ଛତ୍ରପୁର: କୃଷିବହୁଳ ରାଜ୍ୟ ଓଡ଼ିଶାରେ ଚାଷ ଓ ଚାଷୀଙ୍କ ବିକାଶକୁ ସର୍ବାଧିକ ଗୁରୁତ୍ଵ ଦେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଯୋଜନା ଭଳି ଆର୍ଥିକ ସହାୟତାରୁ ଆରମ୍ଭ କରି ଭିଭିଭୂମି ବିକାଶ, ବୈଷୟିକ ସହାୟତା ପ୍ରଦାନ ଆଦି ସମସ୍ତ ସହଯୋଗ ଯୋଗାଇ ଆସୁଛନ୍ତି ରାଜ୍ୟ ସରକାର। କୃଷକ ଯେଭଳି ଅଧିକ ଅମଳ କରିପାରିବ, ତାହାର ଉତ୍ପାଦନର ସଠିକ ବଜାର ବ୍ୟବସ୍ଥା ଆଦି ସମ୍ଭବପର ହୋଇପାରିଲେ ଆମ ରାଜ୍ୟର ଚାଷୀ ଆର୍ଥିକ ସ୍ବଚ୍ଛଳ ହୋଇପାରିବେ। ଏବେ ଓଡ଼ିଶା ସରକାର ଶୀଘ୍ର ସ୍ବତନ୍ତ୍ର କୃଷି ରପ୍ତାନୀ ନୀତି ଆଣିବାକୁ ଯାଉଛନ୍ତି। ଏହାର ଚିଠା ନୀତି କେନ୍ଦ୍ର ସରକାରଙ୍କ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ରପ୍ତାନି ବିକାଶ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି। ଏହି ନୀତି କାର୍ଯ୍ୟକାରୀ ହେଲେ ଗଞ୍ଜାମ ଜିଲ୍ଲାର କିଆ ଫୁଲ ଚାଷୀଙ୍କୁ କାରବାର ପାଇଁ ବିଶ୍ବ ବଜାର ମିଳିବା ଆଶା କରାଯାଉଛି।
ଗଞ୍ଜାମ କିଆ ଫୁଲ ଚାଷ ସାରା ଦେଶରେ ଭିନ୍ନ ମହତ୍ତ୍ବ ରଖେ। ରଙ୍ଗେଇଲୁଣ୍ଡା, ଛତ୍ରପୁର ଓ ଚିକିଟି ବ୍ଲକ୍ରେ ବହୁଳମାତ୍ରାରେ କିଆ ଫୁଲ ଚାଷ, ସେଥିରୁ ଅତର (ଋହ୍) ଓ ତେଲ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବହୁ ପରିମାଣରେ ଭାଟି ରହିଛି। କିଆ ଫୁଲ ଚାଷ ଜରିଆରେ ଜିଲ୍ଲାର ୨୫୦ରୁ ଅଧିକ ଗାଁର ବାସିନ୍ଦା ରୋଜଗାରର ଏକ ଉତ୍ତମ ମାଧ୍ୟମ ପାଇପାରିଛନ୍ତି। ଗୋଟିଏ ଗୋଟିଏ ଫୁଲ ୮ରୁ ୧୧ ଟଙ୍କା ମଧ୍ୟରେ ବିକ୍ରିବଟା ହୁଏ। କିଆ ତେଲର ଦର କିଲୋ ପିଚ୍ଛା ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା ଥିବା ବେଳେ ଅତରର ଦାମ ଲିଟର ପିଛା ୩୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କିଆ ଫୁଲ ଚାଷରୁ ଆରମ୍ଭ କରି ତାହାର ପ୍ରକ୍ରିୟାକରଣ ମଧ୍ୟରେ ପ୍ରାୟ ତିନି ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ। ୬ ହଜାର ହେକ୍ଟରରୁ ଅଧିକ ଜମିରେ ହେଉଥିବା ଏହି ସୁବାସିତ ଫୁଲର ବାର୍ଷିକ କାରବାର ୭୦ କୋଟି ଟପିଲାଣି। ମୁଖ୍ୟତଃ ଗଞ୍ଜାମରୁ କିଆ ଫୁଲ ଓ ଆନୁସଙ୍ଗିକ ସାମଗ୍ରୀ ଉତ୍ତରପ୍ରଦେଶକୁ ଅଧିକ ସଂଖ୍ୟାରେ ପଠାଯାଏ ଯେଉଁଠି ଏହା ଅତର, ସୁଗନ୍ଧିତ ପାନମସଲା ପ୍ରସ୍ତୁତିରେ ବ୍ୟବହୃତ ହେଉଛି। ଖୋଦ୍ ଆମ ରାଜ୍ୟରେ ଏଯାବତ୍ କିଆ ଫୁଲର ବ୍ୟବସାୟିକ କ୍ଷେତ୍ର ଆଶାନୁରୂପକ ଭାବେ ବ୍ୟାପକ ହୋଇପାରିନି। ତେଣୁ ଏହି ଲାଭକାରୀ ଆର୍ଥିକ ଫସଲ ଯାହା ଗଞ୍ଜାମ ଜିଲ୍ଲାର ଉପକୂଳିଆ ଅଞ୍ଚଳବାସୀଙ୍କ ଜୀବନଜୀବିକାର ଏକ ମୁଖ୍ୟ ମାଧ୍ୟମ ପାଲଟି ସାରିଛି ତାହାର ବିକାଶ ପାଇଁ ରାଜ୍ୟ ସରକାରଙ୍କ କୃଷି ବିଭାଗ ନୀତି ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି।
ଓଡ଼ିଶାର ସ୍ବତନ୍ତ୍ର ରପ୍ତାନୀ ନୀତି ରହିଛି, କିନ୍ତୁ ସ୍ବତନ୍ତ୍ର କୃଷି ରପ୍ତାନୀ ନୀତି ନାହିଁ। ଖଣିଜ ସାମଗ୍ରୀ ଏବଂ ଚିଙ୍ଗୁଡ଼ି ସମେତ କାଁଭାଁ କିଛି ସାମଗ୍ରୀ ବ୍ୟତୀତ ରାଜ୍ୟରେ ଉତ୍ପାଦିତ ଅନ୍ୟ କୌଣସି ସାମଗ୍ରୀ ସିଧାସଳଖ ରପ୍ତାନୀ ହୋଇପାରୁ ନାହିଁ। ତେଣୁ ଦେଶ ବିଦେଶରେ ଲୋକପ୍ରିୟ ଥିଲେ ହେଁ ଏହାର ଲାଭ ସ୍ଥାନୀୟ ଚାଷୀଙ୍କୁ ଅଧିକ ମାତ୍ରାରେ ପହଞ୍ଚାଇବାର ଆବଶ୍ୟକତା ଗତ କିଛି ସମୟ ହେବ ଅନୁଭୂତ ହୋଇ ଆସୁଥିଲା। ଏବେ ଚାଷୀଙ୍କ ହିତ ପାଇଁ ଉପରୋକ୍ତ ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର। କିଆ ଫୁଲ ଜନିତ ଉତ୍ପାଦିତ ସାମଗ୍ରୀର ଚାହିଦା ବୃଦ୍ଧି ସହ ଏହାର ଆର୍ଥିକ ଲାଭ ସିଧାସଳଖ ଗଞ୍ଜାମ ଜିଲ୍ଲାର ଚାଷୀ ଯେପରି ପାଇବେ ତାହାକୁ ଗୁରୁତ୍ବ ଦିଆଯାଉଛି। ସ୍ବତନ୍ତ୍ର କୃଷି ନୀତି କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଚାଷୀମାନେ ସିଧାସଳଖ ବଡ଼ ବଜାର ପାଇବେ ଏବଂ ଅଧିକ ଫାଇଦା ପାଇପାରିବେ। ରପ୍ତାନି ପାଇଁ ଯେତେ ପରିମାଣର ଉତ୍ପାଦନ ଆବଶ୍ୟକ ସେହି ହିସାବରେ ମଧ୍ୟ ଓଡ଼ିଶା ଚାଷୀଙ୍କ ପାଇଁ ଆର୍ଥିକ କ୍ଷମତା ନାହିଁ। ସେ ଦୃଷ୍ଟିରୁ ସ୍ଥାନୀୟ ଚାଷୀ ଏବଂ ଉତ୍ପାଦ ଗ୍ରୁପକୁ ବ୍ୟାପକ ପ୍ରଶିକ୍ଷଣ ଦେବାକୁ ମଧ୍ୟ ଯୋଜନା ହୋଇଛି। କୃଷି ରପ୍ତାନୀ ନୀତି କାର୍ଯ୍ୟକାରୀ ହେଲେ ଏହି ଉତ୍ପାଦ ଯଥା କିଆ ରହ, ଅତର, ତେଲକୁ ଅନ୍ତର୍ଜାତୀୟ ବଜାରରେ ବିକ୍ରିବଟା କରାଇବାରେ ସକ୍ଷମ ହେବ ଗଞ୍ଜାମ ଜିଲ୍ଲାର କୃଷକ। ବିଶ୍ବର ଅନ୍ୟ ପ୍ରତିଷ୍ଠାନ କିଆ ଫୁଲର ଔଷଧୀୟ ଗୁଣ ଓ ଭିନ୍ନ ବ୍ୟବହାରିକ ଦିଗ ଉପରେ ଗବେଷଣା ନିମନ୍ତେ ସୁଯୋଗ ପାଇବେ।
ଅପରପକ୍ଷରେ ଗଞ୍ଜାମ ଜିଲ୍ଲାରେ ଆଉ ଏକ ଅର୍ଥକାରୀ କୃଷି ତଥା କାଜୁ ଚାଷ ଓ ତାହାର ଶିଳ୍ପ ମଧ୍ୟ ଉପରମୁହାଁ ହେଉଛି। ଜିଲ୍ଲାରେ ବର୍ତ୍ତମାନ ୧୬୦ଟି କାଜୁ ଶିଳ୍ପ ରହିଛି ଯାହାଦ୍ୱାରା ବାର୍ଷିକ ୧ ଲକ୍ଷ ମାଟ୍ରିକ ଟନ୍ ବା ଆନୁମାନିକ ପ୍ରାୟ ୫୦ କୋଟି ଟଙ୍କାର କାଜୁ ଉତ୍ପାଦନ ହୋଇ ଆସୁଛି। ଗଞ୍ଜାମ ଜିଲ୍ଲାର ଅର୍ଥନୈତିକ କ୍ଷେତ୍ର ଉପରେ କିଆ ଫୁଲ ଓ କାଜୁ ଫସଲର କିଭଳି ପ୍ରଭାବ ଏଥିରୁ ସ୍ପଷ୍ଟ। ତେବେ ଜିଲ୍ଲାରେ କାଜୁ ଶିଳ୍ପ ପାଇଁ ପ୍ରମୁଖ ସମସ୍ୟା ହେଉଛି କଞ୍ଚାମାଲ ଅଭାବ। ତେବେ ଏହି ଲାଭଜନକ ବ୍ୟବସାୟକୁ ଅଧିକ ବିକଶିତ କରିବା ପାଇଁ ରାଜ୍ୟ କୃଷି ବିଭାଗ ପରାମର୍ଶକ୍ରମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ମନରେଗା ଯୋଜନାରେ ଜିଲ୍ଲାରେ ଚଳିତ ବର୍ଷ ୫ ଲକ୍ଷ କାଜୁ ଗଛ ଲଗାଇବା ପାଇଁ ଧାର୍ଯ୍ୟ କରିଛି। ଆଗାମୀ ବର୍ଷମାନଙ୍କରେ ମଧ୍ୟ ଅଧିକରୁ ଅଧିକ କାଜୁ ଗଛ ଲଗାଯିବ ଯାହା ଭବିଷ୍ୟତରେ ଜିଲ୍ଲାର କାଜୁ ଶିଳ୍ପ ପାଇଁ ବେଶ୍ ସହାୟକ ହୋଇପାରିବ। ଅନ୍ୟ ରାଜ୍ୟ ବା ଅନ୍ୟ ଦେଶରୁ କଞ୍ଚାମାଲ ଆଣିବା ପରିବର୍ତ୍ତେ ଜିଲ୍ଲାର ଚାଷୀଙ୍କୁ ପ୍ରୋତ୍ସାହିତ କରି କାଜୁ ଚାଷକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ। ସ୍ଥିତିରେ ସୁଧାର ପାଇଁ ଜିଲ୍ଲା ପ୍ରଶାସନ ନିଜ ଆଡୁ ବ୍ୟାପକ କାଜୁ ଗଛ ଲଗାଇବା ଅଭିଯାନ ଆରମ୍ଭ କରିବାକୁ ଯାଉଛି।