ସାଇବର ଠକଙ୍କ ନ୍ୟୁଡ କଲ୍ ଜାଲରେ ଫସିଲେ ରାଜଧାନୀର ଇଞ୍ଜିନିୟର, ୨୫ ଲକ୍ଷ ଟଙ୍କା ଚଳୁ | News Room Odisha

ସାଇବର ଠକଙ୍କ ନ୍ୟୁଡ କଲ୍ ଜାଲରେ ଫସିଲେ ରାଜଧାନୀର ଇଞ୍ଜିନିୟର, ୨୫ ଲକ୍ଷ ଟଙ୍କା ଚଳୁ

ଭୁବନେଶ୍ୱର – ସାଇବର ଠକଙ୍କ ନ୍ୟୁଡ ଭିଡିଓ କଲ୍‌ରେ ଫସିଛନ୍ତି ଜଣେ ଇଞ୍ଜିନିୟର। ରାଜଧାନୀର ଜଣେ ଇଞ୍ଜିନିୟର ଠକାମୀର ଶିକାର ହୋଇଥିବା ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ ଅନୁସାରେ ନଗ୍ନ ନାୟିକା ଜଣକ ବିଏସ୍‌ଏନ୍‌ଏଲ୍‌ ଇଞ୍ଜିନିୟରଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ ହାଏ ଲେଖି ପଠାଇଥିଲେ। ଇଞ୍ଜିନିୟର ଜଣକ ଆକାଉଣ୍ଟକୁ ଯାଞ୍ଚ ନକରି ତାଙ୍କ ସହିତ ଭିଡିଓ ଚାଟ୍‌ କରିଥିଲେ। କିଛି ସମୟ ପରେ ତାଙ୍କ ପାଖକୁ ଏକ ନଗ୍ନ ଭିଡିଓ ଆସିଥିଲେ। ସେଥିରେ ଇଞ୍ଜିନିୟରଙ୍କ ଭିଡିଓ ଚାଟ୍‌କୁ ଜଣେ ନାୟିକାଙ୍କ ନଗ୍ନ ଭିଡ଼ିଓ ସହିତ ଆଟାଚ୍‌ କରାଯାଇଥିବା ଦେଖିବାକୁ ମିଳିଥିଲା। ସେହି ଭିଡିଓ ଦେଖିବା ପରେ ଇଞ୍ଜିନିୟର ଭୟଭୀତ ହୋଇଯାଇଥିଲେ । ଲୋକ ଲଜ୍ଜା ଭୟରେ କାହାକୁ କିଛି ନକହି ଚୁପ୍‌ ରହିଥିଲେ।

ପରେ ସଂପୃକ୍ତ ଇଞ୍ଜିନିୟରଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ବିକ୍ରମ ରାଠୋର ବୋଲି ପରିଚୟ ଦେଇଥିଲା । ଘର ଦିଲ୍ଲୀରେ ବୋଲି କହିବା ସହ ସେହି ନଗ୍ନ ଭିଡିଓ ଦେଖାଇ ଇଞ୍ଜିନିୟରଙ୍କୁ ବ୍ଲାକ୍‌ମେଲ୍‌ କରିଥିଲା। ଲୋକ ଲଜ୍ଜା ଭୟରେ ଇଞ୍ଜିନିୟର ଜଣକ ତାଙ୍କ ପାଖକୁ ଟଙ୍କା ପଠାଇଥିଲେ। ବିଭିନ୍ନ କିସ୍ତିରେ ଇଞ୍ଜିନିୟର ଜଣକ ୨୫ ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି।

ବାରମ୍ବାର ଟଙ୍କା ପଠାଇ ହୀନସ୍ତା ହେବା ପରେ ଶେଷରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ଇଂଜିନିୟର। ତାଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ପୋଲିସ ମାମଲା ରୁଜୁ କରି ଇଞ୍ଜିନିୟରଙ୍କ ମୋବାଇଲ୍‌ରେ ଥିବା ସବୁ ଆକାଉଣ୍ଟକୁ ବନ୍ଦ କରିଛନ୍ତି। ଏଥିସହ କଲ୍‌ କେଉଁଠୁ ଆସୁଥିଲା, ସେ ନେଇ ତାହା ତଦନ୍ତ ଆରମ୍ଭ କରିଛି ପୋଲିସ।