ଉଛୁଳା ନାଳ ସାଜିଲା ପ୍ରତିବନ୍ଧକ: ପଲିଥିନରେ ଆରପାରିକୁ ମେଡିସିନ ଫୋପାଡ଼ିଲେ ଡାକ୍ତରୀ ଟିମ | News Room Odisha

ଉଛୁଳା ନାଳ ସାଜିଲା ପ୍ରତିବନ୍ଧକ: ପଲିଥିନରେ ଆରପାରିକୁ ମେଡିସିନ ଫୋପାଡ଼ିଲେ ଡାକ୍ତରୀ ଟିମ

ନବରଙ୍ଗପୁର- ବର୍ଷା ହେଲା ପ୍ରତିବନ୍ଧକ । ଉଛୁଳା ନାଳ ଯୋଗୁଁ ରୋଗୀଙ୍କ ପାଖରେ ପହଞ୍ଚି ପାରିଲେନି ଡାକ୍ତରୀ ଟିମ୍ । ହେଲେ ଉପସ୍ଥିତି ବୁଦ୍ଧି ଯୋଗୁଁ ଲୋକଙ୍କ ପାଖରେ ମେଡିସିନ ପହଞ୍ଚିଲା । ସେମାନଙ୍କୁ ସଚେତନ ବି କରାଗଲା । ନାଳ ଏ ପାଖରେ ରହି ଡାକବାଜି ଯନ୍ତ୍ର ଦ୍ବାରା ଡାକ୍ତରୀ ଟିମ ସଚେତନ କରିବା ଜରି ପୁଡ଼ିଆରେ ମେଡ଼ିସିନ୍‌ ମଧ୍ୟ ନାଳ ଆରପଟକୁ ଫୋପାଡିଲେ, ।

ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ ଦେଖିବାକୁ ମିଳିଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ସମସ୍ତ ନଦୀ ଓ ନାଳରେ ବଢ଼ିଛି ଜଳସ୍ତର । ଏଥିଯୋଗୁଁ ଝାଡାବାନ୍ତି ପ୍ରଭାବିତ ତୁଳସୀପଦର ଗାଁକୁ ପହଞ୍ଚିପାରିଲେନି ସ୍ବାସ୍ଥ୍ୟ ବିଭାଗ ଟିମ୍ । ତୁଳସୀପଦର ନାଳର ଗୋଟିଏ ପଟେ ରହି ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀଙ୍କୁ ଡାକି ସଚେତନ କରାଇଲେ । ପଲିଥିନରେ ଔଷଧ ରଖି ନାଳ ଆରପାରିକୁ ଫୋପାଡିଲେସ୍ବାସ୍ଥ୍ୟ ଟିମ୍ ।

ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥ ଠାରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ । ତେବେ ନବରଙ୍ଗପୁର ଜିଲ୍ଲାରେ ବର୍ଷା ଲାଗିରହିଥିବାରୁ ତୁଳସୀପଦର ନାଳରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଉଛୁଳା ନାଳ ଯୋଗୁଁ ତୁଳସୀପଦର ଠାରୁ ପ୍ରାୟ ୧ କିମି ଦୂରରେ ରହି ଡାକ୍ତରୀ ଦଳ ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଲୋକଙ୍କୁ ଡାକି ସଚେତନ କରିଥିଲେ ।ସାଙ୍ଗରେ ନେଇ ଆସିଥିବା ଔଷଧକୁ ପଲିଥିନରେ ବାନ୍ଧି ନଦୀର ଆରପଟକୁ ଫୋପାଡ଼ି ଥିଲେ । ନଦୀ ଆରପାରିରେ ଗାଁ ଲୋକଙ୍କ ସହ ଅଙ୍ଗନବାଡି ଦିଦି ଆସି ଔଷଧକୁ ସଂଗ୍ରହ କରି ଗାଁ କୁ ନେଇଥିଲେ ।