ଅଭିନେତା ବାବୁସାନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ମାମଲାରେ ପୂର୍ଣ୍ଣଚ୍ଛେଦ | News Room Odisha

ଅଭିନେତା ବାବୁସାନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ମାମଲାରେ ପୂର୍ଣ୍ଣଚ୍ଛେଦ

କଟକ- ହାଇକୋର୍ଟରେ ଅଭିନେତା ବାବୁସାନ ମହାନ୍ତିଙ୍କ ଆଗୁଆ ଜାମିନ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ୪୧ କ ନୋଟିସ ପାଇ ଥାନାରେ ହାଜର ହୋଇଥିଲେ ଓ ତଦନ୍ତରେ ସହଯୋଗ କରିଥିଲେ ବୋଲି କୋର୍ଟଙ୍କୁ ଅବଗତ କରାଯାଇଥିଲା। ତେଣୁ ତାଙ୍କର ଆଗୁଆ ଜାମିନ ଆବେଦନର ଶୁଣାଣି ଆବଶ୍ୟକ ହୋଇନାହିଁ।

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ତାଙ୍କ ପତ୍ନୀ ତୃପ୍ତି ଟଣାଓଟରା ଓ ଗାଳିଗୁଲଜ ମାମଲାରେ ବାବୁସାନ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତମାସ ୨୩ ତାରିଖରେ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଭୁବନେଶ୍ବର ବିମାନବନ୍ଦରକୁ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ମାରିବା ସହ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ମାମଲା ଆଗକୁ ବଢ଼ିଥିଲା। ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ତୃପ୍ତି ଶତପଥୀ ଓ ତାଙ୍କ ବାପାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ପରେ ତୃପ୍ତି ମଧ୍ୟ ଖାରବେଳ ନଗର ଥାନାରେ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଥିଲେ। ତୃପ୍ତିଙ୍କ ଅଭିଯୋଗକୁ ନେଇ ପୁଲିସ ମାମଲା ରୁଜୁ କରିଥିଲା।ଉଲ୍ଲେଖଯୋଗ୍ୟ, ବାବୁସାନଙ୍କ ବିରୋଧରେ ନିର୍ଯାତନା ଓ ଧମକ ଦେବା ନେଇ ପତ୍ନୀ ତୃପ୍ତି ଅଭିଯୋଗ କରିଥିଲେ। ତୃପ୍ତି ନିର୍ଦ୍ଦିଷ୍ଟ ଭାବେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ ତୃପ୍ତିଙ୍କ ଏତଲା ଆଧାରରେ ଆଇପିସିର ଦଫା ୪୯୮-କ ଓ ୫୦୬ରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ ହାଇକୋର୍ଟରେ ଆବେଦନ କରିଥିଲେ। ବାବୁସାନଙ୍କ ତରଫରୁ ଆଇନଜୀବୀ ଆକାଶ ଭୂୟାଁ ମାମଲା ପରିଚାଳନା କରୁଥିଲେ।