ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତ୍ତୀ ମାଇଲ ଖୁଣ୍ଟ । ସମଗ୍ର ଆଧ୍ୟାତ୍ମିକ ଜଗତରେ ଏହିପରି ମତ ପୋଷଣ କରିଥିଲେ ଆଧୁନିକ ଯୁଗର ମହାନ ଋଷି ଯୋଗୀ ଶ୍ରୀ ଅରବିନ୍ଦ। ତାଙ୍କ ମତରେ ମାନବ ଜାତି ପାଇଁ ଏହା ଅତି ଆବଶ୍ୟକ। କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରି କହିଥିଲେ ଯେ, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ।
ଏହି ମହାନ ଯୋଗୀ ଶ୍ରୀ ଅରବିନ୍ଦ ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଆଧ୍ୟାତ୍ମିକ ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୮୭୨ ମସିହାରେ ୧୫ ଅଗଷ୍ଟ ଆଜିର ଦିନରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ଜଣେ ମହାନ ନେତା ହିସାବରେ ପରିଚିତ ହୋଇଥିଲେ। ଶ୍ରୀ ଅରବିନ୍ଦ ସଶସ୍ତ୍ର ସଂଗ୍ରାମର ଜଣେ ସମ୍ପୂର୍ଣ୍ଣ ବିଶ୍ୱାସୀ ଥିଲେ ।
ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ସେ କାରାଵରଣ କରିଥିଲେ। କାରା ଗୃହରେ ହିଁ ସିଏ ଦିବ୍ୟସତ୍ତା କୁ ଅନୁଭବ କରି ଥିଲେ। ଏହିଠାରୁ ହିଁ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ନିଜର ସାଧନାଲବ୍ଧ ଦିବ୍ୟ ଚେତନା କୁ ସିଏ ଅତିମାନସ ସ୍ତରରେ ରୂପାନ୍ତରିତ କରିଥିଲେ ।ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା ।
ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ସ୍ପଷ୍ଟ ଦେଖିବାକୁ ମିଳେ। ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ।
ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା।
୧. ଏସେଜ ଅନ ଦି ଗୀତା :- ୧୯୨୮
୨. ଦ ଲାଇଫ ଡିଭାଇନ :-୧୯୪୦
3. କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜ:- ୧୯୪୨
୪. ଦ ସିନ୍ଥେସିସ ଅନ ଯୋଗ :- ୧୯୪୮
୫. ଦ ହ୍ୟୁମାନ ସାଇକଲ- ୧୯୪୯
୬. ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି :-୧୯୪୯
୭. ଅନ ଦି ବେଦ :- ୧୯୫୬
୮. ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ
ତାଙ୍କ ରଚିତ ପୁସ୍ତକାବଳି ବିଶ୍ୱ ସାହିତ୍ୟ ଭଣ୍ଡାର କୁ ବହୁ ଗୁଣରେ ସମୃଦ୍ଧ କରିଛି। ନିଜର ସାଧନ ଲବ୍ଧ ଅନୁଭୂତି କୁ ନେଇ ସୃଷ୍ଟି କରିଥିବା ଦର୍ଶନ ଅତି ମାନସ ସ୍ତର ଦର୍ଶନ ସାହିତ୍ୟର ଏକ ନବ ଦିଗନ୍ତର ସୂର୍ଯ୍ୟ ସମ। ଜଣେ ଚାହିଁଲେ ସେହି ଦିବ୍ୟ ପଥର ପଥିକ ହୋଇ ପାରିବ ଏହାଥିଲା ତାଙ୍କ ଦୃଢ଼ ମତ। ଏହି ମହା ମନିଷିଙ୍କ ଜନ୍ମ ବାସରେ ତାଙ୍କ ଚରଣରେ ଶତକୋଟି ପ୍ରଣାମ।