ରାଜ୍ୟରେ ନବଦମ୍ପତ୍ତିଙ୍କୁ ମିଳିବ ସ୍ୱତନ୍ତ୍ର ଉପହାର | News Room Odisha

ରାଜ୍ୟରେ ନବଦମ୍ପତ୍ତିଙ୍କୁ ମିଳିବ ସ୍ୱତନ୍ତ୍ର ଉପହାର

ଭୁବନେଶ୍ବର – ରାଜ୍ୟରେ ନୂଆ ବିବାହ କରିବାକୁ ଯାଉଥିବା ଦମ୍ପତିଙ୍କୁ ସ୍ବତନ୍ତ୍ର ଉପହାର ପ୍ରଦାନ କରିବେ ରାଜ୍ୟ ସରକାର । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏନଆରଏଚଏମ ପକ୍ଷରୁ ଦିଆଯିବ ‘ନବଦମ୍ପତି ଗିଫ୍ଟ’ । ଏହି ଉପହାର କିଟ୍‌ରେ ଗର୍ଭନିରୋଧକ ଭାବେ କଣ୍ଡୋମ ସମେତ ଅନ୍ୟାନ୍ୟ ଉପାଦାନ ରହିବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ନବଦମ୍ପତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିବାହ ଉପହାର ଯୋଜନା ଆରମ୍ଭ କରାଯାଉଛି । ନବଦମ୍ପତିମାନେ ବିଳମ୍ବରେ ପ୍ରଥମ ସନ୍ତାନ ଓ ଦ୍ବିତୀୟ ସନ୍ତାନ ଲାଗି ଅତିକମରେ ୨ ବର୍ଷର ବ୍ୟବଧାନ ରଖନ୍ତୁ । ଏହାକୁ ଦୃଷ୍ଟିରେ ରଖି ଏହି ଗିଫ୍ଟରେ କିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ ଓରାଲ କଣ୍ଟ୍ରାସେପଟିକ ପିଲସ, ପ୍ରେଗନେନ୍ସି ଟେଷ୍ଟିଂ କିଟ, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲ୍ସ ଓ ବିବାହ ପଞ୍ଜିକରଣ ଫର୍ମ ଆଦି ନବ ଦମ୍ପତିମାନଙ୍କୁ ଦିଆଯିବ ।

ଉଭୟ ସହର ଓ ଗ୍ରାମାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ନବଦମ୍ପତିଙ୍କୁ ବିବାହ ଉପହାର ଯୋଜନା ଆରମ୍ଭ ହେଉଛି । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଲାଗୁ କରାଯିବ । ପରିବାର ନିୟୋଜନକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା ଆରମ୍ଭ କରିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।