ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ପିଏମ୍ଇସି ଆସିଷ୍ଟାଣ୍ଟ୍ ପ୍ରଫେସର | News Room Odisha

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ପିଏମ୍ଇସି ଆସିଷ୍ଟାଣ୍ଟ୍ ପ୍ରଫେସର

ବ୍ରହ୍ମପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ (ପିଏମ୍‌ଇସି) ଆସିଷ୍ଟାଣ୍ଟ୍ ପ୍ରଫେସର୍ ଡଃ ସୌରଭ କୁମାର ଭୋଇ। ପେଶାରେ ଜଣେ କମ୍ପ୍ୟୁଟର ବିଜ୍ଞାନ ପ୍ରଫେସର୍ ଡଃ ଭୋଇ ଏଯାବତ୍ ୪୬ଟି ଗବେଷଣା ସମ୍ବନ୍ଧୀୟ ସନ୍ଦର୍ଭ (ରିସର୍ଚ୍ଚ ପେପର୍)କୁ ୧୪ଟି ଭିନ୍ନ ଭିନ୍ନ କମ୍ପ୍ୟୁଟର ପ୍ରୋଗ୍ରାମିଂ ଜରିଆରେ ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ଅନ୍ୟ କେହି ଏଭଳି କମ୍ପ୍ୟୁଟର ବିଜ୍ଞାନ ଆଧାରିତ ଏତେସଂଖ୍ୟକ ଗବେଷଣା ସନ୍ଦର୍ଭ ପ୍ରକାଶ କରିନାହାନ୍ତି। ଏଣୁ ତାଙ୍କୁ ରେକର୍ଡସ୍ ବୁକ୍ ତରଫରୁ ମିଳିଛି ‘ମାକ୍ସିମମ୍ ରିସର୍ଚ୍ଚ ପେପର୍‌ସ୍ ରିଟେନ୍ ଅନ୍ ଟେକ୍ନୋଲୋଜି’ ଟାଇଟଲ୍। ମୂଳତଃ ବଲାଙ୍ଗୀର ଜିଲ୍ଲା ନିବାସୀ ଡଃ ଭୋଇ ସମ୍ପ୍ରତି ପିଏମ୍ଇସି କମ୍ପ୍ୟୁଟର୍‌ ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ।

ଡଃ ସୌରଭ କୁମାର ୨୦୧୪ ମସିହାରୁ ଏହି ପ୍ରୟାସ ଆରମ୍ଭ କରି ଏବେ ଏତେ ସଂଖ୍ୟକ ରିସର୍ଚ୍ଚ ପେପର୍ ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛନ୍ତି। ତାଙ୍କର ପେପର୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ, ଡିଜିଟାଲ୍ ଇମେଜ ପ୍ରୋସେସିଂ, ଇ – କମର୍ସ, ଏଡ୍‌ଜ୍ କମ୍ପ୍ୟୁଟିଂ, ହେଲଥ୍ କେୟାର୍, ମଲ୍ଟି ପ୍ଲେକ୍ସ ନେଟୱର୍କ, ଭେହିକୁଲାର୍ ଆଣ୍ଡ୍ ୱାଇରଲେସ୍ ଆଦି ଅନେକ କୈାଶଳ ଆଧାରିତ ରହିଛି। ଡଃ ଭୋଇ ନିଜର ଏଭଳି ପ୍ରୟାସ ଲାଗି ପୂର୍ବରୁ ଅନ୍ତର୍ଜାତୀୟ ଆଇଟି ପ୍ରିମିୟମ ଆୱାର୍ଡ- ୨୦୧୬, ରାଉରକେଲା ବିପିୟୁଟି ପକ୍ଷରୁ ଅନୁସନ୍ଧାନ ପୁରସ୍କାର ଆଦି ହାସଲ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଦ୍ୱାରା ପ୍ରସ୍ତୁତ ବହୁସଂଖ୍ୟକ ଗବେଷଣା ସନ୍ଦର୍ଭ ବିଭିନ୍ନ ଅନ୍ତର୍ଜାତୀୟ ପତ୍ରିକାରେ ସ୍ଥାନିତ ହୋଇ ତାଙ୍କ ପ୍ରୟାସକୁ ସ୍ବୀକୃତି ଦେଇ ସାରିଛି। ନିଜ ପ୍ରତିକ୍ରିୟାରେ ଏହି ସଫଳତା ପାଇଁ ଡଃ ଭୋଇ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ସ୍ୱର୍ଗତ ଡଃ କେ.ସି.ଭୋଇ, ଶାନ୍ତିଲତା ଭୋଇଙ୍କ ସୁପୁତ୍ର ସୌରଭ ଅଭିଭାବକ, ବନ୍ଧୁଗଣ, ପିଏମ୍ଇସି ସହକର୍ମୀ ଓ ଛାତ୍ରଛାତ୍ରୀଙ୍କୁ ଏହି ରେକର୍ଡ ହାସଲ ଦିଗରେ କଠୋର ପରିଶ୍ରୟ ଓ ପ୍ରୟାସର ଶ୍ରେୟ ଦେଇଛନ୍ତି। ଡଃ ଭୋଇଙ୍କୁ ଏଥିସକାଶେ ପିଏମ୍‌ଇସି ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ବାଇଁ ଓ ଅନ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି।