ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା: ଗଞ୍ଜାମରେ ୬୨ ସେବା କେନ୍ଦ୍ରକୁ ଉପକରଣ ବଣ୍ଟନ | News Room Odisha

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା: ଗଞ୍ଜାମରେ ୬୨ ସେବା କେନ୍ଦ୍ରକୁ ଉପକରଣ ବଣ୍ଟନ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗଞ୍ଜାମ ଜିଲ୍ଲାର ଚାଷୀମାନଙ୍କୁ ମିଳିଛି ସହାୟତା। ମିଶନ୍ ଶକ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଜୀବିକା ମିଶନ୍ ଅନ୍ତର୍ଗତ ଜିଲ୍ଲାର ୬୨ଟି ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ ଚିହ୍ନଟ କରାଯାଇଛି। ସେହି ସଂଘ ଗୁଡ଼ିକ ଦ୍ଵାରା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସ୍ଥାପନ କରାଯିବ କୃଷି ସେବା କେନ୍ଦ୍ର। ତାହା ଜରିଆରେ କୃଷକମାନେ ଏସ୍ଏଚ୍‌ଜି ମାଧ୍ୟମରେ ଭଡ଼ା ସୂତ୍ରରେ ଟ୍ରାକ୍ଟର୍, ରୋଟାଭେଟର୍, ପାୱାର ଟିଲର୍, ପାଓ୍ବାର ସ୍ପ୍ରେୟର୍, ପମ୍ପସେଟ୍‌, ଡାଲି କଳ, ଧାନ କଳ, ତେଲ କଳ ଇତ୍ୟାଦି କୃଷି ଉପକରଣ ନେଇପାରିବେ। ତାହାକୁ ଚାଷ କାର୍ଯ୍ୟରେ ବ୍ୟବହାର କରି ନିଜ ଅମଳ ବୃଦ୍ଧି କରିପାରିବେ। ସହଜ ଓ ସ୍କୁଲଭରେ ଚାଷବାସ କରି ଲାଭବାନ ହୋଇପାରିବେ। ଉକ୍ତ ଯୋଜନା ମାଧ୍ୟମରେ ପଞ୍ଚାୟତସ୍ତରୀୟ ସଂଘମାନେ ଶତକଡ଼ା ୫୦ ପ୍ରତିଶତ ରିହାତି ପାଇପାରିବେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଇବେ ପଞ୍ଚାୟତସ୍ତରୀୟ ସଂଘ ଓ ସ୍ବୟଂ ସହାୟିକା ଗୋଷ୍ଠୀ। ଗୋଟିଏ ପଟେ ଚାଷୀଙ୍କୁ ଲାଭ ମିଳିବ ତ ଆରପଟେ ଏସ୍ଏଚ୍‌ଜିଙ୍କ ପାଇଁ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହେବ।

ଚାଷୀମାନେ ଯେପରି କୃଷି କାର୍ଯ୍ୟରେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ସୁଯୋଗ ପାଇପାରିବେ, କୃଷି ଉତ୍ପାଦନ ବୃଦ୍ଧି ପାଇବ ସେଥିପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଓ ସୋରଡ଼ା ବ୍ଲକ୍‌ର ୧୦ଟି ଲେଖାଏଁ, ଛତ୍ରପୁର ବ୍ଲକ୍‌ର ୯ଟି, ଖଲ୍ଲିକୋଟ ବ୍ଲକ୍‌ର ୭ଟି, ରଙ୍ଗେଇଲୁଣ୍ଡା ବ୍ଲକ୍‌ର ୬ଟି, କବିସୂର୍ଯନଗର ବ୍ଲକ୍‌ର ୫ଟି, ବେଗୁନିଆପଡ଼ା, ଚିକିଟି ଓ ପାତ୍ରପୁର ବ୍ଲକ୍‌ର ୪ଟି ଲେଖାଏଁ ଏବଂ ଶେରଗଡ଼ ବ୍ଲକର ୩ଟି ସଂଘକୁ ଏହି ଯୋଜନାରେ ସାମିଲ କରାଯାଇଛି। ଉକ୍ତ ଯୋଜନାରେ ଦିଆଯାଇଥିବା ଟ୍ରାକ୍ଟର ଓ ଟ୍ରେଲର୍‌ ଆବଣ୍ଟନକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହି ଅବସରରେ ଅନ୍ୟ ଅଧିକାରୀଙ୍କ ସମେତ ୧୦ଟି ବ୍ଲକ୍‌ର ଗୋଷ୍ଠୀ ପ୍ରକଳ୍ପ ପରିଚାଳକ, ୬୨ଟି ଗ୍ରାମପଞ୍ଚାୟତ ସ୍ତରୀୟ ସଂଘର ସଭାନେତ୍ରୀ, ସମ୍ପାଦିକା ଏବଂ ଏମବିକେ ଉପସ୍ଥିତ ଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ ଓଡ଼ିଶା ଜୀବିକା ମିଶନ୍ ପ୍ରୟାସରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆନୁକୂଲ୍ୟରେ ଜିଲ୍ଲାର ୬୨ଟି ପଞ୍ଚାୟତସ୍ତରୀୟ ସଂଘ ଦ୍ଵାରା ଏସ୍ଏଚ୍‌ଜି ସ୍ଵାବଲମ୍ବୀ ହୋଇପାରିବେ। ଏହା ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଧାର କରିବା ସହ କୃଷକଗଣ ଚାଷବାସରେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଅମଳକୁ ବୃଦ୍ଧି କରିପାରିବେ।