ବର୍ଡର ସିକ୍ୟୁରିଟି ଇକ୍ୟୁପ୍‌ମେଣ୍ଟ୍‌ ନିର୍ମାଣ କଲେ ଲାଇନ୍‌ମ୍ୟାନ୍ | News Room Odisha

ବର୍ଡର ସିକ୍ୟୁରିଟି ଇକ୍ୟୁପ୍‌ମେଣ୍ଟ୍‌ ନିର୍ମାଣ କଲେ ଲାଇନ୍‌ମ୍ୟାନ୍

ପାରଳାଖେମୁଣ୍ଡି: ମାଟି ଖୋଳି ଆସୁ, ଗୁପ୍ତ ସୁଡ଼ଙ୍ଗ ପଟେ ଆସୁ କିମ୍ବା ଭୂପୃଷ୍ଠ ଉପରେ ଚାଲି ଚାଲି ଆସୁ ଅଥବା ତାରବାଡ଼ କାଟି ସୀମା ବାଟେ ଶତ୍ରୁ ଲୁଚାଛପାରେ ଅନୁପ୍ରବେଶ ଉଦ୍ୟମ କରୁ, ତୁରନ୍ତ ଧରାପଡ଼ିଯିବ। କାରଣ ସେ ଏଭଳି ଅପପ୍ରୟାସ କରିବା ମାତ୍ରେ ସେନାବାହିନୀକୁ ତୁରନ୍ତ ଗୁପ୍ତ ସୂଚନା ମିଳିଯିବ। ସାଇରନ୍ ବାଜି ଉଠିବ ଓ ସତର୍କ ଆଲୁଅ ଜଳି ଉଠିବ ଆଉ ସେନାର ଯବାନ ତୁରନ୍ତ ଶତ୍ରୁକୁ କାବୁ କରିନେବେ ବା ତାଙ୍କୁ ମାତ୍ ଦେଇ ପଛଘୁଞ୍ଚା ଦେବାକୁ ବାଧ୍ୟ କରିବେ। ଏସବୁ ହେବ ଏକ ନିଆରା ଉପକରଣ ମାଧ୍ୟମରେ ଯାହାକୁ ପ୍ରସ୍ତୁତ କରିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚନ୍ଦ୍ରଗିରିରେ ଲାଇନ୍‌ମ୍ୟାନ୍‌ ଭାବେ କାର୍ଯ୍ୟରତ ଜଣେ ଯୁବକ ସମୀର ପ୍ରଧାନୀ। ତାଙ୍କର ଏହି ପ୍ରକଳ୍ପ ଯଦିଓ ବିଧିବଦ୍ଧ ଭାବେ ସରକାରୀ ଅନୁମୋଦନ ଅପେକ୍ଷାରେ ରହିଛି, ତଥାପି ଏ ନେଇ ବେଶ୍‌ ଚର୍ଚ୍ଚା ହେଲାଣି।

ସମୀର ନିଜ ଉପକରଣ ବା ମେସିନ୍ ବାବଦରେ କହିଛନ୍ତି ଯେ ଏହା ୬୦୦ ମିଟର ଦୂରତା ମଧ୍ୟରେ କାମ କରିବ। ଉକ୍ତ ମେସିନ୍‌ରେ ଲାଗିଥିବା ସେନ୍ସର ମଣିଷ ଶରୀରର ତାପମାତ୍ରା, ଶାରୀରିକ ଗଠନ ଶୈଳୀ ଓ ଚର୍ମ ଆଦି ସମ୍ବନ୍ଧିତ ଫିଡ୍ ହୋଇଥିବା ତଥ୍ୟରୁ ସୀମା ଆରପଟୁ କେହି ଅନୁପ୍ରବେଶ କଲେ ସତର୍କ ସୂଚନା ପ୍ରେରଣ କରିବ। ଏପରିକି ଅନୁପ୍ରବେଶକାରୀ ଶତ୍ରୁ ଦେଶର ସୈନିକ କିମ୍ବା ଆତଙ୍କବାଦୀ ଆମ ଦେଶ ସୀମାରେ ଲାଗିଥିବା ତାରବାଡ଼ ଭାଙ୍ଗି ବା ତାରଜାଲି କାଟି ପଶି ଆସିବାକୁ ଚେଷ୍ଟା କରିବ ତେବେ ଉକ୍ତ ମେସିନ୍‌ର ଆଲୁଅ ଜଳି ଜଣାଇଦେବ ଯେ କେଉଁ ସ୍ଥାନରେ ବା କେଉଁ କେଉଁ ତାରବାଡ଼ ମଧ୍ୟରେ ଏଭଳି ଅନୁପ୍ରବେଶ ଉଦ୍ୟମ ହୋଇଛି। ଏହି ଉପକରଣରେ ସେନ୍ସର୍ ସମେତ ବିଭିନ୍ନ ଇଲେକଟ୍ରିକାଲ ଓ ଇଲେକଟ୍ରୋନିକ୍ସ ଯନ୍ତ୍ରପାତି ଖଞ୍ଜାଯାଇଛି। ସେ ଆହୁରି କହିଛନ୍ତି ଯେ ମୁଁ ଚନ୍ଦ୍ରଗିରି ଆଇଟିଆଇରେ ପଢୁଥିବା ସମୟରେ ଯାହା ବୈଷୟିକ ଜ୍ଞାନକୌଶଳ ବାବଦ ତାଲିମ ପାଇଥିଲି ଓ ବର୍ତ୍ତମାନ ଲାଇନ୍‌ମ୍ୟାନ୍‌ ଭାବେ କାର୍ଯ୍ୟ କରି ଯେଉଁ ଅନୁଭୂତି ପାଉଛି ତାହାର ମିଶ୍ରଣ ସାଙ୍ଗକୁ ନିଜସ୍ୱ ବୁଦ୍ଧି ଓ କୌଶଳ ପ୍ରୟୋଗ କରି ଏହି ମେସିନ୍ ତିଆରି କରିଛି। ଏହା ସେନା ବାହିନୀ, ବର୍ଡର୍ ସିକ୍ୟୁରିଟି ଫୋର୍ସ, ସଶସ୍ତ୍ର ସୀମା ବଳ, ଆଇଟିବିପି ଆଦିଙ୍କୁ ସୀମା ସୁରକ୍ଷା କ୍ଷେତ୍ରରେ ବେଶ୍ ସହାୟକ ହୋଇପାରିବ।

ସମୀରଙ୍କ କହିବା ମୁତାବକ ସୀମାରେ ଅନୁପ୍ରବେଶକାରୀଙ୍କ ଆକ୍ରମଣରେ ଯବାନଙ୍କ ସହିଦ ହେବା ଖବର ମୋତେ ବାରମ୍ବାର ବ୍ୟଥିତ କରୁଥିଲା। କିଭଳି ଯବାନଙ୍କ ଜୀବନ ରକ୍ଷା ହୋଇପାରିବ, ସେଥିପାଇଁ ବହୁ ଚିନ୍ତା କରି ମୁଁ ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛି। ନିଜସ୍ୱ ଉଦ୍ୟମରେ ୭ ହଜାର ଟଙ୍କା ଖର୍ଚ୍ଚ କରି ଅନ୍‌ଲାଇନରେ କିଛି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି କିଣିଥିଲି। ତା ସହ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ଏହି ମେସିନ୍ ନିର୍ମାଣ କରିଛି ବୋଲି କହିଛନ୍ତି ସେ। ଦେଶ ସୁରକ୍ଷା ପାଇଁ ତାଙ୍କର ଏହି ନୂଆ ଜ୍ଞାନକୌଶଳ ଆଧାରିତ ଉପକରଣକୁ ସରକାର ପରୀକ୍ଷା କରି ପ୍ରୟୋଗ କରିବେ ବୋଲି ଆଶାବାଦୀ ସମୀର। ସରକାରୀ ପ୍ରୋତ୍ସାହନ ମିଳିଲେ ଆଗକୁ ବଡ଼ ବଡ଼ ଅଭିନବ ପ୍ରକଳ୍ପ ତିଆରି କରିପାରିବେ ବୋଲି ସେ କହିଛନ୍ତି। ନିଜ ଅନୁଷ୍ଠାନର ଜଣେ ପୂର୍ବତନ ଛାତ୍ରଙ୍କ ଏଭଳି ନିଆରା ଓ ଚର୍ଚ୍ଚିତ ପ୍ରକଳ୍ପ ପାଇଁ ସମୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଚନ୍ଦ୍ରଗିରି ଆଇଟିଆଇ ଅଧ୍ୟକ୍ଷ ଜଗଦୀଶ ହାଇବ୍ରୁ।