ନିଖୋଜ ନାବାଳକର ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣି ରାସ୍ତା ଅବରୋଧ କଲେ ଗ୍ରାମବାସୀ | News Room Odisha

ନିଖୋଜ ନାବାଳକର ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ସଁୟା ଗାଁର ନିଖୋଜ ବାଳକ ସୁବ୍ରତ ସାହୁଙ୍କ ମୃତଦେହ ଶନିବାର ବରଗଡ଼ ମୁଖ୍ୟ କେନାଲରୁ ଉଦ୍ଧାର କରାଯାଇଛି। ବରଗଡ଼ ସଦର ଥାନା ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପରିବାର ଲୋକେ ଓ ଗାଁଲୋକ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଫଳରେ ଏଥିରେ ନିରପେକ୍ଷ ତଦନ୍ତ ହତ୍ୟାକାରୀକୁ ଗିରଫ ଦାବିରେ ରବିବାର ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ସଁୟା ଛକରେ ସ୍ଥାନୀୟଲୋକ ରାସ୍ତାରୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଘଟଣାସ୍ଥଳରେ ବରଗଡ଼ ସଦର ଥାନା ପୋଲିସ ପହଞ୍ଚି ଗାଁଲୋକଙ୍କ ସହ ଆଲୋଚନା କରିଥିଲେ। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣା ପଡିବ ପୋଲିସ ବୋଲି କହିଛି। ଜୁଲାଇ ୨୨ ତାରିଖ ସନ୍ଧ୍ୟାରେ ସଁୟା ଗାଁର ଅମୂଲ୍ୟ ସାହୁ ଓ ଲକ୍ଷ୍ମୀ ସାହୁଙ୍କ ପୁଅ ସୁବ୍ରତ(୧୨) ଖେଳିବାକୁ ଯାଇ ଆଉ ଫେରିନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାକୁ ପାଇନଥିଲେ। ପରେ ଏନେଇ ସଦର ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ। ଶନିବାର ନାବାଳକର ମୃତଦେହ ବରଗଡ଼ ମୁଖ୍ୟ କେନାଳରୁ ଉଦ୍ଧାର କରାଯାଇଛି। ତେବେ ପରିବାର ଲୋକେ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ସନ୍ଦେହ କରୁଥିବା ବେଳେ ନ୍ୟାୟ ପାଇବା ଦାବିରେ ଆଜି ରାଜପଥ ଅବରୋଧ କରିଛନ୍ତି।