ଭୁବନେଶ୍ୱର – ଟେଲିଭିଜନ ଅଭିନେତ୍ରୀ ରାଜେଶ୍ବରୀ ରାୟଙ୍କ ପରଲୋକ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କ୍ୟାନସରରେ ପୀଡିତ ଥିଲେ ରାଜେଶ୍ବରୀ । କ୍ୟାନସରରୁ ଭଲ ମଧ୍ୟ ହୋଇଯାଇଥିଲେ । ହେଲେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଟେଲି ଧାରାବାହିକରେ ଖଳ ନାୟିକା ଭୂମିକାରେ ଅଭିନୟ କରି ସେ ଘରେ ଘରେ ଲୋକପ୍ରିୟ ହୋଇପାରିଥିଲେ।
ପ୍ରଥମେ ଜଣେ ଉପସ୍ଥାପିକା ଜରିଆରେ ଟେଲି ଜଗତକୁ ପ୍ରବେଶ କରିଥିଲେ ରାଜେଶ୍ୱରୀ। ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ। ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଥିଲା। ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ବସନ୍ତ ସାହୁଙ୍କ ‘ସତ୍ୟମେବ ଜୟତେ’। ଏହାପରେ ସେ ଏନ୍ ପାଢ଼ୀ ଙ୍କ ନିର୍ଦ୍ଦେଶିତ ‘ଆରେ ସାଥୀ ଆ’ ଓ ଅମିତ ନାୟକଙ୍କ ନିର୍ଦେଶିତ ‘ବ୍ଲାକମେଲ୍’ ଚଳଚ୍ଚିତ୍ରରେ ବି ଅଭିନୟ କରିଥିଲେ ।
ଧାରାବାହିକ ‘ଉଆଁସୀ କନ୍ୟା’, ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍କୁମ୍’ ଇତ୍ୟାଦିରେ ରାଜେଶ୍ୱରୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଧାରାବାହିକ ଉଆଁସି କନ୍ୟାରେ ଅଳକା ଚରିତ୍ରରେ ସେ ଅଭିନୟ କରିଥିଲେ। ଅଳକା ନାଁରେ ଘରେ ଘରେ ପରିଚିତ ଥିଲେ ରାଜେଶ୍ୱରୀ ।