ଯୁକ୍ତ ଦୁଇ ବିଜ୍ଞାନରେ ୯୪ ଦଶମିକ ୧୨ ପ୍ରତିଶତ ଓ ବାଣିଜ୍ୟରେ ୮୯ ଦଶମିକ ୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ , ଅଗଷ୍ଟ ୮ରେ କଳା ପରୀକ୍ଷା ଫଳ | News Room Odisha

ଯୁକ୍ତ ଦୁଇ ବିଜ୍ଞାନରେ ୯୪ ଦଶମିକ ୧୨ ପ୍ରତିଶତ ଓ ବାଣିଜ୍ୟରେ ୮୯ ଦଶମିକ ୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ , ଅଗଷ୍ଟ ୮ରେ କଳା ପରୀକ୍ଷା ଫଳ

ଭୁବନେଶ୍ବର -ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଏଚଏସଇ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି । www.orrisaresults.nic.in ୱେବସାଇଟ ମାଧ୍ୟମରେ ରେଜଲ୍ଟ ଉପଲବ୍ଧ ହେଉଛି।

ଏଥର ବିଜ୍ଞାନରେ ପାସ୍‌ ହାର ୯୪.୧୨ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୮୯.୨୦% ପାସ୍‌ ହାର ରହିଛି। ଚଳିତ ବର୍ଷ ବିଜ୍ଞାନରେ ୩୯ ହଜାର ୫୮୭ ଜଣ ଛାତ୍ର ଓ ୩୨ ହଜାର ୫୧୯ ଜଣ ଛାତ୍ରୀ ପାସ୍ କରିଛନ୍ତି । ୫୦ ହଜାର ୧୫୭ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ଜଣ ଓ ତୃତୀୟ ଶ୍ରେଣୀରେ ୬ ହଜାର ୯୧୦ ପିଲା ପାସ୍ କରିଛନ୍ତି । ନୟାଗଡ ଜିଲ୍ଲାରେ ସବୁଠୁ ଅଧିକ ପିଲା ପାସ୍ କରିଛନ୍ତି । ଫୁଲବାଣୀ ଜିଲ୍ଲାରେ ପାସହାର ସର୍ବନିମ୍ନ ରହିଛି । ରାଜ୍ୟର ୩୯୩ କଲେଜରେ ପାସହାର ଶତ ପ୍ରତିଶତ ରହିଛି ।
ବାଣିଜ୍ୟ ବିଭାଗରେ ୨୩ ହଜାର ୭୨୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧ ହଜାର ୧୬୫ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୧୩ ହଜାର ୨୧୧ ଜଣ ଛାତ୍ର ପାସ୍ କରିଥିବାବେଳେ, ୭୯୫୪ ଜଣ ଛାତ୍ରୀ ପାସ୍ କରିଛନ୍ତି । ମୋଟ ୧୦ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଜଣ ପିଲା ପାସ୍ କରିଛନ୍ତି । ତା ସହିତ ୫୨୪୨ ଜଣ ପରୀକ୍ଷାର୍ଥୀ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ବାଣିଜ୍ୟ ବିଭାଗରେ ୧୩୪ ଟି କଲେଜରେ ପିଲା ଶତ ପ୍ରତିଶତ ପାସ୍ କରିଛନ୍ତି ।

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଅଗଷ୍ଟ ୮ତାରିଖରେ ପ୍ରକାଶ ପାଇବ।