କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ | News Room Odisha

କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦୁଝର ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି ।

ପୂର୍ବାହ୍ନରେ ସେ ଜିଲ୍ଲା କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବୃହତ୍ ପ୍ରକଳ୍ପ ଗୁଡ଼ିକର ବର୍ତ୍ତମାନ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ପାଇପ୍‌ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ତ୍ବରାନ୍ବିତ କରି ୨୦୨୩ ମାର୍ଚ୍ଚ ସୁଦ୍ଧା ପ୍ରତି ଘରକୁ ପାଣି ସଂଯୋଗ ଦେବାପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟନ୍ଵୟନ ସମୟରେ କ୍ଷେତ୍ରସ୍ତରରେ ଦେଖାଯାଇଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ କରାଯାଇଥିଲା ।

ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ ଶ୍ରୀ ମହାପାତ୍ର ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଥିଲେ ଏବଂ ତଦନୁଯାୟୀ ଦୈନିକ ଓ ସାପ୍ତାହିକ କାର୍ଯ୍ୟ – ସାରଣୀ ପ୍ରସ୍ତୁତ କରିବାକୁ ଅଧ୍ୟକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ଅନୁରୂପଭାବେ ସହରାଞ୍ଚଳ ପାଇଁ ନିର୍ମାଣାଧୂନ ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷାରୁ ଜଣାପଡ଼ିଥିଲାଯେ ଇତି ମଧ୍ୟରେ କେନ୍ଦୁଝର ଠାରେ ସରକାରୀ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ୍‌ର ନିର୍ମାଣ କାର୍ଯ୍ୟ ସରିଛି । ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷକରି ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ତ୍ୱରାନ୍ବିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଶ୍ରୀ ଠାକ୍‌ରେଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଗ୍ରାମ ଉନ୍ନୟନ ଓ ପୂର୍ଭବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ପଡ଼ୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କୁ ଗମନାଗମନ ନିମନ୍ତେ ରାସ୍ତା ସଂଯୋଗୀକରଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ବ ଆରୋପ କରିଥିଲେ । ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ କାର୍ଯ୍ୟକାରୀ ହେଉଥିବା ଜିବୀକା ନିର୍ବାହ ପ୍ରକଳ୍ପ ଓ ଦକ୍ଷତା ବିକାଶ ପ୍ରକଳ୍ପ ଆଦିକୁ ସମୀକ୍ଷା କରି ଏଗୁଡ଼ିକୁ ଅଧିକ ଆବଶ୍ୟକତା ଭିତ୍ତିକ ଓ ଲକ୍ଷ୍ୟଭେଦୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କାଞ୍ଜିପାଣିଠାରେ ଇକୋ – ପର୍ଯ୍ୟଟନ କେନ୍ଦ୍ର ବିକଶିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।

କାନପୁର ଜଳସେଚନ ପ୍ରକଳ୍ପର ଅଗ୍ରଗତି ବିଷୟ ସମୀକ୍ଷା ବୈଠକରେ ସ୍ଥାନ ପାଇଥିଲା । ଏଥିପାଇଁ ପ୍ରକଳ୍ପ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥରେ ଅକ୍ଟୋବର ମାସ ଶେଷ ସୁଦ୍ଧା ପୋଲ ନିର୍ମାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ୍ୟାମ୍ ସ୍କିଲ୍ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । କେନାଲ୍ ସଂପ୍ରସାରଣ ନିମନ୍ତେ ଆବଶ୍ୟକ ସ୍ଥଳେ ଜଙ୍ଗଲ ଅନୁମତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ଜଳ ସଂପଦ ଏବଂ ଜଙ୍ଗଲ ବିଭାଗ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ଡି.ଏନ୍‌ ହାଇସ୍କୁଲ୍‌ରେ ଆୟୋଜିତ ” ମୋ ସ୍କୁଲ୍ ” କାର୍ଯ୍ୟକ୍ରମରେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀ , ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅବିଭାବକମାନଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ । ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା , ଶୈକ୍ଷିକ ପରିବେଶ ଏବଂ ଆଧୁନିକ ଭିତ୍ତିଭୂମି ସୃଷ୍ଟିକରି ଆଗାମୀ ଦିନରେ ଏହି ଅନୁଷ୍ଠାନକୁ ଏକ ଉତ୍କର୍ଷ ଶିକ୍ଷାକେନ୍ଦ୍ର ଭାବେ ବିକଶିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଥିଲେ । ଏଥିପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଦରକାର ବୋଲି କହିଥିଲେ ।

ଏହି ଅବସରରେ ଶ୍ରୀ ମହାପାତ୍ର ବିଦ୍ୟାଳୟ ପରିସରରେ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୫.୧୭ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୧୨୦ ଶଯ୍ୟା ବିଶିଷ୍ଟ ଗୋଟିଏ ଛାତ୍ରୀନିବାସ ଏବଂ ୧୨୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଶାସନ ସଚିବ ମଧ୍ୟ ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ ରୁମ୍ , ସ୍ମାର୍ଟ୍ ଲାଇବ୍ରେରୀ , ଆଇ.ସି.ଟି ପରୀକ୍ଷାଗାର ଆଦିର କାର୍ଯ୍ୟକାରିତା ଅନୁଧ୍ୟାନ କରି ଖୁସି ବ୍ୟକ୍ତ କରିଥିଲେ ସୂଚନାଯୋଗ୍ୟ , ଶ୍ରୀ ମହାପାତ୍ର ଡି.ଏନ୍‌ ହାଇସ୍କୁଲ୍‌ର ପୁରାତନ ଛାତ୍ର । ୧୯୭୫ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ସେ ସେହି ବିଦ୍ୟାଳୟରେ ପାଠ ପଢ଼ିଥିଲେ । ଶ୍ରୀ ମହାପାତ୍ର ମଧ୍ୟ ଏହି ବିଦ୍ୟାଳୟକୁ ନିଜର ପୋଷ୍ୟ ବିଦ୍ୟାଳୟ ରୁପେ ଗ୍ରହଣ କରିଛନ୍ତି ।

‘ ମୋ ସ୍କୁଲ୍ ‘ ଆଲୋଚନା ଚକ୍ରରେ ପୁରାତନ ଛାତ୍ରସଂସଦ ଅଧ୍ୟକ୍ଷ ବଳରାମ ପୃଷ୍ଟି ସଭାପତିତ୍ବ କରିଥିଲେ । ଜିଲ୍ଲାପାଳ ଶ୍ରୀ ଠାକ୍‌ରେ , ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି. , ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ , ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ , ପ୍ରଧାନ ଶିକ୍ଷୟତ୍ରୀ ତୃପ୍ତିମୟୀ ପାତ୍ରଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।