ବନବିଭାଗରେ ମନରେଗା ଯୋଜନାର ଅର୍ଥହଡ଼ପ୍ ଘଟଣା କଣ୍ଟାବାଞ୍ଜି ରେଞ୍ଜରଙ୍କୁ କାରଣଦର୍ଶାଅ ନୋଟିସ୍ | News Room Odisha

ବନବିଭାଗରେ ମନରେଗା ଯୋଜନାର ଅର୍ଥହଡ଼ପ୍ ଘଟଣା କଣ୍ଟାବାଞ୍ଜି ରେଞ୍ଜରଙ୍କୁ କାରଣଦର୍ଶାଅ ନୋଟିସ୍

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେଞ୍ଜରେ ମନରେଗା ଯୋଜନାରେ ଶ୍ରମିକଙ୍କ ଅର୍ଥହଡପ କରିଥିବା ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ନେଇ ବଲାଙ୍ଗୀର ଡିଏଫଓଙ୍କ ନିର୍ଦ୍ଦେଶରେ ଏସିଏଫ ବାବାଜୀ ରାଉଳ ଓ ଜୟନ୍ତ ପଧାନ ତଦନ୍ତ କରିଥିଲେ । ତାଙ୍କର ତଦନ୍ତ ରିପୋର୍ଟ ଆଧାରରେ ଆଜି ବଲାଙ୍ଗୀର ଡିଏଫଓ ନୀତିଶ କୁମାର କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡମାଲିଙ୍କୁ କାରଣଦର୍ଶାଅ ନୋଟିସ କରିଛନ୍ତି ।

ଶ୍ରୀ ବଡମାଲି ମନରେଗା ଯୋଜନାରେ କାମକରିଥିବା ଶ୍ରମିକଙ୍କ ପାଉଣାରୁ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ସହିତ ଶ୍ରମିକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଥିଲା । କଣ୍ଟାବାଞ୍ଜି ରେଞ୍ଜ ଅଧିନସ୍ଥ ସଲଣ୍ଡିଠାରେ ମନରଗୋ ଯୋଜନାରେ ଏକ ନର୍ସରୀ କରାଯାଇଛି । ଏଠାରେ ମନରେଗା ଯୋଜନାର ବନୀକରଣ ପାଇଁ ଚାରା ଉତ୍ପାଦନ କରାଯାଇଥାଏ । ସଲଣ୍ଡି ଗାଁର ଦୟାନିଧି ବେହେରା ନାମକ ଜଣେ ଶ୍ରମିକ ଠିକଦାର ଏନେଇ ଅଭିଯୋଗ କରିଥିଲେ । ରେଞ୍ଜର ତାଙ୍କୁ ଶ୍ରମିକ ବାବଦକୁ ଥିବା ପାଉଣା ନଦେଇ ହଇରାଣ କରୁଥିବା ନେଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ କିଛି ଗଣମାଧ୍ୟମ ପ୍ରତିନିଧି ରେଞ୍ଜର ଶ୍ରୀ ବଡମାଲିଙ୍କ ପାଖକୁ ତାଙ୍କର ପ୍ରତିକ୍ରୀୟା ନେବାକୁ ଯାଇଥିଲେ । କିନ୍ତୁ ସେଠାରେ ରେଞ୍ଜର କୌଣସି ପ୍ରତିକ୍ରୀୟା ଦେବା ବଦଳରେ ଗଣମାଧ୍ୟମରେ ନ୍ୟୁଜବନ୍ଦ କରିବାକୁ ସାମ୍ବାଦିକଙ୍କୁ ଅର୍ଥ ଯାଚିଥିଲେ । ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଅଭିଯୋଗ ଉପରେ ଡିଏଫଓ ଶ୍ରୀ ନିତିଶ କୁମାର ତଦନ୍ତ କରିଥିଲେ । ରେଞ୍ଜର ଶ୍ରୀ ବଡମାଲି ତଦନ୍ତ ବେଳେ ଶ୍ରମିକଙ୍କ ପାଉଣା ବାକିଆ ଥିବା ସ୍ୱୀକାର କରିଥିଲେ ଓ ସାମ୍ବାଦିକଙ୍କୁ ରଥଯାତ୍ରା ବେଳର ବିଜ୍ଞାପନ ବାବଦକୁ ଅର୍ଥ ଦେଉଥିଲେ ବୋଲି କହିଥିଲେ । ଫଳରେ ଘଟଣାରେ ରେଞ୍ଜରଙ୍କ ଭୂମିକାକୁ ନେଇ ଆହୁରି ସନ୍ଦେହ ହୋଇଥିଲା । ଶେଷରେ ଆଜି ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ବୋଲି କାରଣ ଦର୍ଶାଅ ନୋଟିସ କରାଯାଇଛି ।