ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର ଘଟଣା: ଜେଲ ୱାର୍ଡର ନିଲମ୍ବିତ | News Room Odisha

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର ଘଟଣା: ଜେଲ ୱାର୍ଡର ନିଲମ୍ବିତ

ଝାରସୁଗୁଡ଼ା – ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ବିଚାରାଧୀନ କଏଦୀ ଫେରାର ଘଟଣାରେ ଜଣେ ଜେଲ୍‌ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ୱାର୍ଡରଙ୍କ ନାଁ କିରଣ ଯୋଶୀ। ଝାରସୁଗୁଡ଼ା ଉପ-କାରାଗାରର ଜେଲର ଲକ୍ଷ୍ମୀକାନ୍ତ ଧାଙ୍ଗଡ଼ ମାଝି ଏହି ସୂଚନା ଦେଇଛନ୍ତି। ବିଚାରାଧୀନ କଏଦୀ ଜଣଙ୍କ କେମିତି ଫେରାର ହେଲେ, ତାହାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ଫେରାର ହୋଇଥିବା ବିଚାରାଧୀନ କଏଦୀଙ୍କ ନାଁ ଇନ୍ଦ୍ରଜିତ ସାହାଣୀ। ତାଙ୍କ ଘର ବିହାରର ବୋଧନା ଗାଁରେ। ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅଞ୍ଚଳରୁ ଏକ ଟ୍ରକ୍ ଚୋରି ଘଟଣାରେ ଗତମାସ ୨୬ ତାରିଖରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା। ଜେଲ୍‌ରେ ଥିବା ବେଳେ ଗତ ୨୭ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ। ସେହିଦିନ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରେ ପାଳି କରି ୩ ଜଣ ଜେଲ୍ ୱାର୍ଡର ଜଗୁଥିଲେ। ତେବେ ଗତକାଲି ଭୋରରେ ସେ ଡାକ୍ତରଖାନାରୁ ଚମ୍ପଟ ମାରିଥିଲେ ।