ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା | News Room Odisha

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରା ଆମେରିକାର ଓରେଗନରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପୁରୁଷ ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି | ଦ୍ବିତୀୟ ଭାରତୀୟ ଭାବେ ନୀରଜ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପଦକ ଜିତିଛନ୍ତି । ଫାଇନାଲରେ ନୀରଜ ଚୋପ୍ରା ଚତୁର୍ଥ ପ୍ରୟାସରେ ୮୮.୧୩ର ଏକ ଲମ୍ବା ଥ୍ରୋ କରି ଦ୍ବିତୀୟ ସ୍ଥାନ ହାସଲ କରିଥିଲେ | ୧୯ ବର୍ଷ ପରେ ଜଣେ ଭାରତୀୟ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପଦକ ଜିତିଛନ୍ତି | ଏହାପୂର୍ବରୁ ଅଞ୍ଜୁ ବବି ଜର୍ଜ ୨୦୦୩ରେ ମହିଳା ଲଙ୍ଗ୍ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିଲେ।

ପୁରୁଷ ଜାଭେଲିନ୍ ଥ୍ରୋରେ ଗ୍ରାନାଡାର ଆଣ୍ଡରସେନ୍ ପିଟର୍ସ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କର ଶେଷ ଥ୍ରୋରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ସେ ୯୦.୫୪ ମିଟର ଦୂର ଜାଭେଲିନ୍ ଫିଙ୍ଗିଥିଲେ |

ନୀରଜ ଚୋପ୍ରାଙ୍କ ପ୍ରଥମ ଉଦ୍ୟମ ବିଫଳ ହୋଇଥିଲା। ଦ୍ୱିତୀୟ ରାଉଣ୍ଡରେ ସେ ୮୨.୩୯ ମିଟର ଫିଙ୍ଗିଥିଲେ |ତୃତୀୟ ରାଉଣ୍ଡରେ ସେ ୮୬.୩୭ ମିଟର ଦୂର ଅତିକ୍ରମ କରିଥିଲେ |

ତେବେ ଚତୁର୍ଥ ପ୍ରୟାସରେ ୮୮.୧୩ ମିଟର ଦୂରତା ଦ୍ୱିତୀୟ ସ୍ଥାନକୁ ଉଠିଥିଲେ | ନୀରଜ ଚୋପ୍ରାଙ୍କ ପଞ୍ଚମ ପ୍ରୟାସ ମଧ୍ୟ ଆଶାନୁରୂପ ନ ଥିଲା।

ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଆଉଜଣେ ଭାରତୀୟ ରୋହିତ ଯାଦବ ୧୧ତମ ସ୍ଥାନରେ ରହିଥିଲେ ।

ଅଞ୍ଜୁ ବବି ଜର୍ଜଙ୍କ ପରେ ନୀରଜ ଦ୍ବିତୀୟ ଭାରତୀୟ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ପଦକ ଜିତିଛନ୍ତି । ଅଞ୍ଜୁ ୨୦୦୩ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିଲେ |