ମନେ ପଡ଼ିଲେ ସହିଦ ଶ୍ରୀନିବାସ ପାତ୍ର | News Room Odisha

ମନେ ପଡ଼ିଲେ ସହିଦ ଶ୍ରୀନିବାସ ପାତ୍ର

ବ୍ରହ୍ମପୁର: ଆଜି ସାରା ଦେଶ ପାଳନ କରୁଛି ୨୨ଶ କାରଗିଲ୍ ବିଜୟ ଦିବସ। ଆଜିର ଦିନରେ ପାକିସ୍ତାନ ସେନା ଓ ଆତଙ୍କବାଦୀଙ୍କ ମିଳିତ ବାହିନୀକୁ ସେମାନେ ଅନୁପ୍ରବେଶ କରି ମାଡ଼ି ବସିଥିବା ହିମାଳୟ ପର୍ବତ ଶିଖରରୁ ବୀରତ୍ବର ସହକାରେ ତଡ଼ି ଦେଇଥିଲେ ଭାରତୀୟ ସେନା ବାହିନୀ। ହେଲେ ଭାରତୀୟ ସେନା ବାହିନୀର ଅନେକ ବୀର ଦେଶମାତୃକା ପାଇଁ ସହିଦ ହୋଇ ନିଜ ପରାକ୍ରମର ଅମର ଗାଥା ଯୁଗ ଯୁଗ ପାଇଁ ଛାଡି ଯାଇଛନ୍ତି। ଆମ ଓଡ଼ିଶା ମାଟିର ଅନେକ ବୀର ଯବାନ ମଧ୍ୟ ସେମାନଙ୍କ ମଧ୍ୟରେ ରହିଛନ୍ତି। ସେପରି ଜଣେ ଅମର ଯବାନ ହେଉଛନ୍ତି ଗଞ୍ଜାମ ମାଟିର ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମର ବୀରପୁତ୍ର ସହୀଦ ଶ୍ରୀନିବାସ ପାତ୍ର। ଦେଶ ୨୨ଶ କାରଗିଲ୍ ଦିବସ ପାଳନ କରୁଥିବା ବେଳେ ସେହି ବୀରଙ୍କ ମଧ୍ୟ ସ୍ମୃତିଚାରଣ କରାଯାଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ କାରଗିଲ୍ ବିଜୟ ଦିବସରେ ତାଙ୍କ ଗାଁରେ ସ୍ମୃତି ସଭା ହୋଇଥିଲା। ପ୍ରଶାସନ ସହଯୋଗରେ ବ୍ରହ୍ମପୁରର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘ ଦ୍ୱାରା ଏହି କାର୍ଯ୍ୟକ୍ରମ ହୋଇଥିଲା। ସଂଘ ସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ମିଶି ସ୍ବର୍ଗତ ଶ୍ରୀନିବାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ଅମର ଗାଥା ସ୍ମରଣ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତାମାନେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସହ ମିଶି ପ୍ରତିମୃର୍ତ୍ତି ସ୍ଥଳ ସଫା କରି ସ୍ମୃତି ସଭା କରିଥିଲେ। ସହିଦ ଶ୍ରୀନିବାସ ଅମର ରହେ ସ୍ଲୋଗାନରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଧନ୍ୟ ତାଙ୍କ ବୀରତ୍ବ, ଧନ୍ୟ ଏ ମାଟି ବୋଲି ସମସ୍ତେ କହି ଉଠିଥିଲେ।