ଦ୍ରୌପଦୀ ମୁର୍ମୁ : ସଂଘର୍ଷ ଓ ସଫଳତାର ଅନନ୍ୟ ଉଦାହରଣ | News Room Odisha

ଦ୍ରୌପଦୀ ମୁର୍ମୁ : ସଂଘର୍ଷ ଓ ସଫଳତାର ଅନନ୍ୟ ଉଦାହରଣ

ରାଷ୍ଟ୍ରପତି ନିର୍ବାଚନରେ ଇତିହାସ ସୃଷ୍ଟି କରିଛନ୍ତି ଓଡିଆ ମାଟିର ଝିଅ । ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ସେ ମଧ୍ୟ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ଏନଡିଏ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ମୁର୍ମୁ ପୂର୍ବରୁ ଝାଡଖଣ୍ଡର ରାଜ୍ୟପାଳ ଥିଲେ । ଭାରତୀୟ ଗଣରାଜ୍ୟର ସର୍ବୋଚ୍ଚ ପଦବୀରେ ଜଣେ ଓଡିଆ ଆଦିବାସୀ ମହିଳା ଆସୀନ ହେବା କମ୍ ଗୌରବର କଥା ନୁହେଁ ।

ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନ । ଦ୍ରୌପଦୀ ମୁର୍ମୁଙ୍କ ସୁଦୀର୍ଘ ଓ ଘଟଣାବହୁଳ ଯାତ୍ରା । ଏହା କାହାକୁ ଅଛପା ନାହିଁ ଯେ, ୨୦୧୭ ରାଷ୍ଟ୍ରପତି ନିର୍ବାଚନ ବେଳେ ମଧ୍ୟ ଏନଡିଏ ପ୍ରାର୍ଥୀ ଭାବେ ମୁର୍ମୁଙ୍କ ନାଁ ସର୍ଟଲିଷ୍ଟରେ ଥିଲା । କିନ୍ତୁ ସେତେବେଳେ ଜଣେ ଦଳିତ ରାମନାଥ କୋବିନ୍ଦଙ୍କୁ ଏନଡିଏ ଅଗ୍ରାଧିକାର ଦେଇ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା । ବୋଧହୁଏ ,ତାଙ୍କୁ ଆଉ ଟିକେ ଅଭିଜ୍ଞ ହେବା ପାଇଁ ଚାହୁଁଥିଲେ ବିଜେପି ନେତୃବୃନ୍ଦ । ୧୯୫୮ରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡା ଗାଁରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରର ୟୁନିଟ ଟୁ ହାଇସ୍କୁଲ ଓ ରମାଦେବୀ କଲେଜ ଭଳି ଶିକ୍ଷାନୁଷ୍ଠାନର ଛାତ୍ରୀ । ନବେ ଦଶକର ଶେଷ ଭାଗରେ ରାଜନୀତିରେ ପାଦ ଥାପିବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ୧୯୭୯ରୁ ୧୯୮୩ ଯାଏଁ ରାଜ୍ୟ ଜଳସେଚନ ବିଭାଗରେ କନିଷ୍ଠ ସହକାରୀ କିରାଣୀ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଶିକ୍ଷକତା ମଧ୍ୟ କରିଥିଲେ । ରାଇରଙ୍ଗପୁରରେ ଶ୍ରୀ ଅରବିନ୍ଦ ଇଂଟିଗ୍ରାଲ ଏଜୁକେସନ ସେଂଟରରେ ୧୯୯୭ ମସିହା ଯାଏଁ ଶିକ୍ଷୟିତ୍ରୀ ଥିଲେ ମୁର୍ମୁ ।

ରାଇରଙ୍ଗପୁରରେ ଥିବା ବେଳେ ହିଁ ରାଜନୀତି ପ୍ରତି ଆଗ୍ରହୀ ହୋଇଥିଲେ ମୁର୍ମୁ । ୧୯୯୭ରେ ବିଜେପିରେ ସାମିଲ ହେବା ପରେ ସେ ରାଇରଙ୍ଗପୁର ନଗର ପଂଚାୟତର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ନଗର ପଂଚାୟତର ଉପାଧ୍ୟକ୍ଷା ହୋଇଥିଲେ ମୁର୍ମୁ । ସେ ମଧ୍ୟ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପସଭାପତି ଥିଲେ ।

ରାଜନୀତିରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଥିଲେ ମୁର୍ମୁ । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ ମୁର୍ମୁ । ପରେ ବିଜେଡି-ବିଜେପି ମେଂଟ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ସେତେବେଳର ବିଜେଡି-ବିଜେପି ମେଂଟ ସରକାରରେ ଜଣେ ଫାଷ୍ଟ ଟାଇମ ଏମଏଲଏ ମନ୍ତ୍ରୀ ହେବା କମ୍ କଥା ସଫଳତାର କଥା ନୁହଁ । ବାଣିଜ୍ୟ ଓ ପରିବହନ ଏବଂ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରହିଥିଲେ ତାଙ୍କୁ ଦିଆଯାଇଥିଲା । ୨୦୦୪ରେ ମଧ୍ୟ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ରାଜନୈତିକ ସଫଳତା ସହ ବ୍ୟକ୍ତିଗତ କ୍ଷତିର ବି ସମ୍ମୁଖୀନ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ୨୦୦୯ରେ ସେ ନିଜର ୨୫ ବର୍ଷିୟ ପୁଅକୁ ହରାଇଥିଲେ । ପୁଅର ମୃତ୍ୟୁ ପରେ ଆଧ୍ୟାତ୍ମିକତା ପ୍ରତି ମନ ବଳାଇଥିଲେ ମୁର୍ମୁ । ୨୦୧୩ରେ ସେ ତାଙ୍କର ଦ୍ୱିତୀୟ ପୁଅ ଓ ୨୦୧୪ରେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କୁ ହରାଇଥିଲେ । ବର୍ତ୍ତମାନ ତାଙ୍କର ଏକମାତ୍ର ଝିଅ ଅଛନ୍ତି ।

୨୦୧୫ ମସିହାରେ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ହୋଇଥିଲେ । ଆଦିବାସୀ ବହୁଳ ଝାଡଖଣ୍ଡର ରାଜ୍ୟପାଳ ହେବା ଏକ କଷ୍ଟକର ବ୍ୟାପାର ନିଶ୍ଚୟ । ଜଟିଳ ଜାତି ରାଜନୀତିରେ ବାରମ୍ବାର ସରକାର ପରିବର୍ତ୍ତନ ଜଣେ ରାଜ୍ୟପାଳଙ୍କ ପାଇଁ ବେଶ୍ ଆହ୍ୱାନ ସୃଷ୍ଟି କରେ ଝାଡଖଣ୍ଡ । ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ନିଯୁକ୍ତ ହେଲା ବେଳେ ରାଜ୍ୟରେ ଥିଲା ରଘୁବର ଦାସଙ୍କ ନେତୃତ୍ୱାଧୀନ ବିଜେପି ସରକାର । ଆଦିବାସୀଙ୍କ ସ୍ୱାର୍ଥ ହାନି କରୁଥିବା ଛୋଟା ନାଗପୁର ଟେନାନସି ଆକ୍ଟ ସଂଶୋଧନ ବିଲ୍ ଓ ସାନ୍ତାଳ ପ୍ରଗଣା ଟେନାନ୍ସି ଆକ୍ଟ ସଂଶୋଧନ ବିଲ୍ ଆଣିଥିଲେ ବିଜେପି ସରକାର । କିନ୍ତୁ ଏହି ଦୁଇ ସଂଶୋଧନ ବିଲକୁ ପ୍ରବଳ ବିରୋଧ କରାଯାଇଥିଲା । ରାଜ୍ୟପାଳ ଭାବେ ମୁର୍ମୁ ନିଜର ସାମ୍ବିଧାନିକ ଅଧିକାର ପ୍ରୟୋଗ କରି ଦୁଇ ବିଲ୍ ଅଗ୍ରାହ୍ୟ କରିଦେଇଥିଲେ । ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ । ଏହି ପଦକ୍ଷେପ ଦ୍ୱାରା ମୁର୍ମୁ ସାଧାରଣ ଆଦିବାସୀ , ନାଗରିକ ସମାଜ ଓ ବିରୋଧୀ ଦଳର ଆସ୍ଥାଭାଜନ ହୋଇପାରିଥିଲେ । ସେ ଜଣେ ରବର ଷ୍ଟାମ୍ପ ରାଜ୍ୟପାଳ ନୁହନ୍ତି ବୋଲି ପ୍ରମାଣ କରିଥିଲେ ମୁର୍ମୁ । ୨୦୧୯ରେ ସରକାର ପରିବର୍ତ୍ତନ ହୋଇଥିଲା । ହେଲେ ହେମନ୍ତ ସୋରେନ ନେତୃତ୍ୱାଧିନ ସରକାର ସହ ତାଙ୍କର ଭଲ ସଂପର୍କ ଥିଲା । ସେଥିପାଇଁ ତ ବିରୋଧୀ ଶିବିରରେ ଥାଇ ବି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମଏମ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛି ।

ସ୍ୱାଧୀନତାର ୭୫ତମ ବର୍ଷରେ ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ହୋଇଛନ୍ତି । ଆଉ ସେ ମଧ୍ୟ ଜଣେ ଓଡିଆ ।