ଏଣିକି ବର୍ଷକୁ ଚାରିଥର ଭୋଟର ତାଲିକାରେ ନୂଆ ଭୋଟରଙ୍କୁ ସାମିଲ କରାଯାଇପାରିବ | News Room Odisha

ଏଣିକି ବର୍ଷକୁ ଚାରିଥର ଭୋଟର ତାଲିକାରେ ନୂଆ ଭୋଟରଙ୍କୁ ସାମିଲ କରାଯାଇପାରିବ

ଭୁବନେଶ୍ୱର – ଜନ ପ୍ରତିନିଧି ଅଧିନିୟମ-୧୯୫୦କୁ କେନ୍ଦ୍ର ସରକାର ସଂଶୋଧନ କରିଥିବାରୁ ଏଣିକି ଗୋଟିଏ ବର୍ଷରେ ୪ଥର ଭୋଟର ତାଲିକାରେ ନୂଆ ଭୋଟରଙ୍କୁ ସାମିଲ କରାଯାଇପାରିବ । ରାଜ୍ୟର ସବୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ପୂର୍ବରୁ ଭୋଟର ତାଲିକାରେ ନାଁ ସାମିଲ ପାଇଁ ପ୍ରତିବର୍ଷ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ନୂଆ ଭୋଟରଙ୍କୁ ଅପେକ୍ଷା କରିବାକୁ ପଡୁଥିଲା ।

ସଂଶୋଧିତ ନୂଆ ନିୟମ ଅନୁସାରେ ଭୋଟର ତାଲିକାରେ ସାମିଲ ହେବା ପାଇଁ ୪ଟି ଯୋଗ୍ୟତାସୂଚକ ତାରିଖ ରଖିବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ୧୮ ବର୍ଷ ବୟସ୍କ ନୂଆ ଭୋଟରଙ୍କୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ତାଲିକାରେ ନାଁ ଲେଖାଇବା ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା । ସଂଶୋଧିତ ନିୟମ ଅନୁସାରେ ଏଣିକି ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ଯେଉଁମାନେ ୧୮ବର୍ଷ ବୟସର ହେବେ ସେମାନେ ଭୋଟର ତାଲିକାରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହେବେ । ଫଳରେ ନୂଆ ତଥା ଯୁବ ଭୋଟରଙ୍କୁ ନିଜ ନାଁ ଭୋଟର ତାଲିକାରେ ସାମିଲ କରିବା ନିମନ୍ତେ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସେହିପରି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟରମାନଙ୍କ ଆଧାର ନମ୍ବରକୁ ସ୍ୱେଚ୍ଛାକୃତ ଭାବେ ଭୋଟର ତାଲିକାରେ ସଂଯୋଗ କରାଯିବ । ସେହିପରି ଏଣିକି ସଂଶୋଧିତ ନିୟମ ଅନୁସାରେ ଫର୍ମ-୬ରେ ଭୋଟରମାନେ ଭୋଟର ତାଲିକାରେ କେବଳ ନାମ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ ଓ ଫର୍ମ-୮କୁ ଗୋଟିଏ ନିର୍ବାଚନମଣ୍ଡଳୀରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉପଯୋଗ କରିବେ । ଫର୍ମ-୭ରେ ଭୋଟର ତାଲିକାରୁ ନାମ ବାଦ୍ ଦିଆଯାଇପାରିବ ।