୧୫ ତାରିଖ ବେଳକୁ ଛୋଟ ବନ୍ୟା ଆଶଙ୍କା, ମହାନଦୀ ଅବବାହିକା ଜିଲ୍ଲାଗୁଡିକରେ ପ୍ରଶାସନ ସଜାଗ | News Room Odisha

୧୫ ତାରିଖ ବେଳକୁ ଛୋଟ ବନ୍ୟା ଆଶଙ୍କା, ମହାନଦୀ ଅବବାହିକା ଜିଲ୍ଲାଗୁଡିକରେ ପ୍ରଶାସନ ସଜାଗ

ଭୁବନେଶ୍ୱର – ହୀରାକୁଦ ଡ୍ୟାମରୁ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଆଜି ଏହା ମୁଣ୍ଡଳି ଅତିକ୍ରମ କରିବ। ଆଜି ମୁଣ୍ଡଳି ଦେଇ ୬ ଲକ୍ଷ କ୍ୟୁସେକ ଜଳ ଅତିକ୍ରମ କରିବ। ପାଣିପାଗ ବିଭାଗ କହିଛି ଯେ, ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତା’ହେଲେ ୧୫ ତାରିଖ ବେଳକୁ ଛୋଟ ବନ୍ୟା ଆସିପାରେ। ତେଣୁ ମହାନଦୀ ଅବବାହିକା ଜିଲ୍ଲା ଗୁଡ଼ିକରେ ସଜାଗ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି ।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲୁଥିବା ବେଳେ ତଳମୁଣ୍ଡରେ ମଧ୍ୟ ସମାନ ଅବସ୍ଥା । ଗୋଟିଏ ପଟେ ଲଘୁଚାପ ଜନିତ ବର୍ଷା ଓ ଅନ୍ୟ ପକ୍ଷରେ ହୀରାକୁଦ ଡ୍ୟାମ୍‌ର ୩୪ଟି ଗେଟ୍ ଖୋଲା ଯାଇଥିବାରୁ ସୁବର୍ଣ୍ଣପୁର, ବୌଦ୍ଧ ସହିତ କଟକର ମୁଣ୍ଡଳି ଠାରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି।

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିଛି। ବୀରମହାରାଜପୁର-ସୋନପୁର ରାସ୍ତାର ବିଜେପୁର ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁରକୁ ଗମନାଗମନ ବ୍ୟାହତ ହୋଇଛି। ସୋନପୁର-ସମ୍ବଲପୁର ରାସ୍ତାର ମାଲତିଯୋର ସେତୁ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି। ତେଣୁ ସୋନପୁର-ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ବୀରମହାରାଜପୁର-ଅମରପାଲିର ରାସ୍ତାର ଘୁଂଘିଯୋର ଉପରେ ୪ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଏହି ବାଟ ଦେଇ ସମ୍ବଲପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି।