ଦେଶରେ ମଙ୍କିପକ୍ସ ମାମଲା ଉପରେ ନଜର ରଖିବା ପାଇଁ ଟାସ୍କ ଫୋର୍ସ ଗଠିତ | News Room Odisha

ଦେଶରେ ମଙ୍କିପକ୍ସ ମାମଲା ଉପରେ ନଜର ରଖିବା ପାଇଁ ଟାସ୍କ ଫୋର୍ସ ଗଠିତ

ନୂଆଦିଲ୍ଲୀ : ଦେଶରେ ମଙ୍କିପକ୍ସ ମାମଲା ଉପରେ ନଜର ରଖିବା ଏବଂ ସଂକ୍ରମଣ ରୋକିବାକୁ ନିଆଯାଉଥିବା ପଦକ୍ଷେପ ଉପରେ ନିଷ୍ପତ୍ତି ନେବା ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି ।

ଏହି ଟାସ୍କଫୋର୍ସ ଦେଶରେ ମଙ୍କିପକ୍ସ ସଂକ୍ରମଣ ଚିହ୍ନଟ ପାଇଁ ଟେଷ୍ଟିଂ କେନ୍ଦ୍ରର ସମ୍ପ୍ରସାରଣ ଉପରେ ସରକାରଙ୍କୁ ମାର୍ଗଦର୍ଶନ କରିବ ଏବଂ ରୋଗ ପ୍ରତିରୋଧ ପାଇଁ ଟିକାକରଣ ସମ୍ବନ୍ଧୀୟ ଦିଗ ଉପରେ ନଜର ରଖିବ ।

ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରୁ ନିକଟରେ କେରଳକୁ ଫେରିଥିବା ଜଣେ ୨୨ ବର୍ଷ ବୟସ୍କ ଜଣେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ବ୍ୟକ୍ତିଙ୍କ ଶନିବାର ମୃତ୍ୟୁ ହୋଇଥିଲା। ତେବେ ତାଙ୍କର ମୃତ୍ୟୁ ମଙ୍କିପକ୍ସ ଯୋଗୁଁ ନା ଆଉ କୌଣସି କାରଣରୁ ହୋଇଛି ସେନେଇ ଯାଞ୍ଚ୍ ଚାଲିଥିବା ରାଜ୍ୟ ସରକାର କହିଛନ୍ତି । ଭାରତରେ ଏପର୍ଯ୍ୟନ୍ତ ଏହି ସଂକ୍ରମଣର ଚାରିଟି ମାମଲା ରୁଜୁ ହୋଇଛି।

ଦେଶରେ ଚାଲିଥିବା ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା ପାଇଁ ୨୬ ଜୁଲାଇରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଟାସ୍କଫୋର୍ସ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି।

ଡକ୍ଟର ଭି.କେ ପାଲ, ସଦସ୍ୟ (ସ୍ୱାସ୍ଥ୍ୟ), ନୀତି ଆୟୋଗ ଟାସ୍କଫୋର୍ସର ନେତୃତ୍ୱ ନେବେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ନିକଟରେ ମଙ୍କିପକ୍ସକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।

ବିଶ୍ବବ୍ୟାପୀ ୭୫ ଟି ଦେଶରେ ୧୬,୦୦୦ ରୁ ଅଧିକ ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି ।