ବନ୍ୟା ପରିସ୍ଥିତି: ୧୦ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ | News Room Odisha

ବନ୍ୟା ପରିସ୍ଥିତି: ୧୦ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଟି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ସପ୍ତାହକ ପାଇଁ ବାତିଲ କରିଛନ୍ତି । ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କାହାରିକୁ ଛୁଟିରେ ଯିବାକୁ ଅନୁମତି ମିଳିବ ନାହିଁ ।

ବନ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ହୀରାକୁଦର ୪୦ଟି ଗେଟ୍ ଖୋଲିଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ନଦୀଗୁଡ଼ିକ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, କଟକର ମୁଣ୍ଡଳୀଠାରେ ଏବେ ପ୍ରାୟ ୧୨ଲକ୍ଷ ୧ହଜାର ୪୨୬କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରବେଶ ଯୋଗୁ ଲୋକମାନେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟା ପ୍ରଭାବିତ ଅଂଚଳରେ ପରିସ୍ଥିତିକୁ ଦେଖି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିବା ନିଷ୍ପତି ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ।

ଆସନ୍ତା ୪୮ ଘଣ୍ଟା ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ଟି ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୭ଦିନ ପାଇଁ ବାତିଲ କରିଦିଆଯାଇଛି ।ଏହାସହିତ ଇଞ୍ଜିନିୟରମାନଙ୍କୁ ନିଜ ସ୍ଥାନ ଛାଡ଼ି ନ ଯିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।