ନୂଆଦିଲ୍ଲୀ : ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀର ଆବେଦନ ଉପରେ ତରବରିଆ ନିଷ୍ପତ୍ତି ନ ନେବାକୁ ସୁପ୍ରିମକୋର୍ଟ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ହିଁ ମୂଳ ଶିବସେନା ଏବଂ ଦଳର ନିର୍ବାଚନ ପ୍ରତୀକ ଏହାକୁ ଦିଆଯିବା ଉଚିତ ବୋଲି ଏକନାଥ ସିନ୍ଦେ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ଖଣ୍ଡପୀଠ ଆଜି ଏହି ମାମଲାରେ ଉଦ୍ଧବ ଠାକରେ ଗୋଷ୍ଠୀର ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ ମହାରାଷ୍ଟ୍ରରେ ସମ୍ପ୍ରତି ରାଜନୈତିକ ସଙ୍କଟ ସହ ଜଡିତ ପ୍ରସଙ୍ଗକୁ ସମ୍ବିଧାନ ବେଞ୍ଚକୁ ପଠାଇବା ନେଇ ସୋମବାର ନିଷ୍ପତ୍ତି ନିଆଯିବ।
ସର୍ବୋଚ୍ଚ ଅଦାଲତ ନିର୍ବାଚନ ଆୟୋଗଙ୍କୁ ମଧ୍ୟ କହିଛନ୍ତି ଯେ ଯଦି ଉଦ୍ଧବ ଠାକୁର ଗୋଷ୍ଠୀ ସିନ୍ଦେଙ୍କ ଆବେଦନ ଉପରେ ପଠାଯାଇଥିବା ନୋଟିସର ଉତ୍ତର ଦାଖଲ କରିବାକୁ ସମୟ ଚାହାଁନ୍ତି, ତା’ହେଲେ ସେମାନଙ୍କ ଅନୁରୋଧକୁ ବିଚାର କରାଯାଉ ଏବଂ ତଦନୁଯାୟୀ ସମୟ ଦିଆଯାଉ । ବେଞ୍ଚ କହିଛନ୍ତି ଯେ ଆଇନଜୀବୀମାନେ ଏଭଳି ପ୍ରସଙ୍ଗ ଉଠାଇଛନ୍ତି ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଆଗରେ ମାମଲା ଉପସ୍ଥାପନ କରିବା ଉଚିତ କି ନୁହେଁ ତାହା ସ୍ଥିର କରିବା ଆବଶ୍ୟକ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆମେ ଏହା ଉପରେ ନିଷ୍ପତ୍ତି ନେବୁ । ଅନ୍ୟପକ୍ଷରେ ଆବେଦନକାରୀ (ସିନ୍ଦେ ଗୋଷ୍ଠୀ) ପକ୍ଷରୁ ଜବାବ ଦାଖଲ ପାଇଁ ନିର୍ବାଚନ ଆୟୋଗ ଅଗଷ୍ଟ ୮କୁ ଦିନ ଧାର୍ଯ୍ୟ କରିଛନ୍ତି ।