ଯ୍ୟ ହୋଇଛି। ଚାଷୀ ଯେପରି କପାର ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବ ତାହାକୁ ଗୁରୁତ୍ବ ଦେଉଛି ଜିଲ୍ଲା କୃଷି ବିଭାଗ। ଏଥିପାଇଁ ପବ୍ଲିକ୍‌- ପ୍ରାଇଭେଟ୍‌ ପାର୍ଟନର୍‌ସିପ୍ ଆଧାରରେ ମଣ୍ଡି ଓ ମିଲ୍ କାର୍ଯ୍ୟକ୍ଷମ କରାଯାଉଛି।