ମହିଳା ଚାଷୀଙ୍କ ପାଇଁ ବରଦାନ ସାଜିଛି ଏପିସି ଯୋଜନା | News Room Odisha

ମହିଳା ଚାଷୀଙ୍କ ପାଇଁ ବରଦାନ ସାଜିଛି ଏପିସି ଯୋଜନା

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବରଦାନ ସାଜିଛି ( ଏଗ୍ରିକଲଚରାଲ୍ ପ୍ରଡକ୍ସନ୍ ଗ୍ରୁପ୍) ଏପିସି ଯୋଜନା। ଜିଲ୍ଲାର ପ୍ରତ୍ୟେକ ବ୍ଲକର ୩୫ ହଜାର ୨୭ ଜଣ ମହିଳା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବାକୁ ଏହି ପ୍ରକଳ୍ପ ଏବେ ସକ୍ରିୟତାର ସହ କାମ କରୁଛି। ୨୦୧୮ ମସିହାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦଶେରେ ରାଜ୍ୟର ୪୦ଟି ଆଦିବାସୀବହୁଳ ବ୍ଲକରେ ଏହି ଯୋଜନା ସଫଳତାର ସହ କାମ କରି ଆସୁଛି। ଏଥିରେ କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ ରହିଛି।

ଉଦ୍ୟାନ କୃଷି ବିଭାଗ ଏହି ଯୋଜନାର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରୁଥିବା ବେଳେ କେନ୍ଦୁଝରର ସଦର, ଝୁମ୍ପୁରା, ପାଟଣା ଏବଂ ବାଂଶପାଲ ବ୍ଲକରେ ମହିଳା ଚାଷୀ ଏଥିରୁ ବିଶେଷ ଭାବେ ଉପକୃତ ହେଉଛନ୍ତି। ଏହାର କାର୍ଯ୍ୟାନ୍ବୟନରେ କୃଷି ସହିତ ଜଡିତ ସମସ୍ତ ବିଭାଗ ବି ଯୋଜନାର ସଫଳତାରେ ଭାଗିଦାରୀ ରହିଛନ୍ତି। ଏପିସି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସ୍କିମ୍ କାର୍ଯ୍ୟକାରୀ ହୋଇଆସୁଛି। ଆଉ ଏହାର ସଫଳ ରୂପାୟନ ପାଇଁ ବିଭିନ୍ନ ଏନଜିଓ ଗୁଡିକୁ ଦାୟିତ୍ବ ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ, ଏହି ଯୋଜନାର ସଫଳତାକୁ ଏବେ ଆହୁରୀ ଦିଗନ୍ତପ୍ରସାରୀ କରିବାକୁ ଏଥିରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍) ହାତ ବଢାଇଛି। ଗତ ୨୦୨୧ ମସିହାରୁ ଡିଏମଏଫକୁ ଏହି ଯୋଜନାରେ ସାମିଲ କରିବାକୁ ଅନୁମତି ଦିଆଯାଇଛି। ଏ ପର୍ଯ୍ୟନ୍ତ ଜିଲ୍ଲାରେ ଏପିସି ଯୋଜନାରେ ୩୫ ହଜାର ୨୭ ଜଣ ମହିଳା ଚାଷୀ ବିଭିନ୍ନ ପ୍ରକାର ଚାଷ ବିଶେଷ କରି ପନିପରିବା ଉତ୍ପାଦନ କରି ବେଶ୍ ଲାଭବାନ ହୋଇପାରିଛନ୍ତି। ଫଳରେ ପନିପରିବା ଚାଷର ଏରିଆ ଇତିମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଏହି ବର୍ଷ। ଋତୁରେ ପ୍ରାୟ ୨ ହଜାର ହେକ୍ଟର ଜମିରେ ଉନ୍ନତ କିସମର ବିହନ ଦ୍ବାରା ତଥା ଉନ୍ନତ ପଦ୍ଧତିରେ ବାଇଗଣ, କଲରା, ଲଙ୍କା, ଟମାଟୋ, ବାଇତାଳୁ ଏବଂ କଙ୍କଡ ଚାଷ କରାଯାଉଛି। ସେହିପରି ୫୩ ଜଣ ଚାଷୀ ଏହି ଯୋଜନା ମାଧ୍ୟମରେ ଛେଳି କୁକୁଡା ଚାଷ ପାଇଁ ସହଯୋଗ ପାଇ ଆସିଛନ୍ତି।

ଏହାବାଦ୍ ଜୈବିକ ଚାଷ, ବୁନ୍ଦା ଜଳସେଚନ ସମେତ ଶୀତଳଭଣ୍ଡାରର ସୁବିଧା ବି ଚାଷୀଙ୍କ ପାଇଁ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଗତ ଖରାଦିନରେ ଘଟଗାଁ ବ୍ଲକ ବୃନ୍ଦାବନପୁର ଗାଁର ମାଁ ବୃନ୍ଦାବତୀ ଉତ୍ପାଦକ ଗୋଷ୍ଠୀର ମୁକ୍ତାମଣୀ ମହାନ୍ତ ନାମକ ଜଣେ ମହିଳା ଚାଷୀ ଟ୍ରେଲିଜ୍ ପଦ୍ଧତିରେ ଉଦ୍ୟାନ ବିଭାଗ ସହାୟତାରେ ମାତ୍ର ୩୦ ଡେସିମିଲ ଜମିରେ କଲରା ଚାଷ କରି ପ୍ରାୟ ୫୭ ହଜାର ଟଙ୍କା ଉପାର୍ଜନ କରିପାରିଛନ୍ତି। ଏଥିରେ ସେହି ଅଞ୍ଚଳରେ କାର୍ଯ୍ୟରତ ଥିବା ଏନଜିଓ ଡବ୍ଲୁସିଏ ସହାୟତା ଯୋଗାଇଥିଲା। ହେଲେ ପୂର୍ବରୁ ସେହି ସମାନ ଜମିରେ ନିଜର ପୁରୁଣା ପଦ୍ଧତିରେ ଚାଷ କରି ମାତ୍ର ୨୦ରୁ ୨୫ ହଜାର ଟଙ୍କା ମଧ୍ୟରେ ଉପାର୍ଜନ କରି ଆସୁଥିଲେ। ବର୍ତ୍ତମାନ ତାଙ୍କୁ ଦେଖି ଅନ୍ୟ ମହିଳା ଚାଷୀ ବି ଏହି ପଦ୍ଧତି ଆପଣାଇବାକୁ ଆଗ୍ରହୀ ଅଛନ୍ତି।

ସେହିପରି ତେଲକୋଇ ବ୍ଲକର ସରୁବାଲି ଗାଁର ଅରବିନ୍ଦ ଉତ୍ପାଦକ ଗୋଷ୍ଠୀର ୩୫ ଜଣ ମହିଳା ଚାଷୀ ଗତ ଖରାଦିନରେ ୨୩ ଏକର ଜମିରେ ୧୬୮ ମେଟ୍ରିକ ଟନ୍ ତରଭୁଜ ଉତ୍ପାଦନ କରି ୨୦ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି। ଏହି ତରଭୁଜ ଓଡିଶାର ବିଭିନ୍ନ ସ୍ଥାନକୁ ରତ୍ପାନି ହୋଇଛି। ମୋଟ୍ ଉପରେ ଏପିସି ଯୋଜନା ଆଦିବାସୀ ତଥା ଗରିବ ଶ୍ରେଣୀର ମହିଳାଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବାରେ ଏକ ବଳିଷ୍ଠ ଭୂମିକା ନେଇ ଆସୁଛି।