ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ– ଆଇଜର୍ ଏମ୍ଓୟୁ | News Room Odisha

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ– ଆଇଜର୍ ଏମ୍ଓୟୁ

ବ୍ରହ୍ମପୁର: ଶୈକ୍ଷିକ ଭାବ ବିନିମୟ ହେବ। ଏଥିରୁ ଉପକୃତ ହେବେ ଉଭୟ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ ଗବେଷକ। ଗବେଷଣାରେ ପରସ୍ପରକୁ ସହଯୋଗ କରି ସମ୍ବଳର ବିନିଯୋଗ ସହ ଜ୍ଞାନ ଆହରଣର ସୁଯୋଗ ଉପଲବ୍ଧ କରାଇବେ। ଏହି ଉଦ୍ଦେଶ୍ୟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବଂ ବ୍ରହ୍ମପୁର ଆଇଜର ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଆଇଜର୍ ନିର୍ଦ୍ଦେଶକ ପ୍ରଫେସର କେଭିଆର୍ ଚୈରୀ ଓ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉପସ୍ଥିତ ରହି ଏହି ପଦକ୍ଷେପକୁ ସାକାର କରିଛନ୍ତି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଆଇଜର୍ ମଧ୍ୟରେ ଏ ନେଇ କିଛି ଦିନ ହେଲା ଆଲୋଚନା ଚଳିଥିଲା। ଶେଷରେ ଉଭୟ କର୍ତ୍ତୃପକ୍ଷ ଏଥିପାଇଁ ସହମତି ପ୍ରକାଶ କରି ଏମ୍ଓୟୁ ସ୍ବାକ୍ଷର କରିଛନ୍ତି। ଉନ୍ନତମାନର ଗବେଷଣା ଏବଂ ପାଠ୍ୟକ୍ରମ ସମ୍ବନ୍ଧିତ ୭ଟି ବିଷୟ ଏଥିରେ ସ୍ଥାନ ପାଇଛି। ଉଭୟ ଉଚ୍ଚଶିକ୍ଷା ଅନୁଷ୍ଠାନ ମିଳିତ ଉଦ୍ୟମରେ ଗବେଷଣା ଓ ଶିକ୍ଷାଭିତ୍ତିକ କାର୍ଯ୍ୟ କରଯିବ। ଉଭୟ ଅନୁଷ୍ଠାନ ମଧ୍ୟରେ ଭାବ ବିନିମୟ ସାଙ୍ଗକୁ ପାଠ୍ୟକ୍ରମ ଆଦାନପ୍ରଦାନ ହେବ। ଗବେଷଣା ଓ ଏଥିସମ୍ବନ୍ଧୀୟ ପ୍ରକାଶନରେ ଉଭୟ ଶିକ୍ଷାନୁଷ୍ଠାନ ପରସ୍ପରକୁ ସହଯୋଗ କରିବେ । ସେମିନାର୍ ଓ କର୍ମଶାଳା ଇତ୍ୟାଦି ମିଳିତ ଭାବେ ଆୟୋଜନ କରଯିବ। ଉଲ୍ଲେଖନୀୟ ଭାବେ ଗବେଷଣା କ୍ଷେତ୍ରରେ ଅପେକ୍ଷାକୃତ ଉନ୍ନତ ଓ ଆଧୁନିକ ସୁବିଧା ଥିବା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଜର୍‌ରେ ସ୍ଵଳ୍ପ ମୂଲ୍ୟରେ ଉପଲବ୍ଧ ଆଧୁନିକ କେନ୍ଦ୍ରୀୟ ଯନ୍ତ୍ରପାତି କେନ୍ଦ୍ରକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକମାନେ ଆବଶ୍ୟକସ୍ଥଳେ ଉପଯୋଗ କରିପାରିବେ। ବିଶ୍ବବିଦ୍ୟାଳୟ ଓ ଆଇଜର ମିଳିତ ଭାବେ ବିଭିନ୍ନ ଗବେଷଣମୂଳକ ପ୍ରକଳ୍ପ ହାତକୁ ନେଇ ସହଭାଗିତାରେ କାର୍ଯ୍ୟ କରିବେ ।