ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ମଧୁର ଜଳ ଉତ୍ସ ତାମ୍ପରା ହ୍ରଦ ନିକଟରେ ବିଶ୍ୱସ୍ତରୀୟ ଆର୍ଦ୍ରଭୂମି କ୍ଷେତ୍ର ଭାବେ ମାନ୍ୟତା ହାସଲ କରିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ମନ୍ତ୍ରଣାଳୟ ଦ୍ବାରା ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହି ମଧୁର ଜଳ ହ୍ରଦରୁ ବିଭିନ୍ନ ପ୍ରଜାତିର ମାଛ ଏବଂ ପକ୍ଷୀ ତଥା ଜଳଜ ଜୀବ ଚିହ୍ନଟ ହୋଇଥିବା ବେଳେ ଏହି ମାନ୍ୟତାକୁ ସମୃଦ୍ଧ କରିବା ପାଇଁ ଆଉ ଏକ ଉଲ୍ଲେଖନୀୟ ଘଟଣା ଘଟିଯାଇଛି। ପ୍ରଥମ କରି ଓଡ଼ିଶାରେ ଅପେକ୍ଷାକୃତ କମ୍ ସଂଖ୍ୟାରେ ଠାବ କରାଯାଉଥିବା ମାଛରଙ୍କା ବିରାଡ଼ିର ଉପସ୍ଥିତି ଏହି ଜଳ କ୍ଷେତ୍ରରେ ଚିହ୍ନଟ କରାଯାଇଛି। ଫଳରେ ତାମ୍ପରା ହ୍ରଦର ଜୈବ ବିବିଧତା ଅଧିକ ସଶକ୍ତ ହୋଇପାରିଛି। ଏହି ସଫଳତା ହାସଲ କରିଛି ଗୋପାଳପୁର ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ବା ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ଓ ବୁଗୁଡ଼ା ନିକଟ ମାଣିତରା ଅଞ୍ଚଳରୁ ହିଁ ପ୍ରାୟତଃ ଠାବ ହେଉଥିବା ମାଛରଙ୍କା ବିରାଡ଼ିକୁ ପ୍ରଥମ ଥର ଛତ୍ରପୁର ନିକଟ ତାମ୍ପରା ହ୍ରଦ ସନ୍ନିକଟ ଇଲାକାରୁ ଠାବ କରିଛି ଗୋପାଳପୁର ଜେଡ୍ଏସ୍ଆଇ କେନ୍ଦ୍ର। ଏହି ତଥ୍ୟକୁ ସ୍ପଷ୍ଟ କରିଛନ୍ତି ଗୋପାଳପୁର ଭାରତୀୟ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ. ଅନିଲ ମହାପାତ୍ର ଏବଂ ଡ. ବାସୁଦେବ ତ୍ରିପାଠୀ। ମାଛରଙ୍କା ବିରାଡ଼ିର ଫଟୋ ଓ ପାଦ ଚିହ୍ନରୁ ତାହାକୁ ଚିହ୍ନଟ କରାଯାଇଛି। ଶରୀର ଉପରେ ଅଲିଭ୍ ଧୂସର ରଙ୍ଗର ଆସ୍ତରଣ, ଛୋଟ ଗୋଡ଼ ଏବଂ ଓସାରିଆ ଶରୀର ଏହି ପ୍ରାଣୀକୁ ଚିହ୍ନଟ କରିଥାଏ।
୨୦୧୮ ମସିହାରୁ ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସେଣ୍ଟର୍ ତାମ୍ପରାରେ ସର୍ଭେ କରି ଆସୁଛି। ତେବେ ପ୍ରାୟ ୪ ବର୍ଷ ପରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି ଏହି କେନ୍ଦ୍ର। ସେଣ୍ଟର୍ କର୍ମଚାରୀ ଆଶିଷ କୁମାର ଦାଶ, ରାଜେଶ କୁମାର ବେହେରା, ସନ୍ଦୀପ ମହାପାତ୍ର, ସ୍ମୃତିରେଖା ଆଚାର୍ଯ୍ୟ ନିକଟରେ ସର୍ଭେ ବେଳେ ଏଭଳି ୨ଟି ବିରାଡ଼ିକୁ ଠାବ କରିଥିଲେ। ସେମାନେ ମାଛରଙ୍କା ବିରାଡ଼ିର ଫଟୋ ଉଠାଇବା ସହ ବିଭିନ୍ନ ଜାଗାରୁ ଏହି ପ୍ରାଣୀମାନଙ୍କ ପାଦ ଚିହ୍ନ ଏବଂ ମଳ ମିଳିଥିଲା। ସେଥିରୁ ଏହି ମାଂସାଶୀ ପ୍ରାଣୀଙ୍କ ଉପସ୍ଥିତି ନିଶ୍ଚିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏହି ପ୍ରଜାତିର ବିରାଡ଼ି ଆମ ରାଜ୍ୟର ଭିତରକନିକା, ଶିମିଳିପାଳ, ହଦଗଡ଼, ଚିଲିକା, ପୁରୀ, ମଙ୍ଗଳାଯୋଡ଼ି, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ଠାବ କରାଯାଇଥିଲା। ବିଶେଷ କରି ଚିଲିକା ଉନ୍ନୟନ ପ୍ରାଧିକରଣ ଦ୍ୱାରା ଉକ୍ତ ଲୁଣିଆ ଜଳ ହ୍ରଦରେ ହୋଇଥିବା ସର୍ଭେରୁ ସେଠାରେ ପ୍ରାୟ ୧୭୬ ବିରାଡ଼ି ରହିଥିବା ଜଣାଯାଇଛି।
ମଧୁର ଜଳ ହ୍ରଦ ତାମ୍ପରାରେ ବିଭିନ୍ନ ପକ୍ଷୀ, ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ସାପ, ବେଙ୍ଗ ସମେତ ବହୁ ମେରୁଦଣ୍ଡୀ ଏବଂ ଅମେରୁଦଣ୍ଡୀ ପ୍ରାଣୀମାନଙ୍କ ପାଇଁ ଏକ ବାସପଯୋଗୀ ସ୍ଥାନ। ଯେହେତୁ ମାଛ ହେଉଛି ମାଛରଙ୍କା ବିରାଡ଼ିର ମୁଖ୍ୟ ଖାଦ୍ୟ, ଏଣୁ ତାମ୍ପରା ହ୍ରଦ ଏହି ପ୍ରଜାତିର ପ୍ରାଣୀଙ୍କ ପାଇଁ ଏକ ଖାଦ୍ୟପଯୋଗୀ ସ୍ଥାନ ଅଟେ। ତେଣୁ ଆଶା କରାଯାଉଛି ତାମ୍ପରା ନିକଟ ଆର୍ଦ୍ରଭୂମିରେ ବହୁ ସଂଖ୍ୟକ ମାଛରଙ୍କା ବିରାଡ଼ି ଥାଇପାରନ୍ତି। ଏହି ସର୍ଭେକୁ ଗୋପାଳପୁର ପ୍ରାଣୀ ବିଜ୍ଞାନ କେନ୍ଦ୍ରର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।
ପୂର୍ବରୁ ମଧ୍ୟ ଗୋପାଳପୁର ଜେଡ୍ଏସ୍ଆଇ ଅନେକ ସଂଖ୍ୟକ ଜଳଜୀବକୁ ପ୍ରଥମ କରି ଚିହ୍ନଟ କରିବା ରେକର୍ଡ କରିଛି। ଭାରତର ପୂର୍ବତଟ ସମୁଦ୍ର ଉପକୂଳରୁ ଆରମ୍ଭ କରି ଦକ୍ଷିଣତଟ ସମୁଦ୍ର ବେଳାଭୂମି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଗଭୀର ବା ଅଗଭୀର ସମୁଦ୍ର ପାଣିରୁ ଠାବ କରାଯାଇଥିବା ବିରଳ ମାଛ ଓ ଅନ୍ୟ ଜଳଜୀବକୁ ଚିହ୍ନଟ କରି ନାମକରଣ କରିବାରେ ସଫଳ ହୋଇଥିଲେ ଗୋପାଳପୁର କେନ୍ଦ୍ରର ବୈଜ୍ଞାନିକଗଣ। ଭିନ୍ନ ଭିନ୍ନ ସମୟରେ ଏଭଳି ଚିହ୍ନଟ କରାଯାଇଥିବା ତଥା ନାମକରଣ କରାଯାଇଥିବା ପ୍ରାଣୀମାନଙ୍କ ବାବଦରେ ବିଭିନ୍ନ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ଆଲେଖ୍ୟ ପ୍ରକାଶ ପାଇ ଆସୁଛି।