ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୬ଷ୍ଠ ସାଧାରଣ ପରିଷଦ ବୈଠକ | News Room Odisha

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୬ଷ୍ଠ ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଷଷ୍ଠତମ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ , ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିଦେଇପାରେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ହେଉଛି ମୁଖ୍ୟମନ୍ତ୍ରୀଙ୍କର ମାନସ ସନ୍ତାନ । ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଶିକ୍ଷକମାନଙ୍କୁ ବିଭିନ୍ନ ବିଷୟଭିତ୍ତିକ ପ୍ରଶିକ୍ଷଣ ଏବଂ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କର ଶୈଖିକ ବିକାଶ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍‌ ଅଧିନ କୋଟିଆ ଗ୍ରାମପଞ୍ଚାୟତର ଗଞ୍ଜେଇପଦରଠାରେ କାର୍ଯ୍ୟକ୍ଷମ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବର୍ତ୍ତମାନ ସ୍ଥିତି ଉପରେ ମନ୍ତ୍ରୀ ଶ୍ରୀ ଦାଶ ସନ୍ତୋଷ ପ୍ରକାଶ କରିଥିଲେ ।

ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ଯୋଗଦାନ କରି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ କାର୍ଯ୍ୟକ୍ରମ ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସଂପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ଏଗୁଡ଼ିକର ସଫଳ ରୂପାୟନ ପାଇଁ ନିୟମିତ ଭାବରେ ସଂଗଠନ ତରଫରୁ ନିରୀକ୍ଷଣ କରାଯିବା ସହିତ ଯାଞ୍ଚ ପ୍ରକ୍ରିୟା ଚାଲୁରହିବା ଉଚିତ ଏବଂ ନିୟମିତ ଭାବରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ବିଷୟଭତ୍ତିକ ତାଲିମ ଦେବା ପାଇଁ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ସମସ୍ତ ଶୈକ୍ଷିକ ଏବଂ ଅଣଶୈକ୍ଷିକ କାର୍ଯ୍ୟକ୍ରମକୁ ଠିକ୍ ଭାବରେ ପରିଚାଳନା କରିବା ଉପରେ ଗୁରୁତ୍ଵ ଦେଇଥିଲେ ଏବଂ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ପରିଚାଳିତ ବିଭିନ୍ନ ଅନୁଷ୍ଠାନମାନଙ୍କ ସହାୟତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ବିକାଶ ନିମନ୍ତେ ଆବଶ୍ୟକତୀୟ ତାଲିମ ପ୍ରଦାନର ପ୍ରଚେଷ୍ଟା କରିବା ଉଚିତ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଏସ୍ . ଆଶ୍ଵସ୍ଥୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱାରୋପ କରି ସମସ୍ତ ଅଧିକାରୀମାନଙ୍କୁ ସଠିକ୍ ଭାବରେ କାର୍ଯ୍ୟକ୍ରମର ସୁପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ ।

ଏହି ପରିଷଦ ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ( ଓସେପା ) ଅନୁପମ ଶାହାଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।