ମୃତ୍ୟୁ ସାର୍ଟିଫିକେଟ ପାଇଁ ଲାଞ୍ଚ : ଖୋର୍ଦ୍ଧାରେ କିରାଣୀ ଓ ବାଲେଶ୍ଵରରେ ଆରଆଇଙ୍କୁ ଧରିଲା ଭିଜିଲାନ୍ସ | News Room Odisha

ମୃତ୍ୟୁ ସାର୍ଟିଫିକେଟ ପାଇଁ ଲାଞ୍ଚ : ଖୋର୍ଦ୍ଧାରେ କିରାଣୀ ଓ ବାଲେଶ୍ଵରରେ ଆରଆଇଙ୍କୁ ଧରିଲା ଭିଜିଲାନ୍ସ

ବାଲେଶ୍ୱର – ମୃତ୍ୟୁ ସାର୍ଟିଫିକେଟ କରାଇ ଦେବାକୁ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାକ୍ତରଖାନା କିରାଣୀ ଓ ଆରଆଇ। ସମାନ ଘଟଣା ଭିନ୍ନ ଭିନ୍ନ ସ୍ଥାନରେ ଘଟିଛି। ଗୋଟିଏ ଖୋର୍ଦ୍ଧାରେ ଓ ଅନ୍ୟଟି ବାଲେଶ୍ୱରରେ ଘଟିଛି। ଖୋର୍ଦ୍ଧା ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିରାଣୀ ଅନୁପ ଶତପଥୀ ଓ ବାଲେଶ୍ୱର ସଦର ବଇଞ୍ଚା ରାଜସ୍ୱ କାର୍ଯ୍ୟାଳୟର ଆରଆଇ ଡଲି ସେଠୀଙ୍କୁ ଗିରଫ କରାଯାଇଛି ।

ଖୋର୍ଦ୍ଧାରେ କିରାଣୀ ଅନୁପ ଶତପଥୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଏହି କିରାଣୀଙ୍କ ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସରେ ସେ ଅଭିଯୋଗ କରିଥିଲା। ସେ ଅଭିଯୋଗ କରିଥିଲେ ଯେ, ତାଙ୍କର ସ୍ୱର୍ଗତ ଜେଜେ ବାପା ଓ ଜେଜେ ମା’ଙ୍କ ନାମରେ ଥିବା ଜମିକୁ ବିକ୍ରିଖରିଦ କରିବା ନିମନ୍ତେ ମୃତ୍ୟୁ ପ୍ରମାଣପତ୍ର ଆବଶ୍ୟକ ପଡ଼ିଥିଲା। ତେଣୁ ଜେଜେ ବାପା ଓ ଜେଜେ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ନିମନ୍ତେ ଆବେଦନ କରିଥିଲେ। ତେବେ ପ୍ରମାଣପତ୍ର ଜାରି କରିବା ନିମନ୍ତେ ଏହି କରାଣୀ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ତାଙ୍କୁ ୫ ହଜାର ଟଙ୍କା ଦେବାକୁ ଅଭିଯୋଗକାରୀ ଯାଇଥିଲା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।

ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବଇଞ୍ଚା ରାଜସ୍ୱ କାର୍ଯ୍ୟାଳୟର ଆରଆଇ ଡଲି ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ସଦର ବ୍ଲକ ନିଶ୍ଚିନ୍ତ ଗ୍ରାମରେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଦୀନବନ୍ଧୁ ବେହେରାଙ୍କ ପୁଅର ମୃତ୍ୟୁ ସାର୍ଟିଫିକେଟ ଆବେଦନର ଯାଞ୍ଚ ରିପୋର୍ଟ ଦେବାପାଇଁ ଆରଆଇ ଡଲି ସେଠୀ ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଦୀନବନ୍ଧୁ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଆରଆଇଙ୍କୁ ବାନ୍ଧିଛି ।