ଅଭିନେତ୍ରୀ ପ୍ରକୃତିଙ୍କୁ ପୋଲିସର ପଚରାଉଚରା | News Room Odisha

ଅଭିନେତ୍ରୀ ପ୍ରକୃତିଙ୍କୁ ପୋଲିସର ପଚରାଉଚରା

ଭୁବନେଶ୍ବର – ବାବୁସାନ – ତୃପ୍ତି କରି ମାମଲାରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୋଲିସ ପଚରାଉଚରା କରିଛି। ଚେନ୍ନାଇରୁ ଫେରିବା ପରେ ପ୍ରକୃତିଙ୍କୁ ପଚରାଉଚରା କରିଛି ପୋଲିସ । ବାପା ମନ୍ମଥ ମିଶ୍ରଙ୍କ ଘରେ ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ଆଜି ପହଞ୍ଚିଥିଲେ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍ ପ୍ରକୃତିଙ୍କୁ ପଚରାଉଚରା କରିଥିଲା ବୋଲି ବାପା ମନ୍ମଥ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଭାବକଙ୍କ ଉପସ୍ଥିତିରେ ଏହି ପଚରାଉଚରା ହୋଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ବାବୁସାନ ତାଙ୍କ ପରିବାରକୁ ଫେରି ଆସୁ ଏବଂ ସୁଖରେ ସଂସାର କରୁ। ପ୍ରକୃତି ମିଶ୍ର ତଦନ୍ତରେ ସହଯୋଗ କରିଥିବା ନେଇ ପୋଲିସ ଅଧିକାରୀ କହିଛନ୍ତି।

ଯେଉଁ ଫିଲ୍ମର ପ୍ରମୋସନ୍ ଲାଗି ଅଭିନେତା ବାବୁସାନ୍ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ବର ଫେରିଆସିଲେଣି। ହେଲେଣି ବାବୁସାନ ଫେରିନାହାନ୍ତି।
ବାବୁସାନ, ତାଙ୍କ ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଖାରବେଳନଗର ଥାନାରେ ୨ଟି ମାମଲା ରୁଜୁ ହୋଇଛି। ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ରଙ୍କ ତରଫରୁ ପ୍ରଥମ ମାମଲା ତୃପ୍ତିଙ୍କ ବିରୋଧରେ ରୁଜୁ କରିଛନ୍ତି। ସେହିପରି ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦ୍ବିତୀୟ ମାମଲା ପ୍ରକୃତିଙ୍କ ବିରୋଧରେ ରୁଜୁ ହୋଇଛି।

ନିଜର ଅଭିଯୋଗରେ ତୃପ୍ତି ସେଦିନର ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ଜୀବନ ଓ ପୁଅର ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି। ସେହିପରି ବାବୁସାନଙ୍କୁ ପ୍ରକୃତି ହଇରାଣ କରୁଛନ୍ତି ବୋଲି ତୃପ୍ତି କହିଛନ୍ତି। ଉଭୟ ମାମଲାରେ ପୋଲିସ ତୃପ୍ତିଙ୍କ ସହିତ ଅନ୍ୟମାନଙ୍କର ବୟାନ ରେକର୍ଡ କରିଥିଲା।