ଧମା ରେଞ୍ଜ ଘଞ୍ଚ ଜଙ୍ଗଲରୁ ୨ ହାତୀ କଙ୍କାଳ ଠାବ କଲା ଏସଟିଏଫ | News Room Odisha

ଧମା ରେଞ୍ଜ ଘଞ୍ଚ ଜଙ୍ଗଲରୁ ୨ ହାତୀ କଙ୍କାଳ ଠାବ କଲା ଏସଟିଏଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଧମା ରେଞ୍ଜ ଅନ୍ତର୍ଗତ ୨ଟି ସ୍ଥାନରୁ ଆଜି ଏସଟିଏଫ ଟିମ୍ ୨ଟି ହାତୀର କଙ୍କାଳ ଉଦ୍ଧାର କରିଛି। ଗୋଟିଏ କୋଲଗାଁରୁ ଏବଂ ଅନ୍ୟଟି ତବଲେଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଜଣାପଡିଛି।

ସମ୍ବଲପୁର ଜିଲ୍ଲାର ଘଞ୍ଚ ଜଙ୍ଗଲ ମଧ୍ଯରେ ଏକାଧିକ ହାତୀ ଶିକାର କରାଯାଇ ପୋତି ଦିଆଯାଇଥିବା ନେଇ ଏସଟିଏଫ ସୂଚନା ପାଇଥିଲା। ଗତକାଲି ଏସଟିଏଫର ଏକ ଟିମ୍ ଆସି ସମ୍ବଲପୁରରେ ଡେରା ପକାଇଥିଲା। ଆଉ ଆଜି କୋଲଗାଁ ଏବଂ ତବଲେଇ ଜଙ୍ଗଲରେ ବହୁତ ଛାନଭିନ ପରେ ୨ଟି ହାତୀର କଙ୍କାଳ ଉଦ୍ଧାର କରିଛି। ଉଭୟ ହାତୀକୁ ଶିକାର କରି ଦାନ୍ତ କାଢିବା ପରେ ଶିକାରୀମାନେ ପୋତି ଦେଇଥିବା ସ୍ପଷ୍ଟ ହୋଇଛି। କୋଲଗାଁରେ ଗୋଟିଏ ହାତୀର ସଂପୂର୍ଣ୍ଣ କଙ୍କାଳ ମିଳିଥିବା ବେଳେ ତବଲେଇର କେନାଲରୁ ଟୁକୁଡା ହାଡ ମିଳିଛି। ତେବେ, ଆଉ କେତେ ହାତୀ ଶିକାର ହୋଇଛି ସେନେଇ ବି ଖୋଳତାଡ ଚାଲିଥିବା ବେଳେ ଶିକାରୀଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ଏସଟିଏଫ ଇନ୍ସପେକ୍ଟର ଦିଲ୍ଲୀପ ପ୍ରଧାନ ସୂଚନା ଦେଇଛନ୍ତି।