ଗଜପତିରୁ କନ୍ୟା ସନ୍ତାନକୁ ପୋଷ୍ୟ ଗ୍ରହଣ କଲେ ସ୍ପେନୀୟ ମହିଳା | News Room Odisha

ଗଜପତିରୁ କନ୍ୟା ସନ୍ତାନକୁ ପୋଷ୍ୟ ଗ୍ରହଣ କଲେ ସ୍ପେନୀୟ ମହିଳା

ପାରଳାଖେମୁଣ୍ଡି: ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ସାତ ଦରିଆ ପାର୍ ସ୍ପେନ୍‌କୁ ନିଜ ମା’ ସହ ଯିବ ୧୦ ବର୍ଷୀୟା ଝିଅ ବିଜୟଲକ୍ଷ୍ମୀ l ହେଲେ ଏଇ ମା’ ବିଜୟଲକ୍ଷ୍ମୀକୁ ଜନ୍ମ ଦେଇଥିବା ନିଜ ମା’ ନୁହଁ ବରଂ ଆଗାମୀ ଦିନରେ ତାକୁ ଲାଳନପାଳନ କରି ତାର ଭବିଷ୍ୟତକୁ ସୁନ୍ଦର ଓ ଉନ୍ନତ ଭାବେ ଗଢ଼ି ତୋଳିବାକୁ ଯାଉଥିବା ସ୍ପେନ୍‌ର ୫୦ ବର୍ଷୀୟ ମହିଳା ମାରିଆ ତେରେସା। ନିଜର କେହି ବୋଲି ନଥିବା ବିଜୟଲକ୍ଷ୍ମୀକୁ ମିଳିଗଲେ ନୂଆ ମା’। ବଦଳିଯିବ ବିଜୟଲକ୍ଷ୍ମୀର ପରିଚୟ ଓ ଠିକଣା। ଆଉ ଏକ ଅନାଥ କନ୍ୟା ସନ୍ତାନର ଆଗାମୀ ଦିନ ସୁଧୁରିଯିବ। ଏଥିସହ ପାରଳାଖେମୁଣ୍ଡିସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ତାହାର ୩୦ତମ ସଫଳତା ପାଇପାରିଛି। ବିଜୟଲକ୍ଷ୍ମୀ ହେଉଛନ୍ତି ଏହି କେନ୍ଦ୍ରର ୩୦ତମ ଅନାଥ ଶିଶୁ ଯାହାଙ୍କୁ ଦେଶ ବା ବିଦେଶରୁ କେହି ଦମ୍ପତି ବା ମହିଳା ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।

ବିଜୟଲକ୍ଷ୍ମୀଙ୍କୁ ମିଳିଛି ନୂଆ ମା’ କୋଳ। ଦୁଇ ବର୍ଷ ତଳେ ଅସହାୟ ଓ ଅବହେଳିତ ଅବସ୍ଥାରେ ବିଜୟଲକ୍ଷ୍ମୀଙ୍କୁ ମୋହନାରୁ ଉଦ୍ଧାର କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡଲାଇନ୍ କର୍ମକର୍ତ୍ତା ତାକୁ ଜିଲ୍ଲା ସଦର ମହକୁମାର ଏକ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନରେ ଆଶ୍ରୟ ଦେଇଥିଲେ। ବିଜୟଲକ୍ଷ୍ମୀଙ୍କ ବାବଦରେ ତଥ୍ୟ ସହ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ପୋର୍ଟାଲରେ ଅପ୍‌ଲୋଡ୍ କରାଯାଇଥିଲା। ବିଜୟଲକ୍ଷ୍ମୀଙ୍କ କେହି ପରିବାର ତଥା ସମ୍ପର୍କୀୟ ନଥିବା ସ୍ପଷ୍ଟ ହେବା ପରେ ଗଜପତି ଜିଲ୍ଲା ଶିଶୁ ମଙ୍ଗଳ ସମିତି ପରବର୍ତ୍ତୀ ପଦକ୍ଷେପ ପାଇଁ ଆଇନଗତ ସ୍ବୀକୃତି ପ୍ରଦାନ କରିଥିଲା। କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ପୋର୍ଟାଲ୍‌ରୁ ଅବଗତ ହୋଇଥିଲେ ତେରେସା। ଏହା ପୂର୍ବରୁ ସେ ଦୀର୍ଘ ସମୟ ଧରି ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରିଥିଲେ। ଏବେ ବିଜୟଲକ୍ଷ୍ମୀଙ୍କ ଦରଖାସ୍ତ ପରେ ତାହାକୁ ପରୀକ୍ଷା ନୀରିକ୍ଷା କରାଯାଇ ଥିଲା ଓ ବିଜୟଲକ୍ଷ୍ମୀକୁ ପାଳିତ କନ୍ୟା ସନ୍ତାନ ରୂପେ ଗ୍ରହଣ ପାଇଁ ତେରେସାଙ୍କୁ ଯୋଗ୍ୟ ବିବେଚିତ କରାଯାଇ ଥିଲା। ଜିଲ୍ଲାପାଳଙ୍କ ଅନୁମୋଦନ ପରେ ତାହା ଚୂଡ଼ାନ୍ତ ହୋଇଥିଲା ଓ ବିଧିବଦ୍ଧ ଭାବେ ବିଜୟଲକ୍ଷ୍ମୀଙ୍କୁ ତେରେସାଙ୍କୁ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ବିଜୟଲକ୍ଷ୍ମୀଙ୍କ ପାଳିତା ମା’ ତେରେସା ଗଜପତି ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି କି ଜଣେ ଅନାଥଙ୍କୁ ମା’ କୋଳ ମିଳିବା ନିଶ୍ଚିତ ଖୁସିର କଥା। ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଇଛି। ଏହା ପରେ ବିଜୟଲକ୍ଷ୍ମୀଙ୍କୁ ତେରେସାଙ୍କୁ ହସ୍ତାନ୍ତର କରାଯାଉଛି। ବିଜୟଲକ୍ଷ୍ମୀଙ୍କ ଭବିଷ୍ୟତ ସମୟରେ ମଧ୍ୟ ଲାଳନପାଳନ ବାବଦରେ ନଜର ରଖାଯିବ। ତେରେସା ନିଶ୍ଚିତ ଭାବେ ବିଜୟଲକ୍ଷ୍ମୀଙ୍କ ଉତ୍ତମ ଭବିଷ୍ୟତ ଗଢ଼ିପାରିବେ। ସେ ଭବିଷ୍ୟତରେ ଜଣେ ଉତ୍ତମ ମଣିଷ ହୋଇପାରିବ।