ଭୁବନେଶ୍ବର – ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସଂପର୍କକୁ ନେଇ ବିବାଦରେ ଫସିଥିବା ଅଭିନେତା ବାବୁସାନ ଆଜି ସକାଳେ ଚେନ୍ନାଇରୁ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ବିଶେଷ କିଛି କହି ନଥିଲେ । ତାଙ୍କୁ ତାଙ୍କ ବାପାମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ ବୋଲି କହିଥିଲେ ବାବୁସାନ । ଯାହା କହିବା କଥା ତାହା ଠିକ୍ ସମୟରେ କହିବେ । ସୂଚନାଯୋଗ୍ୟ, ଗତକାଲି ସେ ଭୁବନେଶ୍ବରକୁ ଆସୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଇଣ୍ଡିଗୋ ବିମାନରେ ସେ ଚେନ୍ନାଇରୁ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଅଶା କରାଯାଉଥିଲା। ହେଲେ ବିମାନଟି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ସେଥିରୁ ଯାତ୍ରୀମାନେ ବାହାରକୁ ଆସିଥିଲେ ମଧ୍ୟ ବାବୁସାନୁ ବିମାନରୁ ଓହ୍ଲାଇବାର କେହି ଦେଖିବାକୁ ପାଇଲେନି। ଏଣେ ଓହ୍ଲାଇଥିବା କିଛି ଯାତ୍ରୀ ବାବୁଙ୍କୁ କେବଳ ଚେନ୍ନାଇରେ ଦେଖିଥିବା କହିଥିଲେ। ଗତ ୨୩ ତାରିଖ ସକାଳେ ଓଡ଼ିଆ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଘଟଣା ପରେ ଷ୍ଟାର ପରିବାର ମଧ୍ୟରେ ବିବାଦ ବଢ଼ିଥିଲା। ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସଂପର୍କ ନେଇ ପାରିବାରିକ ବିବାଦ ବଢ଼ିବାରେ ଲାଗିଥିଲା। ଉଭୟ ପରିବାର ପକ୍ଷରୁ ଆରୋପ ପ୍ରତ୍ୟାରୋପ ହୋଇଥିଲା। କିନ୍ତୁ ନିଜ ନିଜ ପ୍ରତିକ୍ରିୟାରେ ଉଭୟ ବାବୁସାନ୍ ଓ ପ୍ରକୃତି ମିଶ୍ର ଭଲ ବନ୍ଧୁ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ଭିଡିଓ ଜାରି କରି କହିଥିଲେ। ତେବେ ଏହି ଘଟଣାକୁ ନେଇ ଖାରବେଳନଗର ଥାନାରେ ୨ଟି ମାମଲା ରୁଜୁ ହୋଇଛି।