ବାବୁସାନ - ତୃପ୍ତି ଓ ପ୍ରକୃତି ମିଶ୍ରଙ୍କ କଳହ ଘଟଣାର ତଦନ୍ତ ଆରମ୍ଭ | News Room Odisha

ବାବୁସାନ – ତୃପ୍ତି ଓ ପ୍ରକୃତି ମିଶ୍ରଙ୍କ କଳହ ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ୱର – ବାବୁସାନ-ତୃପ୍ତି ଓ ପ୍ରକୃତି ମିଶ୍ରଙ୍କ କଳହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ ଜାରି ହୋଇଛି । ଓଡ଼ିଶା ଫେରିଲେ ତୁରନ୍ତ ଥାନାରେ ହାଜର ହେବାକୁ କୁହାଯାଇଛି । ଏଣେ ସତ୍ୟନଗର ଗେଷ୍ଟହାଉସ ଯାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିଛି ।

ଶନିବାର ସକାଳେ କ’ଣ ଘଟିଥିଲା ସେନେଇ ପୋଲିସ ପଚରାଉଚରା କରିଥିବା ସୂଚନା ମିଳିଛି । ଆଜି ତଦନ୍ତକାରୀ ଟିମ୍‌ ତୃପ୍ତିଙ୍କ ଘରକୁ ଯାଇ ତଦନ୍ତ କରିବେ । ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ଗତକାଲି ଖାରବେଳନଗର ଥାନାରେ ଏତଲା ଦିଆଯାଇଥିଲା । ଏତଲା ଆଧାରରେ ମୋଟ୍ ୭ଜଣଙ୍କ ବୟାନ ରେକର୍ଡ କରାଯାଇଛି । ତୃପ୍ତିଙ୍କ ମଉସା ଓ ମାଉସୀଙ୍କୁ ଏନେଇ ପଚରାଉଚରା କରିସାରିଛି ପୁଲିସ ।

ଶନିବାର ରାଜରାସ୍ତାରେ ଓଲିଉଡ ଷ୍ଟାର ବାବୁସାନ ଓ ପତ୍ନୀ ତୃପ୍ତିଙ୍କ କଳହର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଅଭିନେତା ବାବୁସାନ ଡ୍ରାଇଭିଂ କରୁଥିବା ବେଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ଗାଡ଼ି ଆଗରେ ବସିଥିଲେ । ପ୍ରକୃତିଙ୍କୁ ତୃପ୍ତି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଭିଡିଓରେ ଦେଖାଯାଇଥିଲା । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଅନୁସାରେ ତାଙ୍କ ଅଭିନେତା ସ୍ବାମୀ କିଛି ଦିନ ହେବ ଘରକୁ ଯାଉନାହାନ୍ତି । ଯାହାର ସତ୍ୟାସତ୍ୟ ଜାଣିବାକୁ ଏପରି କରିଥିଲେ ଅଭିନେତାଙ୍କ ପତ୍ନୀ ।

ବାଟରେ ସ୍ୱାମୀଙ୍କ ସହ ଅଭିନେତ୍ରୀଙ୍କୁ ଦେଖି ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ । ଆଉ ରାସ୍ତାଉପରେ ଚାଲିଥିଲା ଷ୍ଟାର ଦମ୍ପତି ଓ ବାନ୍ଧବୀଙ୍କ ହାଇଡ୍ରାମା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ହୋଇଥିବା ଜଣାପଡ଼ିଥିଲା ।