ରାଜ୍ୟରେ ପ୍ରଥମ ଥର ପାଇଁ ଗଡିବ ଇ-ବସ ଓ ଇ-ରିକ୍ସା, ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ | News Room Odisha

ରାଜ୍ୟରେ ପ୍ରଥମ ଥର ପାଇଁ ଗଡିବ ଇ-ବସ ଓ ଇ-ରିକ୍ସା, ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର – ରାଜ୍ୟରେ ପ୍ରଥମ ଥର ଗଡିବ ଇ-ବସ ଏବଂ ଇ-ରିକ୍ସା। ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ ଏବଂ ଅଙ୍ଗାରକାମ୍ଳ ନିର୍ଗତ ପରିମାଣ ହ୍ରାସ କରିବାରେ ଏହା ସହାୟକ ହେବ। ଆଜିଠାରୁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୦ ଇ-ବସ ଏବଂ ୪୫ ଇ-ରିକ୍ସା ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଟାରେ ବିମାନ ବନ୍ଦର ରାସ୍ତାରେ ପତାକା ଦେଖାଇ ଇ- ଇ-ଯାନର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି।

ପେଟ୍ରୋଲ ଓ ଡିଜେଲ ଚାଳିତ ବସ ଚଳାଚଳ କରୁଥିବାରୁ ବାୟୁମଣ୍ଡଳରେ ପ୍ରଦୂଷଣ ବଢୁଛି। ଏହାକୁ ହ୍ରାସ କରିବା ନିମନ୍ତେ ରାଜଧାନୀରେ କ୍ରୁଟ ପକ୍ଷରୁ ଇ-ବସ ଓ ଇ-ରିକ୍ସା ଚଳାଚଳ କରିବ। ଏଥିପାଇଁ କ୍ରୁଟ ୧୦ ଇ-ବସ ଆଣି ପରୀକ୍ଷାମୂଳକ ଭାବେ ସହରର ବିଭିନ୍ନ ମାର୍ଗରେ ଚଳାଚଳ କରିସାରିଛି ।

ରାଜଧାନୀରେ ମୋଟ ୫୦ଟି ଇ-ବସ ଚଳାଇବାକୁ କ୍ରୁଟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ଇ-ବସ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ୪୦ ଇ-ବସ ଆଣି ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି।